କନକ ବ୍ୟୁରୋ: ସିଆରପି ଛକ ହତ୍ୟାକାଣ୍ଡ ପଛରେ ରହିଛି ପ୍ରେମ ଆଙ୍ଗଲ । ମୃତ ଟୁକୁନାଙ୍କ ସାଙ୍ଗ କହିଛନ୍ତ, ଟୁକୁନାଙ୍କ ଭଉଣୀ ସହ ସୁଧୀରର ପ୍ରେମ ସମ୍ପର୍କ ଥିଲା । ଏପରିକି ଶାରୀରିକ ସମ୍ପର୍କର ଅଶ୍ଲୀଳ ଭିଡିଓ ରଖି ଟୁକୁନା ବ୍ଲାକମେଲ କରୁଥିଲା । ଯାହାକୁ ଡିଲିଟ କରିବା ପାଇଁ ବାରମ୍ବାର ସୁଧୀର କହିଥିଲେ ମଧ୍ୟ ଟୁକୁନା ଏହା କରିନଥିଲା । ପରେ ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗିରହିିଲା । ଆଉ ଶେଷରେ ଏହି ତିକ୍ତତା ହିଁ ହତ୍ୟାକାଣ୍ଡର ରୂପ ନେଇଛି ।
ଅନ୍ୟପଟେ ଏନେଇ ଡିସିପି ଉମାଶଙ୍କର ଦାସ ମଧ୍ୟ ପୂରା ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେ, ସାଲିଆ ସାହିର ୩ ଜଣ ବ୍ୟକ୍ତି ସାଗର ପୃଷ୍ଟି, ସୁଧୀର ପୃଷ୍ଟି ଓ ଟୁକୁନା ଦାସ ଏକ ପିକଅପ ଭ୍ୟାନରେ ଆସୁଥିବା ବେଳେ ସିଆରପି ଛକରେ ଅଟକାଇଥିଲେ । ହଠାତ ଗାଡିଟିକୁ ଅଟକାଇ ଦେଇ ସୁଧୀର ଓ ସାଗର ଏକ ଛୋଟ ଖଣ୍ଡା ଭଳି ମାରଣାସ୍ତ୍ରରେ ଟୁକୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଚାନକ ରାସ୍ତା ଉପରେ ଏପରି ହିଂସାକାଣ୍ଡ ଦେଖି ଉତକ୍ଷିପ୍ତ ହୋଇପଡିଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ଗାଡି ପାଖକୁ ମାଡି ଯାଇ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହ ନିସ୍ତୁକ ପିଟିଥିଲେ ।
ଛକ ଉପରେ ଉତ୍ତ୍ୟେକ୍ତ ଲୋକଙ୍କ ଆକ୍ରୋଶ ଜାରି ରହିଥିବା ବେଳେ ଭିଡ ଭିତରୁ ଜଣେ ମହିଳା ପିସିଆରକୁ ଫୋନ କରିଥିଲେ । ଆଖି ଆଗରେ ଏକ ନୃଶଂସ ହତ୍ୟାକାଣ୍ଡ ଦେଖିଥିବା ଲୋକେ ଏତେ ଉତକ୍ଷିପ୍ତ ହୋଇପଡିଥିଲେ ଯେ ଘଟଣାସ୍ଥଳରେ ପହଂଚିଥିବା ପିସିଆରକୁ ଛାଡିନଥିଲେ । ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିଥିଲେ । ଏହାପରେ ୨ରୁ ୩ଟି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ହସ୍ପିଟାଲ ପଠାଇଥିଲେ ।
ତେବେ ଡିସିପି କହିଛନ୍ତି ,୩ ଜଣଙ୍କ ଭିତରେ ଆଗରୁ ବଚସା ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଓ ଆଜି ସକାଳରୁ ମଧ୍ୟ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାପରେ ଟୁକୁନାକୁ ଗାଡିରେ ବସାଇ ନେଇ ଆସିଥିଲେ ସାଗର ଓ ସୁଧୀର । ଗାଡି ଭିତରେ ହିଁ ସେମାନେ ଟୁକୁନାକୁ ଆକ୍ରମଣ କରିଥିଲେ । ମୃତ ଚୁକୁନା ନାଁରେ ଆଗରୁ ମଧ୍ୟ ନୟାପଲୀ ଥାନାରେ ମାରପିଟ ମାମଲା ରହିଛି । ଲୋକଙ୍କ ସହିତ ଗଣ୍ଡଗୋଳ କରିବା ତାର ଅଭ୍ୟାସ ବୋଲି ସାଲିଆ ସାହି ଲୋକେ କହିଛନ୍ତି ।