ଭାରତରୁ ସ୍ୱିଡେନ୍ ପ୍ରେମ ଯାତ୍ରା। ଏମିତି ଥିଲା ପିକେ ଆଉ ଚାର୍ଲେଟଙ୍କ ପ୍ରେମ କାହାଣୀ…

625

କନକ ବ୍ୟୁରୋ: ଆପଣ ସମସ୍ତେ ଗୋଟିଏଠୁ ବଳି ଆଉ ଗୋଟିଏ ପ୍ରେମ କାହାଣୀ ବାବଦରେ ଶୁଣିଥିବେ । କିଛି କାହାଣୀ ଏମିତି ହୋଇଥାଏ ଯେଉଁଥିରେ ଅନେକ ଯୋଡି ଜଣେ ଆଉ ଜଣଙ୍କ ପାଇଁ କିଛିବି କରିଥାନ୍ତି । ଏଭଳି ଗୋଟିଏ କାହାଣୀ ଆମେ ଦେଶରେ ବି ରହିଛି । ଏ କାହାଣୀ ହେଉଛି ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆଙ୍କର । ସେ ପିକେ ମହାନନ୍ଦିଆ ନାମରେ ବେସ ପରିଚିତ । ତାଙ୍କ ପତ୍ନୀ ସ୍ୱିଡେନର ଚାର୍ଲେଟ ୱାନ୍ ସେଡୱିନ୍ । ଉଭୟଙ୍କ ସାକ୍ଷାତ ୧୯୭୫ ମସିହାରେ ଦିଲ୍ଲୀରେ ହୋଇଥିଲା ।

ଯେତେବେଳେ ଚାର୍ଲେଟ ପିକେଙ୍କ କଳା ବାବଦରେ ଶୁଣିଥିଲେ ସେ ୟୁରୋପରୁ ଭାରତ ଚାଲିଆସିଥିଲେ । ପିକେଙ୍କ ସହ ସାକ୍ଷାତ ପାଇଁ ସେ ଏତେବାଟ ଚାଲିଆସିଥିଲେ । ପ୍ରଥମେ ଜଣେ କଳାକାର ଭାବେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଦିଲ୍ଲୀର କଲେଜ ଅଫ୍ ଆର୍ଟସର ଜଣେ ଗରିବ ଛାତ୍ର ଥିଲେ ପିକେ । ଚାର୍ଲେଟଙ୍କ ଚିତ୍ର କରୁ କରୁ ଉଭୟ ପରସ୍ପରର ପ୍ରେମରେ ପଡିଯାଇଥିଲେ ।

ପିକେ ଚାର୍ଲେଟଙ୍କ ସୁନ୍ଦରତାରେ ଆକର୍ଷିତ ହୋଇଥିବା ବେଳେ, ଚାର୍ଲେଟ ପିକେଙ୍କ କଳାକୁ ଦେଖି ତାଙ୍କ ହୃଦୟ ଦେଇବସିଥିଲେ । ଚାର୍ଲେଟ ଯେତେବେଳେ ନିଜ ଘର ସ୍ୱିଡେନ ଯିବାପାଇଁ ବାହାରିଥିଲେ ଉଭୟ ସେତେବେଳେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପିକେ ଏକ ସାକ୍ଷାତକାରରେ କହିଥିଲେ ଯେ ପ୍ରଥମ ଥର ତାଙ୍କ ବାପାଙ୍କୁ ଚାର୍ଲେଟ ଦେଖାକରିଥିଲେ ସେତେବେଳେ ସେ ଶାଢୀ ପିନ୍ଧି ତାଙ୍କ ସାମ୍ନାକୁ ଯାଇଥିଲେ । ମୋତେ ଜଣା ନଥିଲା ଏସବୁ ସେ କେମିତି ସମ୍ଭାଳିବେ । ତାଙ୍କ ବାପା ଏବଂ ପରିବାରର ସହଯୋଗରେ ଉଭୟ ଆଦିବାସୀ ପରମ୍ପରାରେ ବିବାହ କରିଥିଲେ ।

ଚାର୍ଲେଟ ସ୍ୱିଡେନ ଯିବା ସମୟରେ ପିକେଙ୍କୁ ସାଥୀରେ ଯିବା ପାଇଁ କହିଥିଲେ । କିନ୍ତୁ ପିକେ ମହାନନ୍ଦିଆ ନିଜର ପାଠପଢାପୂରଣ କରିବାକୁ ଚାହୁଁଥିଲେ । ପାଠପଢା ଶେଷ ପରେ ସେ କଥା ଦେଇଥିଲେ ଯେ ଚାର୍ଲେଟଙ୍କ ଘରକୁ ଯାଇ ପହଞ୍ଚିବେ । ଏହାରି ଭିତରେ ଉଭୟ ଚିଠିରେ କଥାବାର୍ତ୍ତା କରୁଥିଲେ । ଗୋଟିଏ ବର୍ଷ ପରେ ପିକେ ମହାନନ୍ଦିଆ ପତ୍ନୀଙ୍କୁ ଦେଖାକରିବା ପାଇଁ ଯୋଜନା କରିଥିଲେ । ତେବେ ବିମାନର ଟିକଟ କିଣିବା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା । ତାଙ୍କ ପାଖରେ ଯାହା କିଛି ଥିଲା ସେ ସବୁ ଖର୍ଚ୍ଚ କରି ଗୋଟିଏ ସାଇକେଲ କିଣିଥିଲେ ।

ଆଗାମୀ ୪ ମାସ ଧରି ସେ ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ତୁର୍କୀ ପାର କରି ସ୍ୱିଡେନ ପହଞ୍ଚିଥିଲେ । ରାସ୍ତାରେ ଅନେକ ଥର ସାଇକେଲ ଭାଙ୍ଗିଯାଇଥିଲା । ଅନେକ ସମୟ ବିନା ଖାଇବାରେ ସେ ରାତିରାତି ସାଇକେଲ ଚଲାଇଥିଲେ । ତେବେ ଏତେ ଅସୁବିଧା ପରେ ବି ତାଙ୍କ ସାହସ ଭାଙ୍ଗିନଥିଲା । ପିକେ ମହାନନ୍ଦିଆ ୧୯୭୭ ମେ ୨୨ରେ ତାଙ୍କର ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ପ୍ରତ୍ୟେକ ଦିନ ସେ ସାଇକେଲରେ ୭୦ କିଲୋମିଟର ଯାତ୍ରା କରୁଥିଲେ । ପିକେ କୁହନ୍ତି ମୋର କଳା ମୋତେ ଅନେକ ଦିନ ଯାଏ ବଞ୍ଚାଇଦେଇଥିଲା । ରାସ୍ତାରେ ଅନେକ ଲୋକଙ୍କ ଚିତ୍ର କରିବା ସହ ସେମାନଙ୍କ ପାଖରୁ କିଛି ଅର୍ଥ ସେ ପାଇଯାଉଥିଲେ । କେହି କେହି ବେଳେ ବେଳେ ତାଙ୍କୁ ଖାଦ୍ୟ ଏବଂ ରହିବା ପାଇଁ ଜାଗା ମଧ୍ୟ ଦେଉଥିଲେ ।

ମେ ୨୮ ତାରିଖରେ ସେ ଇସ୍ତାନବୁଲ ଦେଇ ଭିଏନା ବାଟରେ ୟୁରୋପରେ ପ୍ରବେଶ କରିଥିଲେ । ଗୋଥେନବର୍ଗରେ ସେ ନିଜ ପତ୍ନୀ ଚାର୍ଲେଟଙ୍କୁ ଭେଟି ବିବାହ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ୟୁରୋପର ସଂସ୍କୃତି ବାବଦରେ ଅଜ୍ଞ ଥିଲି । ମୋ ପାଇଁ ଏସବୁ ନୂଆ ଥିଲା । ତେବେ ମୋ ପତ୍ନୀ ମୋ ସହ ଉପସ୍ଥିତ ଥିଲେ । ମୁଁ ଆଜି ବି ସେତିକି ତାଙ୍କୁ ପ୍ରେମ କରେ ଯେତିକି ୧୯୭୫ରେ କରୁଥିଲି । ବର୍ତ୍ତମାନ ଚାର୍ଲେଟ ଏବଂ ପିକେ ମହାନନ୍ଦିଆ ନିଜର ଦୁଇ ପିଲାଙ୍କ ସହ ସ୍ୱିଡେନରେ ରହୁଛନ୍ତି । ପିକେ ଆଜି ମଧ୍ୟ ଜଣେ କଳାକାର ଭାବେ ନିଜର କାମ ଜାରିରଖିଛନ୍ତି ।