କନକ ବ୍ୟୁରୋ : ପ୍ରତିଶୋଧ ପାଇଁ ପ୍ରେମିକ କେମିତି ସଇତାନ ସାଜିପାରେ, ସେ ନେଇ ଏକ ଅଭିଯୋଗ ଆସିବା ପରେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ସିତେଶ ନାମକ ଜଣେ ବିବାହିତ ଯୁବକ ଜଣେ ଯୁବତୀଙ୍କୁ ଅବିବାହିତ କହି ସମ୍ପର୍କ ରଖିଥିଲେ । ହେଲେ ସତ ଜାଣିବା ପରେ ଦୂରେଇ ଯାଇଥିଲେ ସେହି ଯୁବତୀ । ସମ୍ପର୍କ ଭାଙ୍ଗିଯିବା ପରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ସହ ଥିବା ତାଙ୍କର ଅନ୍ତରଙ୍ଗ ମୁହୁର୍ତର ଭିଜୁଆଲକୁ ଭାଇରାଲ କରି ଦେଇଥିଲେ ପ୍ରେମିକ ସିତେଶ । ଯୁବତୀଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି ପୋଲିସ ।

“ମୋ ପ୍ରେମିକ ଧୋକାବାଜ । ଜୀବନରେ ଯାହାକୁ ସବୁଠୁ ବେଶୀ ଭଲ ପାଉଥିଲି, ସେ ମୋ ବିଶ୍ୱାସରେ ବିଷ ଦେଇଦେଲା । ଅଢ଼େଇ ବର୍ଷ ଧରି ଅନ୍ଧ ଭଳି ଯାହାକୁ ଜୀବନ ସାଥୀ କରିବା ପାଇଁ ସ୍ୱପ୍ନ ଦେଖିଥିଲି, ସେ ମୋ ଅନ୍ତରଙ୍ଗ ମୂହୂର୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ମୋତେ ସମାଜରେ ବଦନାମ କରିଦେଲା । ‘

ପ୍ରତିଶୋଧ ପାଇଁ ଭିଡିଓ ଭାଇରାଲ । ପ୍ରେମିକ କରୁଥିଲା ବ୍ଲାକମେଲିଂ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ସିତେଶ କୁମାର ପ୍ରଧାନ ତାଙ୍କୁ ଅଢ଼େଇ ବର୍ଷ ଧରି ପ୍ରେମ କରୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ବି ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା, ସୀତେଶ ଆଗରୁ ବିବାହିତ ଓ ପରେ ଛାଡ଼ପତ୍ର ମଧ୍ୟ ସରିଛି । ଏପରିକି ଏକାଧିକ ଯୁବତୀଙ୍କ ସହ ସୀତେଶ ସମ୍ପର୍କରେ ଥିବା ଜାଣିବା ପରେ ଯୁବତୀ ଜଣକ ତାଙ୍କ ଠାରୁ ଦୂରେଇ ଆସିଥିଲେ । ଆଉ ସବୁକିଛି ସମାଧାନ କରିବାକୁ କହି ସୀତେଶ ଯୁବତୀଙ୍କୁ ଡାକି ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ । କହିଥିଲେ ସମ୍ପର୍କ ନରଖିଲେ ଭିଡିଓ ଭାଇରାଲ କରିଦେବି । ଆଉ ସତରେ ଭିଡିଓ ଭାଇରାଲ ମଧ୍ୟ କରିଦେଇଥିଲେ ।

ଯୁବତୀ ଜଣକ ଏନେଇ ଭୁବନେଶ୍ୱରର ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଏଭଳି ସଙ୍ଗୀନ ଓ ସାଂଘାତିକ ଅଭିଯୋଗର ତଦନ୍ତ କରି ପୋଲିସ୍ ଅଭିଯୁକ୍ତ ସୀତେଶ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତାଙ୍କ ବିରୋଧରେ ଦଫା ୩୪୧, ୨୯୪, ୩୫୪, ୩୨୩, ୩୫୪-ଡି ଏବଂ ୫୦୬ରେ ମାମଲା ରୁଜୁ ହୋଇଛି ।