ରତନ ଟାଟାଙ୍କ ପ୍ରେମ କାହାଣୀ । ହେଲେ ଆଜୀବନ ବିବାହ ନ କରିବାକୁ କାହିଁକି ନିଷ୍ପତ୍ତି ନେଲେ ରତନ?

510

କନକ ବ୍ୟୁରୋ : ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କ ବାବଦରେ କିଏ ବା ନ ଜାଣିଛି । ତେବେ ରତନ ଟାଟାଙ୍କ ବ୍ୟବସାୟକୁ ନେଇ ଯେତିକି ଚର୍ଚ୍ଚା ହୋଇଥାଏ ତାହା ଠାରୁ ଅଧିକ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ସାଧାରଣରେ ସେତିକି ଉତ୍ସୁକତା ରହିଥାଏ । ଆଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିବା ରତନ ଟାଟା ବି କେବେ ପ୍ରେମରେ ପଡିଥିଲେ । ନିଜ ଜୀବନରେ ରତନ ୪ ଜଣଙ୍କୁ ମନ ଦେଇ ବସିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ ଜଣଙ୍କ ସହ ରତନଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ବିଧିର ବିଧାନ ବୋଧହୁଏ କିଛି ଭିନ୍ନ ଥିଲା । ତେବେ କାର୍ଡ ଛପା ହେବା ପୂର୍ବରୁ ରତନଙ୍କର ବିବାହ ଭାଙ୍ଗି ଯାଇଥିଲା । ନିଜର ଜୀବନଶୈଳୀ ଓ ମତ ମନ୍ତବ୍ୟ ଜରିଆରେ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରତନ ଟାଟା କାହିଁକି ବିବାହ କରିନାହାନ୍ତି ତାହା ଏବେବି ଏକ ରହସ୍ୟ ହୋଇରହିଛି ।

ଲେଖକ ପିଟର କାସିଙ୍କ ଲିଖିତ ପୁସ୍ତକ ‘ଦି ଷ୍ଟୋରୀ ଅଫ୍ ଟାଟା-୧୯୬୮ ଟୁ ୨୦୨୧’ ରତନ ଟାଟାଙ୍କ ଜୀବନୀ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଲେଖା ରହିଛି । ଜାତୀୟ ଗଣମାଧ୍ୟମ ଏନଡିଟିଭି ତରଫରୁ ତାହାର ଏକ ସିରିଜ ଜାରି କରାଯାଉଛି । ଆମେରିକାରେ ଇଥାକାରେ ପାଠ ପଢୁଥିବା ବେଳେ ସେଠାକାର ଥଣ୍ଡା ପରିବେଶରେ ରହିବାକୁ ଟାଟା ପସନ୍ଦ କରୁନଥିଲେ । ପାଠପଢା ଶେଷ ହେବା ମାତ୍ରେ ସେ ଲସଆଞ୍ଜେଲସ୍ ଚାଲିଯାଇଥିଲେ । ଭାରତ ଫେରିବାକୁ ତାଙ୍କର ଇଚ୍ଛା ନଥିଲା । ସେ ଆମେରିକାରେ ନିଜକୁ ସ୍ଥପତି ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଥିଲେ । କିନ୍ତୁ ଟାଟାଙ୍କ ପାଇଁ ନିୟତି କିଛି ଭିନ୍ନ ଲେଖିଥିଲା । ତାଙ୍କ ଜେଜେ ମା’ ଲେଡି ନବଜବାଇ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଭାରତ ଫେରିବାକୁ ପଡିଥିଲା ।

ଭାରତ ଫେରିବା ପରେ ରତନଙ୍କୁ ଟାଟା ଗ୍ରୁପରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ କୌଣସି କାରଣରୁ ପ୍ରଥମରୁ ସେ ଏଥିରେ କାର୍ଯ୍ୟ କରିବାକୁ ଇଚ୍ଛୁକ ନଥିଲେ । ତେବେ ଜାମସେଦପୁରରେ ଥିବା ଟେଲକୋର କାରଖାନାରେ କାର୍ଯ୍ୟ କରିବାକୁ ତାଙ୍କୁ ୧୯୬୨ରେ ପଠାଗଲା । ଛଅ ମାସ ପରେ ଟିସକୋର ସିଇଓ ତାଙ୍କ କାର୍ଯ୍ୟରେ ବେଶ ପ୍ରଭାବିତ ହୋଇଥିଲେ । ଏନେଇ ସେ ଟାଟା ଗ୍ରୁପର ସେତେବେଳେ ମୁଖ୍ୟ ଥିବା ଜେଆରଡି ଟାଟାଙ୍କୁ ଜଣାଇଥିଲେ । ଆଉ ଏହା ଜାଣିବା ପରେ ଜେଆରଡି ତତକ୍ଷଣାତ ରତନଙ୍କୁ ମୁମ୍ବାଇ ଡକାଇବା ସହ ଅଷ୍ଟ୍ରେଲିଆକୁ ପଠାଇଥିଲେ । ଅଷ୍ଟ୍ରେଲିଆରେ କିଛି ଦିନ ରହି ମୁମ୍ବାଇ ଫେରିବା ପରେ ତାଙ୍କୁ ଦୁଇ ଲାଭଜନକ ହେଉନଥିବା ସଂସ୍ଥା ନେଲକୋ ଓ ସେଣ୍ଟ୍ରାଲ ଇଣ୍ଡିଆ ଟେକ୍ସଟାଇଲସର ଭାଗ୍ୟ ବଦଳାଇବାକୁ କୁହାଯାଇଥିଲା । ନେଲକୋ  ରେଡିଓ ଓ ଟିଭି ନିର୍ମାଣ କରୁଥିବା ବେଳେ ଅନ୍ୟ ସଂସ୍ଥାଟି ପୋଷାକ ତିଆରି କରୁଥିଲା । ଆଉ ଏହି ଦୁଇ ସଂସ୍ଥାର ଦାୟିତ୍ୱ ନେବାର କିଛି ବର୍ଷ ମଧ୍ୟରେ ଏହାକୁ ଲାଭଜନକ ସଂସ୍ଥାରେ ପରିଣତ କରି ଦେଖାଇଥିଲେ ରତନ ଟାଟା ।