ରାଜଧାନୀରେ ରହସ୍ୟମୟ ଛୁରାମାଡ । ଦୁଇ ପଡୋଶୀ ପରସ୍ପରକୁ କଲେ ଆକ୍ରମଣ ।

126

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଏକ ରହସ୍ୟମୟ ଛୁରାମାଡ ଘଟଣା ଘଟିଛି । ଜଣେ ପଡୋଶୀ ଯୁବକ, ଆଉ ଜଣଙ୍କ ଘରେ ମହିଳା ବେଶରେ ପଶିବା ମାତ୍ରେ, ଛୁରା ମାଡ ଆରମ୍ଭ ହୋଇଯାଇଥିଲା । ଏଥିରେ ଘରେ ଥିବା ମାଆ ଓ ଝିଅ ଆହତ ହୋଇ, ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣକ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଉଭୟ ପକ୍ଷରୁ ପରସ୍ପର ଉପରେ ଦୋଷାରୋପ କରାଯାଇଛି ।

ସମୟ ଦିନ ସାଢେ ୧୨ଟା । ସ୍ଥାନ ଶୈଳଶ୍ରୀ ବିହାର ଭିଆଇଏମ୍-୧୮୬ । ହଠାତ୍ ଘର ଭିତରକୁ ପଶିଗଲେ ଯୁବତୀ ବେଶରେ ଜଣେ ହଟାକଟା ଯୁବକ । ଯୁବକ ଜଣଙ୍କ ଯୁବତୀଙ୍କ ଭଳି ବେଶଭୂଷା ହୋଇଥିଲେ । ମୁଣ୍ଡରେ ହେଲମେଟ, ପାଦରେ ମହିଳା ଚପଲ ଆଉ ହାତରେ ଥିଲା ମାରାଣାସ୍ତ୍ର । ଘରର କଲିଂ ବେଲ୍ ମାରିଲେ ଆଉ ଶବ୍ଦ ଶୁଣି ଘର ଭିତରୁ ମା’ ଓ ଝିଅ ବାହାରକୁ ଆସିଲେ । ପୋଲିସର ସୂଚନା ଅନୁସାରେ କିଛି ବୁଝିବା ଆଗରୁ ମାଆ ଓ ଝିଅଙ୍କୁ ଚୋଟ ପକାଇଥିଲେ ଯୁବକ ଜଣଙ୍କ । ଆଉ ନିଜକୁ ରକ୍ଷା କରିବାକୁ ଯାଇ ମାଆ ଆଉ ଝିଅ ମଧ୍ୟ ଯୁବକଙ୍କୁ ହାଣିଥିଲେ । କିଛି ସମୟର ଧସ୍ତାଧସ୍ତି ପରେ ଜଣାପଡିଥିଲା ମହିଳା ବେଶରେ ମରଣାନ୍ତକ ଆକ୍ରମଣ କରିଥିବା ଏହି ଯୁବକ ହେଉଛନ୍ତି ପଡୋଶୀ ରୁପେଶ ପଣ୍ଡା ।

ଛୁରା ମାଡରେ ମାଆ, ଝିଅ ଆହତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରୁପେଶ ପଣ୍ଡା ମଧ୍ୟ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଉଭୟ ପଡୋଶୀଙ୍କ ଭିତରେ ଛୁରୀ ମାଡ ହୋଇଛି । ହେଲେ ପ୍ରଥମେ କିଏ, କାହାକୁ, କାହିଁକି ଆଉ କେଉଁ ଉଦ୍ଦେଶ୍ୟରେ ଛୁରା ମାଡ କରିଛି ତାହା ଏବେବି ରହସ୍ୟ ଘେରରେ ରହିଛି । ଅନ୍ୟପଟେ ରୁପେଶ ପଣ୍ଡା କହିଛନ୍ତି, କିଛି ଯୁବକ ତାଙ୍କୁ ଅପହରଣ କରି ଜୋର ଜବରଦସ୍ତ ପଡୋସୀଙ୍କୁ ଆକ୍ରମଣ କରିବା ପାଇଁ ବାଧ୍ୟ କରିଥିଲେ । ରାଜଧାନୀର ଶୈଳଶ୍ରୀ ବିହାରରେ ଏହି ରହସ୍ୟମୟ ଛୁରା ମାଡ କେମିତି ଆରମ୍ଭ ହେଲା ଓ କାହିଁକି ହେଲା, ତାହା ଧିରେ ଧିରେ ଆହୁରୀ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।