ପ୍ରେମର କାହାଣୀ ଉପରେ ମାଡିଗଲା କରମଣ୍ଡଳ । ଧକ୍କା ଖାଇ ଛିଟକି ପଡିଲା ପ୍ରୀତିର ଶେଷ ସନ୍ତକ । କ୍ଷତାକ୍ତ ଅବସ୍ଥାରେ ରେଳ ଧାରଣାରୁ ଉଦ୍ଧାର ଏ କବିତା କାହାର ?

925

କନକ ବ୍ୟୁରୋ: ମୃତ୍ୟୁର ଟ୍ରାକରେ ମନର କଥା । ରକ୍ତ ଜୁଡୁବୁଡୁ ପ୍ରେମର ଚିଠି… ସବୁଦିନ ପରି ସେଦିନ ବି ଛୁକ୍ ଛୁକ୍ ଶବ୍ଦ କରି ରେଳ ଧାରଣା ଉପରେ ଧାଉଁଥିଲା କରମଣ୍ଡଳ । ମୁହଁ ସଞ୍ଜର ଅନ୍ଧାର ଚିରି ୧୨୮ କିମି ବେଗରେ ଆଗକୁ ଆଗକୁ ମାଡିଯାଉଥିଲା ଟ୍ରେନ । ରେଳ ସହ ତାଳ ଦେଇ ଆଗକୁ ବି ବଢୁଥିଲା ହଜାର ହଜାର ଯାତ୍ରୀଙ୍କ ସ୍ୱପ୍ନ, ସମ୍ଭାବନା, ଆଶା ଓ ଉଦ୍ଦୀପନା । ହେଲେ ହଠାତ୍ ଲୁହାର ଟ୍ରାକରେ ଦୌଡୁଥିବା ଲୁହାର ଶଗଡିଟା ଦୁର୍ଘଟଣାଗ୍ରସ୍ତ ହେବା ପରେ ବିପର୍ଯ୍ୟସ୍ତ ହୋଇ ପଡିଥିଲା ପ୍ରାଣହୀନ ଶରୀର । ଏତେତେଣେ ଛିଟକି ପଡିଥିଲା ଦେହର ଛିନ୍ନ ଖଣ୍ଡମାନ । ବିଦାରି ହୋଇ ବିଛାଡି ପଡିଥିଲା ଆହତମାନଙ୍କ ମାଂସଖଣ୍ଡ । ଆଉ ୟାରି ଭିତରେ ଶକ୍ତ ଦୁର୍ଘଟଣାର ଶିକାର ହୋଇ ଆହତ ବି ହୋଇଥିଲା ଏକ ଅଭିଶପ୍ତ ପ୍ରେମକାହାଣୀ । ମୃତ୍ୟୁର ଉପତ୍ୟାକାରେ ରକ୍ତ ଜୁଡୁବୁଡୁ ହୋଇ ରେଳ ଧାରଣା କଡରେ ଏ ପ୍ରେମର କବିତା ଉଦ୍ଧାର ପାଇଁ ଆର୍ତ୍ତ ଚିକ୍ରାର ବି କରୁଥିଲା । କିନ୍ତୁ ନିର୍ଜୀବ ଏ ବସ୍ତୁର ବେଦନା ସେହି ବାହାନଗାରେ ହିଁ ଅଟକିଗଲା । ଚିଠି ଚକା ତଳେ ଚିରିଗଲା, କବିତାକୁ କରମଣ୍ଡଳ କାଟିଦେଇଗଲା ।

ମୃତ୍ୟୁର ଟ୍ରାକ ଉପରେ ପଡିଥିବା ମୁକୁଳା ବ୍ୟାଗ ପାଖରୁ ଏ ଡାଏରୀ ଉଦ୍ଧାର ହେବା ପରେ ସାମ୍ନାକୁ ଆସିଥିଲା ଗୋଟେ ଦୁର୍ଘଟଣାଗ୍ରସ୍ତ କ୍ଷତାକ୍ତ ପ୍ରେମର କାହାଣୀ । ଯେଉଁଠି ଲୁହାର ଟ୍ରାକ ଉପରେ ଲହୁଲୁହାଣ ଲାଲ ଗୋଲାପ । ଗୁରୁତର ଡାଏରୀର ପ୍ରତିଟି ପୃଷ୍ଠାରେ ଆହତ ଅକ୍ଷରମାନେ ଗୋଟେ ମୃତ୍ୟୁ ମୁହାଁ ନିରବ ପ୍ରେମକୁ ମୁଖାଗ୍ନୀ ଦେବାକୁ ଯନ୍ତ୍ରର ଚକ ତଳେ ଜୁଇ ସଜାଡୁଥିଲେ । ଲେଖା ସିନା ଅଛି, ହେଲେ ଲେଖକର ଖୋଜ ଖବର ନାହିଁ ।
ପୀଡିତ ଫର୍ଦ୍ଦର ଗୋଟିଏ ପାଖରେ ପ୍ରେମ ମନସ୍କ ବ୍ୟକ୍ତଟିଏ ତା ପ୍ରେମିକା ପାଇଁ ହେଉ କିମ୍ବା ତା ପ୍ରେମିକା ପାଇଁ ସଯତ୍ନେ ନିଜ ହାତରେ ଆଙ୍କିଥିଲା ପ୍ରେମର ପ୍ରତୀକ ଗୋଲାପ । ତଳେ ଆଇ ଲଭ ୟୁ, ଉପରେ ଆଇ ମିସ୍ ୟୁ ଲେଖିଥିଲା । ପ୍ରେମ ନିବେଦନର ଏ ପ୍ରଥମ ପୃଷ୍ଠାଟି ଆଜି ପ୍ରାଣହୀନ, ରଙ୍ଗ ବଦଳରେ ନାଲି ଗୋଲାପରେ ଆଜି ରକ୍ତର ଛିଟା । ୨ୟ ପୃଷ୍ଠାରେ ବଙ୍ଗଳାରେ ଲେଖା ହୋଇଥିବା କବିତାରେ ପ୍ରେମୀ ଜଣଙ୍କ ଲେଖିଛନ୍ତି…

“ଅଳ୍ପ ଅଳ୍ପ ବାଦଲରୁ ହାଲକା ହାଲକା ବୃଷ୍ଟି,
ଛୋଟ ଛୋଟ କାହାଣୀରୁ ପ୍ରେମ ହୁଏ ସୃଷ୍ଟି…
ଭଲପାଏ ଏହି ମନ, ତତେ ଚାହେଁ ପ୍ରତିକ୍ଷଣ
ପାଶେ ଥାଆ ତୁ ସକାଳ ସଞ୍ଜେ
କେମିତି ବା ଭୁଲିବ ଏ ମନ…
ତୁ ହିଁ ଯେ ମୋହର ଜୀବନ…”

ଏ କବିତା କିଏ ଲେଖିଛି, କାହା ଉଦ୍ଦେଶ୍ୟରେ ଲେଖା ହୋଇଛି କାହାକୁ ବିନ୍ଦୁ ବିସର୍ଗ ଜଣାନାହିଁ । କିନ୍ତୁ ଏହା ସ୍ପଷ୍ଟ ଏ କବିତା ପ୍ରେମୀଟିଏ ଲେଖିଛି । ହୁଏତ ନିଜ ଆଦ୍ୟ ପ୍ରେମର ପୁରୁଣା ସ୍ମୃତିକୁ ଟ୍ରେନର ଝର୍କାପାଖେ ବସି ପ୍ରେମିକ ଜଣଙ୍କ ରୋମନ୍ଥନ କରୁଥାଇ ପାରନ୍ତି । କାରଣ ଆପଣଙ୍କ ପରି, ମୋ ପରି ଅନେକ ନିଜ ପ୍ରଥମ ପ୍ରେମର ପରିଭାଷା ଓ ପ୍ରତିବେଦନ ଠିକ୍ ଏମିତି ଢଙ୍ଗରେ ହିଁ ପ୍ରେମିକାକୁ ଦେଇଥାଉ ।

ହୁଏତ ପ୍ରେମିକଟିଏ ତା ପ୍ରେମିକାକୁ ଏ କବିତା ଦେଖାଇବାକୁ ଲେଖୁଥାଇପାରେ କିମ୍ବା ପ୍ରେମିକା ତା ପ୍ରେମିକ ପାଖରୁ ତା ହାତ ଲେଖା ଡାଏରୀରେ ନିଜ ପ୍ରେୟସୀ ପାଇଁ ପ୍ରେମର ପୁରୁଷ କଣ ଲେଖିଛି ପଢିବା ଲାଗି ଆଣି ଥାଇପାରେ । ସିଏ ଯାହା ବି ହେଉ ଏ ଲହୁଲୁହର ଲଭ ଲେଟର ଯାହା ପାଇଁ ଲେଖା ହୋଇଛି, ଯଦି ସେ ଦେଖୁଥିବ ତାହାଲେ ସେ କାନ୍ଦି କାନ୍ଦି ମରିବାକୁ ଚାହୁଁଥିବ । ଆଉ ଯିଏ ଲେଖିଛି ସିଏ କାନ୍ଦି କାନ୍ଦି ମରି ସାରିଥିବ । ମୃତ୍ୟୁର ଟ୍ରାକରେ କିନ୍ତୁ ଛଟପଟ ହୋଇ ସେମାନଙ୍କ ପ୍ରେମ କାହାଣୀ ଅମର ହୋଇଯିବ… ଅନେକଙ୍କ ମନରେ ଅଭିଲା ହୋଇ ରହିବ, ଅକ୍ଷତ ଅବସ୍ଥାରେ ସ୍ମୃତିଟିଏ ପରି ସାଇତା ହୋଇ ରହିବ…