ତୁ କ୍ୟାଟ୍ରିନା ନୁହଁ କି କରିନା ନୁହଁ… ତୁ ମୋ କବିତା, ମୁଁ ତୋ ତାପସ । ସ୍ୱାର୍ଥପର ଦୁନିଆରେ ସାମ୍ନାକୁ ଆସିଲା ଶାଶ୍ୱତ ପ୍ରେମ କାହାଣୀ । ୨ ଫୁଟର ବରକୁ ୫ ଫୁଟର କନିଆଁ…

583

କନକ ବ୍ୟୁରୋ: ୨ ଫୁଟର ବରକୁ ୫ ଫୁଟର କନିଆଁ । ଏମାନଙ୍କ ପାଇଁ ପ୍ରେମ ହିଁ ଦୁନିଆଁ । ଗାଁରେ ମିଶିଲା ମନ, ମନ୍ଦିରରେ ହେଲା ମିଳନ । ଆଉ ସାତ ଜନମ ପାଇଁ ସାଥି ହୋଇଗଲେ ତାପସ ଓ କବିତା । ପ୍ରେମରେ ଉଚ୍ଚ ନିଚ୍ଚ କିଛି ନଥାଏ, ନଥାଏ ବି ବଡ ସାନ । ବାସ୍ ହୃଦୟ ପଢିପାରୁଥିବା ମଣିଷଟେ ମିଳିଗଲେ ସୁନ୍ଦର ହୁଏ ଜୀବନ । ଏଇକଥାକୁ ବେଶ ଭଲଭାବେ ବୁଝି ନିଜ ଭଲପାଇବାକୁ ସ୍ୱାମୀ ସ୍ତ୍ରୀ ଭାବେ ସ୍ୱୀକୃତି ଦେଇଛନ୍ତି ଦୁହେଁ । ଆଉ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ ।

ମୟୂରଭଞ୍ଜ ମୋରଡା ଅଞ୍ଚଳ ମାଳିହୋତା ଗାଁର ୩୫ ବର୍ଷର ଦିବ୍ୟାଙ୍ଗ ଯୁବକ ତାପସ ରାଉତ ଏବଂ ବାଲେଶ୍ୱର ଜଳେଶ୍ୱର ବ୍ଲକ ରଙ୍ଗାମାଟିଆ ଗାଁର ୨୫ ବର୍ଷର ଯୁବତୀ କବିତା ସିଂହ ଉଭୟ ଉଭୟଙ୍କ ପ୍ରେମରେ ପଡିଥିଲେ । ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କୁ ମନ ଦିଆନିଆ ହୋଇଥିଲେ । ଆଗେ ତାପସ କବିତାଙ୍କୁ ଆଇ ଲଭ ୟୁ କହିବା ପରେ କବିତା ବି ପ୍ରେମ ନିବେଦନକୁ ଗ୍ରହଣ କରି ତାପସଙ୍କୁ କହିଥିଲେ ଆଇ ଲଭ ୟୁ ଠୁ… ବାସ୍ ଇଏ ହେଉଛି ଗୋଟେ ସେହି ସଫଳ ପ୍ରେମର ଗୋଟେ ସୁନ୍ଦର ଦୃଶ୍ୟ ।

ଦିବ୍ୟାଙ୍ଗ ଜାଣି ବି ତାପସଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଛନ୍ତି କବିତା । ଆଦିବାସୀ ସମ୍ପ୍ରଦାୟର ଯୁବତୀ ହୋଇଥିଲେ ହେଁ ସେମାନଙ୍କ ଭିତରେ ନା ଜାତିଗତ ନା ଉଚ୍ଚତାର ତାରତମ୍ୟ । କିଛି ବି ସେମାନଙ୍କ ପ୍ରେମର ରାସ୍ତାରେ କଣ୍ଟା ସାଜିନାହିଁ । ବାରିପଦା କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରିବା ପରେ ମନ୍ଦିରରେ ଉଭୟ ଉଭୟଙ୍କୁ ଫୁଲମାଳ ଦେଇ ବିବାହ କରିଛନ୍ତି ।

ତେବେ ତାପସ ଦିବ୍ୟାଙ୍ଗ ହୋଇ ଅନ୍ୟମାନଙ୍କ ପରି ରୋଜଗାର କରୁଛନ୍ତି । ତିତି ତିନିଟି ଟ୍ରାକ୍ଟର ସହ ଅନ୍ୟ ବ୍ୟବସାୟ କରି ସ୍ୱଚ୍ଛଳ ହୋଇଛନ୍ତି ତାପସ । ଆଉ ଏବେ କବିତାଙ୍କୁ ବିବାହ କରି ତାଙ୍କୁ ଭଲରେ ରଖିବେ ବୋଲି ହୋମ ନିଆଁକୁ ସାକ୍ଷୀ ରଖିଛନ୍ତି ।