ବାଙ୍ଗାଲୋରରେ ଶୁଭିଲା ରହସ୍ୟମୟ ଶବ୍ଦ, ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଭୟଭୀତ ।

ବାଙ୍ଗାଲୋରରେ ଶୁଭିଲା ରହସ୍ୟମୟ ଶବ୍ଦ, ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଭୟଭୀତ ।

କନକ ବ୍ୟୁରୋ : ଶୁକ୍ରବାର ଅପରାହ୍ଣରେ ବାଙ୍ଗାଲୋରରେ ଏକ ଉଚ୍ଚ ଶବ୍ଦ ଶୁଣାଗଲା, ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଗତ ବର୍ଷ ବି ଏମିତି ଏକ ବିସ୍ଫୋରକ ଶବ୍ଦ ଶୁଣାଯାଇଥିଲା। ତେବେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) କହିଛି ଯେ କୌଣସି ଅସ୍ବାଭାବିକ ଘଟଣା ଘଟି ନାହିଁ, ଯେଉଁଥିପାଇଁ ଏ ଶବ୍ଦ ଶୁଣାଯାଇଛି। ତେଣୁ ଭୟ କରିବାର କୌଣସି କାରଣ ନାହିଁ।

ଗତବର୍ଷ ମେ ମାସରେ, ବାଙ୍ଗାଲୋରରେ ଏପରି ଏକ ରହସ୍ୟମୟ ଉଚ୍ଚ ଶବ୍ଦ ଶୁଣାଯାଇଥିଲା, ଯାହାକୁ ନେଇ ଲୋକେ ଭୟଭୀତ ହୋଇଯାଇଥିଲେ ଏବଂ ନାନା ଗୁଜବ ପ୍ରଚାର ହେବାକୁ ମଧ୍ୟ ଆରମ୍ଭ ହୋଇଯାଇଥିଲା। କିନ୍ତୁ ପରେ ଭାରତୀୟ ବାୟୁସେନା କହିଥିଲା ଯେ ଏହା ସୁପରସୋନିକ୍ ପ୍ରୋଫାଇଲ୍ ଥିବା ଏକ ଭାରତୀୟ ବାୟୁସେନାର ଟେଷ୍ଟ ଫ୍ଲାଇଟ୍, ଯାହା ବାଙ୍ଗାଲୋର ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ବେଳେ ଏପରି ଶବ୍ଦ କରିଥିଲା। ଶୁକ୍ରବାରର ଉଚ୍ଚ ଶବ୍ଦ ବିଷୟରେ ଡିସିପି ସାଉଥ୍ କହିଛନ୍ତି ଯେ, ଏହା ଏକ ବିସ୍ଫୋରକ ଶବ୍ଦ ପରି ଲାଗୁଛି। କିନ୍ତୁ ବାସ୍ତବରେ ଭୂମିରେ କିଛି ନାହିଁ। ହାଲ୍ ତେଜସ୍ ଲଢ଼ୁଆ ବିମାନଗୁଡ଼ିକର ଉଡ଼ାଣ ପରୀକ୍ଷା କରୁଛି। ଆଉ ଅଳ୍ପଦିନ ଭିତରେ ସେଗୁଡ଼ିକୁ ସେନାକୁ ହସ୍ତାନ୍ତର କରାଯିବ। ତେଣୁ ତା’ ପୂର୍ବରୁ ଅନ୍ତିମ ଉଡ଼ାଣ ପରୀକ୍ଷା କରାଯାଉଥିବାରୁ ଏପରି ଶବ୍ଦ ଶୁଣାଯାଉଛି। ହାଲ୍ ମୁଖପାତ୍ର ଗୋପାଳ ସୂତାର କହିଛନ୍ତି, ହାଲ୍ ବିମାନବନ୍ଦରରୁ ନିୟମିତ ଭାବେ ଯୁଦ୍ଧବିମାନର ଉଡ଼ାଣ ପରୀକ୍ଷା ହୁଏ। ଆଜି ଏହା ଅଲଗା କିଛି ନ ଥିଲା।

ଅନେକ ବେଙ୍ଗାଲୁରୁ ବାସିନ୍ଦା ଟୁଇଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସହରର ଅନେକ ସ୍ଥାନରେ ଉଚ୍ଚ ଶବ୍ଦ ଶୁଣାଯାଇଥିବା କହିଛନ୍ତି। ଅଧିକାଂଶ ଟୁଇଟର ବ୍ୟବହାରକାରୀ କହିଛନ୍ତି ଯେ, ଶୁକ୍ରବାର ଦିନ ୧୨ଟା ୨୩ରେ ଏହି ଶବ୍ଦ ଶୁଣାଯାଇଥିଲା। କେହି କେହି ଭୂକମ୍ପ ବୋଲି ମନେ କରୁଥିବା ବେଳେ କେହି କେହି ଏକ ବିସ୍ଫୋରଣ ବୋଲି ଆଶଙ୍କା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe