ପ୍ରେମ ନୁହେଁ ଘୃଣା ବାଣ୍ଟୁଛି ବିଜେପି । ପ୍ରେମ ଏକ ବ୍ୟକ୍ତିଗତ ଜିନିଷ । ଏହା ଉପରେ ରୋକ୍ ଲଗାଇବାକୁ ସମ୍ବିଧାନ କାହାକୁ ହକ୍ ଦେଇନାହିଁ

1,654

କନକ ବ୍ୟୁରୋ : ଦେଶରେ ବେରୋଜଗାରୀ, କରେନା ମହାମାରୀ, ଅର୍ଥ ବ୍ୟବସ୍ଥାକୁ ନେଇ ବ୍ୟବସ୍ଥା ଚୁପ୍ ଥିବା ବେଳେ ଲଭ୍ ଜିହାଦ ଏବେ ଦେଶର ମୁଖ୍ୟ ବିତର୍କିତ ବିଷୟ ବସ୍ତୁ ପାଲଟିଛି । ବିଜେପି ଶାସିତ ଉତରପ୍ରଦେଶ, ହରିଆଣା ଓ କର୍ଣ୍ଣାଟକ ଭଳି କିଛି ରାଜ୍ୟ ଏହାକୁ ଆଇନତ ଅପରାଧ ବୋଲି ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ଏହାକୁ ନେଇ ପଶ୍ଚିମବଙ୍ଗର ତୃଣମୂଳ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁ କ୍ଷୁବ୍ଧ ହେବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ପ୍ରେମ ଓ ଜେହାଦ ଏକ ସମୟରେ କେବେ ବି ସମ୍ଭବ ନୁହେଁ । ପ୍ରେମ ଏକ ବ୍ୟକ୍ତିଗତ ବିଷୟ ଓ ବିଜେପି ପ୍ରେମ କରିବା ଶିଖୁ ବୋଲି ସେ କହିଛନ୍ତି ।

ବିଜେପି ଲଭ୍ ଜେହାଦ ଆଇନ୍ ଆଣି ସାରା ଦେଶରେ ବିଷମଞ୍ଜି ବୁଣିବାକୁ ଯାଉଛି ବୋଲି ନୁସରତ କହିଛନ୍ତି । ସାରା ଦେଶରେ ଦିନକୁ ଦିନ ବଢିଚାଲିଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ କେବେ ବି ପଦୁଟିଏ କହିନଥିବା ବିଜେପି ନେତା ମାନେ ଏବେ ଲଭ୍ ଜେହାଦ ଆଇନ ଆଣିବାକୁ ଯାଉଛନ୍ତି । ଯାହା ଦ୍ୱାରା ଦେଶର ଯୁବପିଢୀଙ୍କୁ ପ୍ରେମ କରିବାରୁ ବିରତ ରହିବାକୁ ବିଜେପି ବାଧ୍ୟ କରୁଛି । ପ୍ରେମ ଏକ ବ୍ୟକ୍ତିଗତ ଜିନିଷ । ଦେଶରେ ଭାଇଚାରାକୁ ନଷ୍ଟ କରିବାକୁ ବିଜେପି ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଲଭ୍ ଜେହାଦ ବାବଦରେ ସେ କହିଛନ୍ତି କି ହିନ୍ଦୁ ଯୁବକ କ’ଣ ହିନ୍ଦୁ ଯୁବତୀକୁ ଭଲ ପାଇ ପ୍ରତାରଣା କରୁନାହିଁ କି ? । ହିନ୍ଦୁ ଯୁବକ ହିନ୍ଦୁ ଝିଅକୁ ବିବାହ କରି କ’ଣ ଯାତନା ଦେଉ ନାହିଁ କି ? ହିନ୍ଦୁ ଯୁବକ କ’ଣ ଯୌତୁକ ଲୋଭରେ ସ୍ତ୍ରୀ କୁ ହତ୍ୟା କରୁ ନାହିଁ କି ? । ଯଦି ହଁ ତେବେ କେବଳ ମୁସଲିମ୍ ଯୁବକ ମାନେ କ’ଣ ପାଇଁ ଦଣ୍ଡିତ ହେବେ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ନୁସରତ । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିଆଣା, କର୍ଣ୍ଣାଟକ ଭଳି ରାଜ୍ୟ ଏବେ ଲଭ୍ ଜେହାଦ ବିରୋଧରେ ଆଇନ ଆଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ନୁସରତ ତାହାକୁ ବିରୋଧ କରିଛନ୍ତି । ମଧ୍ୟପ୍ରଦେଶ ସରକାର ଆଗାମୀ ଅଧିବେସନରେ ଏହି ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ସୂଚନା ଥାଉକି ନୁସରତ ଏକ ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ ବି ସେ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ମୁସଲମାନ ମୌଳବାଦୀଙ୍କ ସମାଲୋଚନାରେ ଶିକାର ହେବାକୁ ପଡୁଛି । ସେ ହିନ୍ଦୁ ପରିବାରରେ ବିବାହ କରିଥିବାରୁ ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୂତ୍ର ପିନ୍ଧନ୍ତି । ଯାହାକୁ କି ମୁସଲମାନ ସଂପ୍ରଦାୟର ଲୋକମାନେ ନିନ୍ଦା କରୁଛନ୍ତି । ଚଳିତ ଦୁର୍ଗାପୂଜା ସମୟରେ ସେ ମା’ ଦୁର୍ଗାଙ୍କ ବ୍ରତ ରଖିଥିଲେ । ଏନେଇ କିଛି ମୌଳବାଦୀ ତାଙ୍କୁ କ୍ଷମା ମାଗିବାକୁ ଧମକ୍ ଦେଇଥିଲେ । ହେଲେ ନୁସରତ କ୍ଷମା ମାଗିବାକୁ ସ୍ପଷ୍ଟ ମନା କରିଦେଇଥିଲେ ।