ତୋ ଆଖିରେ ମୁଁ, ମୋ ଆଖିରେ ତୁ... ବିନା ଶବ୍ଦରେ ସୁନ୍ଦର ହେବ ସଂସାର । ଏଇଠୁ ଆରମ୍ଭ ଦିବ୍ୟାଙ୍ଗ ଯୋଡିଙ୍କ ନୂଆ କାହାଣୀ...

ତୋ ଆଖିରେ ମୁଁ, ମୋ ଆଖିରେ ତୁ... ବିନା ଶବ୍ଦରେ ସୁନ୍ଦର ହେବ ସଂସାର । ଏଇଠୁ ଆରମ୍ଭ ଦିବ୍ୟାଙ୍ଗ ଯୋଡିଙ୍କ ନୂଆ କାହାଣୀ...

କନକ ବ୍ୟୁରୋ: ତୋ ଆଖିରେ ମୁଁ, ମୋ ଆଖିରେ ତୁ... ତୋ ଛାତିରେ ମୁଁ, ମୋ ଛାତିରେ ତୁ... ତୁମେ ଜହ୍ନ ହେଲେ ମୁଁ ତୁମ ନୀଳ କଇଁ, ତୁମେ ମେଘ ହେଲେ ମୁଁ ନାଚିବି ମୟୂରୀ ହୋଇ... ଠାରରେ ଠାରରେ ମନ ତଳର ଭାଷାକୁ ମନର ମଣିଷ ଆଗରେ କହିବା ବେଳେ ବୋଲ ମାନୁନି ଆଖି, କାବୁରେ ରହୁନି ଲାଜେଇ ହସ । ଏ ହସ ହୃଦୟର ମଣିଷକୁ ପାଇବା ପରର, ହାତଗଣ୍ଠି ପଡିବା ପରର । ଦିବ୍ୟାଙ୍ଗ ହୋଇ ବି ଦୁହେଁ ଦୁହିଁଙ୍କୁ ପାଇବା ପରେ ବେଶ ଖୁସି ଅଛନ୍ତି ସସ୍ମିତା ଓ ପତିତପାବନ । ଏମିତି ଲାଗୁଛି ଏ ଯୋଡି ଜନ୍ମ ଜନ୍ମର... ସତେକି ବିଧାତା ଏମାନଙ୍କୁ ଗଢିଛନ୍ତି ଜଣେ ଜଣଙ୍କ ପାଇଁ...

ଗତ ରବିବାର ଦିନ ଦୁଇ ଦିବ୍ୟାଙ୍ଗ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାଲେଶ୍ୱର ଜିଲ୍ଲା ବାହାନଗା ଅସିମିଳା ଗାଁର ପତିତପାବନ ମଲ୍ଲିକ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ସସ୍ମିତା ନାୟକଙ୍କୁ ବାହା ହୋଇଥିଲେ । ସୋର କୁଶଳେଶ୍ୱର ଶିବ ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ହୋଇଥିଲା । ଆଉ ଲାଲ ଟୁକୁଟୁକୁ ସାଧବ ବୋହୂ ସସ୍ମିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନମର ସାଥୀ କରିଥିଲେ ପତିତପାବନ । ବରକନିଆ ଦୁହେଁ ବାକ୍ ବାଧିତ ହୋଉଥିବାରୁ କଥା କହିବାକୁ ଅସମର୍ଥ । ତେଣୁ ହାତର ଠାରରେ ହୃଦୟର କଥା କହି ସାରା ଜୀବନ ସାଥିରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ଦିବ୍ୟାଙ୍ଗ ଯୋଡିଙ୍କ ବିବାହ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ନବଦମ୍ପତ୍ତିଙ୍କୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଭଗବାନଙ୍କ ଆଶିର୍ବାଦ ନେଇ ନୂଆ ଜୀବନ ଆରମ୍ଭ କରିଥିବା ସସ୍ମିତା ଓ ପତିତପାବନଙ୍କ ଇଏ ହେଉଛି ରିସେପସନ ବେଳର ଦୃଶ୍ୟ । ସମ୍ପର୍କର ସୂତା ଖିଅରେ ଯୋଡି ହୋଇଥିବା ପ୍ରେମପକ୍ଷୀ ଦୁହେଁ ଦୁହିଁଙ୍କୁ ପାଇ ବେଶ ଖୁସି ଅଛନ୍ତି । ଯାହା ତାଙ୍କର ଏ ଖୁସି ମୁହୂର୍ତ୍ତର ଦୃଶ୍ୟ ହିଁ ବଖାଣୁଛି । ବାବୁ- ସସ୍ମିତାଙ୍କ ବିବାହରେ ସାରା ପରିବାର ଖୁସି ଥିବାବେଳେ ଏହି ଚର୍ଚ୍ଚିତ ଯୋଡିଙ୍କୁ ଦେଖିବାକୁ ଭୁବନେଶ୍ୱରରୁ ବି ସାଙ୍ଗମାନେ ପହଞ୍ଚିଥିଲେ ।

ଜୀବନରେ ଖୁସିରେ ରହିବାକୁ ଧନଦୌଲତ ଲୋଡାନାହିଁ, ଲୋଡାନାହିଁ ବି ବ୍ୟାଙ୍କ୍ ବାଲାନ୍ସ... ଦରକାର ଖାଲି ସୁନ୍ଦର ମନଟେ, ସୁନ୍ଦର ସାଥୀଟେ... ଆଉ ସାଥୀ ଓଠରେ ଚେନାଏ ନିର୍ଭେଜାଲ ହସ... ବାସ୍ ତାପରେ ଅକ୍ଷମ ବି ସକ୍ଷମ ହୋଇଯିବ । ସସ୍ମିତା ଓ ପତିତପାବନ ତାର ମୂକସାକ୍ଷୀ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe