ରାଜୁ ଶ୍ରୀବାସ୍ତବଙ୍କ ଫିଲ୍ମି ଲଭଷ୍ଟୋରୀ: ଦୀର୍ଘ ୧୨ ବର୍ଷ ଅପେକ୍ଷା ପରେ ମିଳିଲେ ଶିଖା

353

କନକ ବ୍ୟୁରୋ: ନିଆରା ରାଜୁ ଶ୍ରୀବାସ୍ତବଙ୍କ ପ୍ରେମ କାହାଣୀ । ୧୨ ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ । ପ୍ରଥମ ଦେଖାରେ ହିଁ ହୃଦୟ ଦେଇଦେଲେ । ଆଉ ମନେ ମନେ ନିଷ୍ପତ୍ତି ନେଲେ ବାହା ହେବେ ତ ସେଇ ଝିଅକୁ । ହେଲେ ଏଥିପାଇଁ ତାଙ୍କୁ ଦୀର୍ଘ ୧୨ ବର୍ଷ ଅପେକ୍ଷା କରିବାକୁ ପଡିଲା । ଭାରି ନିଆରା ରାଜୁ ଶ୍ରୀବାସ୍ତବଙ୍କ ଲଭ ଷ୍ଟୋରୀ ।

କମେଡିଆନ୍ ରାଜୁ ଶ୍ରୀବାସ୍ତବ । ପୁରା କ୍ୟାରିଅରରେ ଲୋକଙ୍କୁ ହସେଇ ହସେଇ ବେଦମ୍ କରୁଥିଲେ । ତାଙ୍କ କମେଡିରେ ଲୋକେ ନିଜର ଦୁଃଖ ପାସୋରି ଯାଉଥିଲେ । ଲୋକଙ୍କ ଜୀବନରେ ହସହସରେ ରଙ୍ଗ ଭରିଦେଉଥିବା ରାଜୁଙ୍କ ବ୍ୟକ୍ତିଗତ ଜୀବନ ବି ବେଶ୍ ମଜାଦାର ଥିଲା । ପତ୍ନୀ ଶିଖାଙ୍କ ସହ ତାଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନଥିଲା ।

ଭାଇଙ୍କ ବାହାଘରରେ ଶିଖାଙ୍କୁ ପ୍ରଥମେ ଦେଖିଥିଲେ ରାଜୁ । ସେଇ ପ୍ରଥମ ଦେଖାରେ ହିଁ ହୃଦୟ ଦେଇଦେଲେ । ଆଉ ସେହିଠାରେ ହିଁ ନିଷ୍ପତ୍ତି ନେଲେ ବାହା ହେବେ ତ କେବଳ ଶିଖାଙ୍କୁ । ଛାନବିନ୍ କରିବାରୁ ଜଣାପଡିଲା ଶିଖା ତାଙ୍କ ଭାଉଜଙ୍କ କକା ଝିଅ ଭଉଣୀ । ସେତେବେଳେ ଶିଖା ଇଟାୱାରେ ରହୁଥିଲେ । ସବୁ ଜାଣିବା ପରେ ରାଜୁ ଆରମ୍ଭ କରିଦେଇଥିଲେ ଶିଖାଙ୍କୁ ପାଇବାକୁ ଅଭିଯାନ ।

ପ୍ରଥମେ ଶିଖାଙ୍କ ଭାଇମାନଙ୍କୁ ଇମ୍ପ୍ରେସ୍ କରିବାକୁ ଚେଷ୍ଟା କରିଥିଲେ । ଆଉ ବାହାନା କରି ମଝିରେ ମଝିରେ ଶିଖାଙ୍କୁ ଦେଖିବାକୁ ଇଟାୱା ଯାଉଥିଲେ ରାଜୁ । ହେଲେ ଭୟରେ ଶିଖାଙ୍କ ସହ କଥା ହୋଇପାରୁନଥିଲେ । ଏହି ଏକତରଫା ପ୍ରେମ ଭିତରେ ରାଜୁଙ୍କୁ ନିଜ କ୍ୟାରିଅର ଚିନ୍ତା ବି ଘାରୁଥିଲା । ତେଣୁ ୧୯୮୨ ରେ ରାଜୁ ମାୟାନଗରୀ ମୁମ୍ବାଇ ଚାଲିଆସିଲେ ।

ମୁମ୍ବାଇରେ ସଂଘର୍ଷ ଭିତରେ ଯେତେବେଳେ ତାଙ୍କ ସ୍ଥିତି ବନିବାକୁ ଲାଗିଲା ସେତେବେଳେ ବିବାହ କଥା ଚିନ୍ତା କଲେ ରାଜୁ । ଶିଖାଙ୍କୁ ଚିଠି ଲେଖୁଥିଲେ ହେଲେ ତାଙ୍କ ପ୍ରତି ଥିବା ପ୍ରେମକୁ ପ୍ରକାଶ କରିପାରୁନଥିଲେ । ବାଧ୍ୟ ହୋଇ ନିଜ ମା’ଙ୍କୁ ଏହି କଥା କହିବା ପରେ ଭାଉଜଙ୍କ ମାଧ୍ୟମରେ ଶିଖାଙ୍କ ଘରେ ବିବାହ ପ୍ରସ୍ତାବ ପଡିଲା । ଶିଖାଙ୍କ ଭାଇ ରାଜୁଙ୍କ ଘରକୁ ଆସି ତାଙ୍କ ଚଳଣୀ ବାବଦରେ ନିଶ୍ଚିତ ହେବା ପରେ ଦୀର୍ଘ ୧୨ ବର୍ଷ ପରେ ଦୁହିଁଙ୍କ ସମ୍ପର୍କକୁ ସ୍ୱୀକୃତି ମିଳିଲା । ୧୯୯୩ରେ ରାଜୁ ଓ ଶିଖାଙ୍କ ବିବାହ ହୋଇଥିଲା ।

ରାଜୁଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ଝିଅ ଅନ୍ତରା ସେସିଆଲ ମିଡିଆରେ ବେଶ୍ ସକ୍ରିୟ । ସେ ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟରତ । ପୁଅ ଆୟୁଷ୍ମାନ୍ ପଢାରେ ବ୍ୟସ୍ତ । ନିଜ ପରିବାରକୁ ପ୍ରାଣ ଦେଇ ଭଲ ପାଉଥିବା ରାଜୁ କିନ୍ତୁ ସେମାନଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ।

ଅକାଳରେ ଏପରି ଭାବେ ରାଜୁଙ୍କ ପରଲୋକ ସମସ୍ତଙ୍କୁ ବ୍ୟଥିତ କରିଛି । କେବଳ ତାଙ୍କ ପରିବାର ସଦସ୍ୟ ନୁହଁନ୍ତି ବରଂ ଫ୍ୟାନ୍ସ ମାନଙ୍କୁ ଗଭୀର ଆଘାତ ଦେଇଛି । ୪୨ ଦିନ ଧରି ଏମ୍ସରେ ଚିକିତ୍ସା ହେବା ପରେ ଆଜି ତାଙ୍କର ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ।