ଚନ୍ଦକାରେ ମନ ଚୋରି ହେଲା, ହୀରା ପାଖରେ ହୃଦୟ ହଜିଲା । ପ୍ରଥମ ଦେଖାରେ ନନ୍ଦନକାନନ ପ୍ରେମିକାକୁ ଦିଲ୍ ଦେଇଦେଲେ ଦୁଇ ଦନ୍ତା…
କନକ ବ୍ୟୁରୋ: ଚନ୍ଦକା ! ବିଶାଳ ଘଞ୍ଚ ଜଙ୍ଗଲ । ସବୁଠି ସବୁଜିମାର ସମ୍ଭାର । ବଡ ବଡ ଗଛ, ପାହାଡିଆ ରାସ୍ତା । ଏଠି ବର୍ଷା ହୁଏ, ବୈଶାଖ ଆସେ, ବସନ୍ତର ଛୁଆଁରେ ବି ପତ୍ରଝଡା ଥୁଣ୍ଟାଗଛରୁ ପତ୍ର ପ୍ଲାବିତ ହୁଏ । ଜଙ୍ଗଲ ହସେ, ଜଙ୍ଗଲ ବଣୁଆ ମହକ ବାଣ୍ଟେ… ଜଙ୍ଗଲରେ ଜନ୍ମ ନିଅନ୍ତି ଜନ୍ତୁ, ଜୀବନ ବି ଏଇ ଜଙ୍ଗଲରେ ଯାଏ । ଆଉ ଏଇ ଜଙ୍ଗଲରେ ବି ହୋଇଯାଏ ପ୍ରେମ, ହଜିଯାଏ ହୃଦୟ । ଠିକ ଯେମିତି ସେଦିନ ରାତିର କିଟମିଟ ଅନ୍ଧାରରେ ହୃଦୟ ହଜାଇ ଦେଇଥିଲା ଦନ୍ତା । ପ୍ରଥମ ଦେଖାରେ ଦେଇ ଦେଇଥିଲା ମନ । ଆଖିରେ ଆଖି ମିଶିବା ପରେ ବିଶାଳ ଦେହରେ ବହିଥିଲା ପ୍ରେମର ପବନ । ନନ୍ଦନକାନନନ ପାଚେରୀ କଡରେ ଲେଖାହୋଇଥିଲା ପ୍ରେମର ନୂଆ ପରିଭାଷା । ଆଉ ଚନ୍ଦକାର ଛାତି ସାରା ଛପା ହୋଇଥିଲା ହୃଦୟ ହଜାଇବାର ଚିହ୍ନ… ଖାଲି ପ୍ରେମ ଆଉ ପ୍ରେମ..
ମଣିଷ ପରି ହାତୀ ବି ଦିଏ ହୃଦୟ । ହଜାଏ ମନ, କରେ ପ୍ରେମ ନିବେଦନ । ଇଏ ମାଈହାତୀ ହୀରା, ଆଉ ଏମାନେ ଜଙ୍ଗଲୀ ଦନ୍ତା । ବୁଧବାର ୨ ବଣୁଆ ହାତୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅନୁପ୍ରବେଶ କରିଥିଲେ । ଜଙ୍ଗଲୀ ହାତୀଙ୍କ ଅନୁପ୍ରବେଶ କିଛି ନୂଆ ନୁହେଁ, ୨୦୧୫ରୁ ଏହି ଅନୁପ୍ରବେଶ ଚାଲି ଆସିଛି । ଚନ୍ଦକାରେ ଚାଲୁଚାଲୁ ପାଦ ଯେତେବେଳେ ଅବାଟରେ ଯାଇଛି, ଘନ ଅନ୍ଧାରରେ ଦୁହେଁ ବାଟବଣା ହୋଇଛନ୍ତି । ସେତେବେଳେ ଅଜଣା ପାଚେରୀ ପାଖରେ ଅଟକିଯାଇଛି ସେମାନଙ୍କ ପାଦ । ରାତି ସରି ସରି ଆସୁଛି, ସକାଳ ଆସିବ ଆସିବ ବୋଲି ସଜ ହେଉଛି । ଆଉ ଏହି ମଝାମଝି ମୁହୂ୍ତ୍ତରେ ନନ୍ଦନକାନନର ହାତୀଶାଳା ଉପରେ ଦୁଇ ଦନ୍ତାଙ୍କ ନଜର ପଡିଲା । ଆଖି ସହ ଆଖି ମିଶିଲା, ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଗଲା । ବାସ୍ ତାପରେ ନୂଆ ସକାଳ ଉଇଁବା କ୍ଷଣି ବଣୁଆ ହାତୀଙ୍କ ମନରେ ପ୍ରେମର ନୂଆ ଆଶା ଉଇଁଲା । ଆଉ ସେମାନେ ନନ୍ଦନକାନନ ପାଚେରୀ ପାଖ ଛାଡିବାକୁ ନାରାଜ । କେମିତି ବା ଛାଡନ୍ତେ ଯେ, ନନ୍ଦନକାନନ ପାଚେରୀ ସେପାଖେ ପରା ନୂଆ ପ୍ରେମିକା ଛିଡା ହୋଇଛି । ହଁ କହୁ କି ନା କହୁ… ହୃଦୟ ତ ତାକୁ ହିଁ ଦେଇଛି…
ନନ୍ଦନକାନନର ହାତୀଶାଳାରେ ବନ୍ଧା ହୋଇଥିଲେ ଦୁଇ ବୟସ୍କ ହାତୀ ପ୍ରେମା ଓ ବାସନ୍ତୀ ତ ଥିଲେ । ହେଲେ ୨୪ ବର୍ଷର ହାତୀ ହୀରା ଉପରେ ଥିଲା ଦନ୍ତାର ନଜର । ହୀରାକୁ ଦେଖିବା ପରେ ହିଁ ତା ପ୍ରେମରେ ପାଗଳ ହୋଇଥିଲେ ସେମାନେ, ହଜାଇ ଦେଇଥିଲେ ହୃଦୟ । ମଣିଷ ହୋଇଥିଲେ ସିନା ଆଇ ଲଭ ୟୁ କହି ପ୍ରପୋଜ୍ କରିଥାନ୍ତେ । ହେଲେ ସେମାନେ ତ ହାତୀ, କେମିତି ବା କହିବେ ମୁଁ ତୁମକ ଭଲପାଏ ବୋଲି । ତେଣୁ ନିଜ ଅନ୍ଦାଜରେ ଶୁଣ୍ଢ ଟେକି ଗର୍ଜନ କରି ପ୍ରପୋଜ କରନ୍ତି ଦୁଇ ଦନ୍ତା । ଆଉ ହୀରା ସେମାନଙ୍କ ପ୍ରେମର ପରିଭାଷା ପଢିପାରି, ହାତୀର ହାର୍ଟବିଟ୍ ଶୁଣିପାରି ସେମାନଙ୍କୁ ହଁ ନାର ଇସାରା ଦିଏ…
ପାଚେରୀ ସେପଟେ ପ୍ରେମର ପ୍ରତୀକ୍ଷା, ପାଚେରୀ ଏପଟେ ଇସାରର ଅପେକ୍ଷା । ହୀରା ହଁ କହିବ ନା ନା… ଗୋଟେପଟେ ଦୁଇ ଦନ୍ତା ପ୍ରେମରେ ମସଗୁଲ ଥିବାବେଳେ ଅନ୍ୟପଟେ ହାତୀସଫାରୀର ଦୁଇ ବୟସ୍କା ମାଈହାତୀ ଦନ୍ତାଙ୍କ ଦୌରାତ୍ମ୍ୟ ବୁଝିପାରି ଗର୍ଜନ କରୁଛନ୍ତି । କାଳେ ତାଙ୍କ ହୀରାର ମନ କିଏ ଚୋରେଇ ନେବ । ଆଉ ତାଙ୍କ ଗର୍ଜନ ଶୁଣି ନନ୍ଦନକାନନ ମାହୁନ୍ତ ଓ କର୍ତ୍ତୃପକ୍ଷ ଆସି ଦୁଇ ହାତୀକୁ ଯେତେ ଘଉଡାଇଲେ ବି ସେମାନେ ଯିବାକୁ ନାରାଜ । ବଞ୍ଚ ଜଙ୍ଗଲରେ ଲୁଚିଯାଇ ପୁଣି ହୀରାକୁ ଲୁଚିଲୁଚି ଦେଖିବାକୁ ଫି ଦିନ ଫେରିଆସୁଛନ୍ତି ।
ଦର୍ଶକ ବନ୍ଧୁ ପ୍ରେମର ନିଶା ସମସ୍ତଙ୍କୁ ଘାରେ… ମଣିଷ ହେଉ କି ପଶୁ ପ୍ରେମ କେମିତି ବି କାହା ସହ ହୋଇପାରେ…? ହୃଦୟ କେଉଁଠି ହଜିପାରେ…? ଏଇ ଯେମିତି ହାତୀଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ । ଏଠି କିଏ ଜିତିବ…? କିଏ ହାରିବ…? କିଏ ହୀରାର ହୃଦୟରେ ରାଜ କରିବ…? ତାହା କେବଳ ଜଙ୍ଗଲ ହିଁ ଜାଣିବ, ଚନ୍ଦକା ହିଁ ସାକ୍ଷୀ ରହିବ…