ପ୍ରେମ ନେଉଛି ଜୀବନ ! ଦେଶରେ ବଢ଼ୁଛି ପ୍ରେମଜନିତ ହତ୍ୟାକାଣ୍ଡ । ଏନସିଆରବି ତଥ୍ୟରୁ ସାମ୍ନାକୁ ଆସିଲା ସତ ।

453

କନକ ବ୍ୟୁରୋ : ପ୍ରେମ ନେଉଛି ଜୀବନ । ଦେଶରେ ବଢ଼ୁଛି ପ୍ରେମଜନିତ ହତ୍ୟାକାଣ୍ଡ । ଯେଉଁ ସବୁ କାରଣରୁ ହତ୍ୟାକାଣ୍ଡ ଘଟୁଛି, ସେଥିରେ ପ୍ରେମବ୍ୟାପାର ତୃତୀୟ କାରଣ ପାଲଟିଛି । ନିକଟରେ ଏନସିଆରବି ଜାରି କରିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି ।

୨୦୦୧ରୁ ୨୦୧୭ ପର୍ଯ୍ୟନ୍ତ ଦେଶରେ ପ୍ରେମଜନିତ ହତ୍ୟାକାଣ୍ଡ ୨୮ ପ୍ରତିଶତ ବଢ଼ିଛି । ହତ୍ୟାକାଣ୍ଡର ଅନ୍ୟ ଦୁଇ ପ୍ରମୁଖ କାରଣ ବ୍ୟକ୍ତିଗତ ଶତୃତା ଓ ସମ୍ପତିକୁ ନେଇ କଳହ । ତେବେ ଏହି ଦୁଇ କାରଣକୁ ନେଇ ହତ୍ୟାକାଣ୍ଡ କମୁଥିବା ବେଳେ ପ୍ରେମଜନିତ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ବଢ଼ିଚାଲିଛି । ୨୦୦୧ରୁ ୨୦୧୭ ମଧ୍ୟରେ ବ୍ୟକ୍ତିଗତ ଶତୃତା କାରଣରୁ ଦେଶରେ ୬୭ ହଜାର ୭୭୪ଟି ହତ୍ୟାକାଣ୍ଡ ଘଟିଛି । ସେହିପରି ସମ୍ପତି କଳହକୁ ନେଇ ଏହି ସମୟ ମଧ୍ୟରେ ୫୧ ହଜାର ୫୫୪ ଜଣଙ୍କ ଜୀବନ ନେଇଛନ୍ତି ହତ୍ୟାକାରୀ । ତେବେ ଏହି ଦୁଇ କାରଣରୁ ହତ୍ୟାକାଣ୍ଡ କମି କମି ଚାଲିଛି । ବ୍ୟକ୍ତିଗତ ଶତୃତାରୁ ହତ୍ୟାକାଣ୍ଡରେ ୪ ପ୍ରତିଶତ ହ୍ରାସ ଘଟିଥିବା ବେଳେ ସମ୍ପତି କଳହରୁ ହତ୍ୟାକାଣ୍ଡରେ ୧୨ ପ୍ରତିଶତ ହ୍ରାସ ଘଟିଛି । ତେବେ ଏହି ସମୟ ମଧ୍ୟରେ ୪୪ ହଜାର ୪୧୨ଟି ପ୍ରେମଜନିତ ହତ୍ୟାକାଣ୍ଡ ଘଟିଛି । ସବୁଠୁ ସାଂଘାତିକ ଓ ଚିନ୍ତାଜନକ କଥା ହେଲା ପ୍ରେମ ବ୍ୟାପାରରୁ ଘଟୁଥିବା ହତ୍ୟାକାଣ୍ଡ ୨୮ ପ୍ରତିଶତ ବୃଦ୍ଧି ପାଇଛି ।

ହତ୍ୟାକାଣ୍ଡର ପ୍ରମୁଖ କାରଣ :

କାରଣ                        ସଂଖ୍ୟା (୨୦୦୧-୧୭)                   ପରିବର୍ତନ ହାର

ବ୍ୟକ୍ତିଗତ ଶତ୍ରୁତା                 ୬୭,୭୭୪                              ୪% କମ୍

ସମ୍ପତି ବିବାଦ                     ୫୧,୫୫୪                               ୧୨% କମ୍

ପ୍ରେମ ବ୍ୟାପାର                   ୪୪,୪୧୨                                ୨୮% ବୃଦ୍ଧି

ପ୍ରେମଜନିତ ବ୍ୟାପାରକୁ ନେଇ ଘଟୁଛି ହତ୍ୟାକାଣ୍ଡ । ବ୍ୟକ୍ତିଗତ ଶତୃତାରୁ ସବୁଠୁ ଅଧିକ ହତ୍ୟାକାଣ୍ଡ ଘଟୁଥିବା ବେଳେ ଏହା ପଛକୁ ଅଛି ସମ୍ପତି ବିବାଦ । ତେବେ ହତ୍ୟାକାଣ୍ଡର ତୃତୀୟ ବଡ଼ କାରଣ ପାଲଟିଛି ପ୍ରେମ । ସବୁଠୁ ସାଂଘାତିକ ଓ ଚିନ୍ତାଜନକ କଥା ହେଲା ପ୍ରେମ ବ୍ୟାପାରରୁ ଘଟୁଥିବା ହତ୍ୟାକାଣ୍ଡ ୨୮ ପ୍ରତିଶତ ବୃଦ୍ଧି ପାଇଛି ।

ଦେଶର ୪ଟି ରାଜ୍ୟ ଆନ୍ଧ୍ର, ମହାରାଷ୍ଟ୍ର, ଗୁଜୁରାଟ ଓ ପଞ୍ଜାବରେ ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ସଂଖ୍ୟା ଅଧିକ । ତେବେ ଆନ୍ଧ୍ରପ୍ରଦେଶରେ ପ୍ରେମ ବ୍ୟାପାରକୁ ନେଇ ସବୁଠୁ ଅଧିକ ହତ୍ୟାକାଣ୍ଡ ଘଟିଛି । ୨୦୦୧ରୁ ୨୦୧୭ ମଧ୍ୟରେ ଆନ୍ଧ୍ରରେ ପ୍ରେମଜନିତ କାରଣରୁ ୩୮୪ ହତ୍ୟାକାଣ୍ଡ ଘଟିଛି । ମହାରାଷ୍ଟ୍ରରେ ଏହି ସଂଖ୍ୟା ୨୭୭ ଥିବା ବେଳେ ଗୁଜୁରାଟରେ ୧୫୬ ଓ ପଞ୍ଜାବରେ ୯୮ । ଏହି ୪ଟି ରାଜ୍ୟରେ ଅନ୍ୟ କାରଣ ତୁଳନାରେ ପ୍ରେମଜନିତ ବ୍ୟାପାରରୁ ପ୍ରତିବର୍ଷ ସବୁଠୁ ଅଧିକ ଜୀବନ ଯାଇଛି । ତେବେ ଉତ୍ତର ପ୍ରଦେଶରେ ପ୍ରତିବର୍ଷ ଏହି କାରଣରୁ ୩୯୫ ଜଣଙ୍କ ଜୀବନ ଯାଉଛି ।

ପ୍ରେମ ପାଲଟିଛି ହତ୍ୟାର କାରଣ :
ରାଜ୍ୟ                    ସଂଖ୍ୟା (୨୦୦୧-୧୭)

ଆନ୍ଧ୍ରପ୍ରଦେଶ                   ୩୮୪

ମହାରାଷ୍ଟ୍ର                      ୨୭୭

ଗୁଜୁରାଟ                       ୧୫୬

ପଞ୍ଜାବ                           ୯୮

କେରଳ ଓ ପଶ୍ଚିମବଙ୍ଗରେ ପ୍ରେମଜନିତ ହତ୍ୟାକାଣ୍ଡ ସଂଖ୍ୟା କମ୍ । ଏହି ଦୁଇ ରାଜ୍ୟରେ ଅନର କିଲିଂ ଭଳି ଘଟଣା ଖୁବ କମ୍ ସାମ୍ନାକୁ ଆସିଛି ।