ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ଛାନିଆ କଲା ବିସ୍ଫୋରଣ ଭଳି ଶବ୍ଦ । ୧୦୦ କିଲୋମିଟର ପର୍ଯ୍ୟନ୍ତ ଶୁଭିଲା ଶବ୍ଦ ।

3,009

କନକ ବ୍ୟୁରୋ: ପ୍ରଚଣ୍ଡ ଶବ୍ଦରେ ଥରିଛି ୩ ଜିଲ୍ଲା । ଯାଜପୁର, କେନ୍ଦୁଝର ଓ ଭଦ୍ରକ ଆଜି ପ୍ରଚଣ୍ଡ ଶବ୍ଦରେ ଥରିଉଠିଛି । ୧୦୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଅନୁଭୂତ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦରେ କମ୍ପିଉଠିଥିଲା ପୂରା ପରିବେଶ । ଯାହା ଫଳରେ ଭୟରେ ଘରୁ ବାହାରି ଆସିଥିଲେ ଲୋକେ ।

  • ବିସ୍ଫୋରଣ ଭଳି ଶବ୍ଦ ପରେ କମ୍ପନ
  • ଭୂମିକମ୍ପ ଭଳି ଥରିଉଠିଲା ୩ଟି ଜିଲ୍ଲା 

ବିସ୍ଫୋରଣ ଭଳି ବିରାଟ୍ ଶବ୍ଦ ପରେ ହଠାତ୍ ଥରିଉଠିଲା ୩ ଜିଲ୍ଲା । ଯାଜପୁର, ଭଦ୍ରକ ଓ କେନ୍ଦୁଝରର ଆନନ୍ଦପୁରରେ ଶବ୍ଦ ଓ କମ୍ପନ ଅନୁଭୂତ ହୋଇଛି । ଲୋକଙ୍କ କହିବା ହେଲା ଖୁବ ଜୋରରେ ଶବ୍ଦ ହେବା ସେମାନେ ଶୁଣିଛନ୍ତି । କେତେକ ସ୍ଥାନରେ ଘର ଓ ଅଫିସରେ ଆସବାବପତ୍ର ଦୋହଲିବା ସହ ଭୂମିକମ୍ପ ଭଳି ଚଟାଣ ଥରିବା ଅନୁଭୂତ ହୋଇଛି । ତେବେ କାହିଁକି ଏଭଳି ଶବ୍ଦ ଶୁଣାଗଲା ଓ ହଠାତ ଭୂମି ଥରିବାକୁ ଲାଗିଲା ତାହା ଜଣାପଡିନାହିଁ । ଖଣି ଅଞ୍ଚଳରେ ନିୟମିତ ହେଉଥିବା ବିସ୍ଫୋରଣ କାରଣରୁ ଏଭଳି ପ୍ରଭାବ ପଡିଥାଇପାରେ ବୋଲି ଆଶଙ୍କା କରୁଛନ୍ତି ।

ଯାଜପୁର କୋରେଇ ଥାନା ଧନେଶ୍ୱର ଛକରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏକ କବାଡ଼ି ଗୋଦାମରେ ଭୟଙ୍କର ନିଆଁ ଲାଗିବାର ଚିତ୍ର ସାମ୍ନାକୁ ଆସିଛି । କର୍ମଚାରୀମାନେ ଆବର୍ଜନାକୁ ପୋଡୁଥିବାବେଳେ ଅସାବଧାନତାରୁ ନିଆଁ ଲାଗିଯାଇଥିଲା । ଲୋକଙ୍କ ଭିତରେ ସନ୍ଦେହ ବଢିଥିଲା ଏହି କବାଡିଖାନାରେ ଥିବା କିଛି ସାମଗ୍ରୀ ବିସ୍ଫୋରଣ ଭଳି ଶବ୍ଦ କରିଥାଇପାରେ । ହେଲେ ବିସ୍ଫୋରଣର ଶବ୍ଦ ପ୍ରାୟ ୧୦୦ କିଲୋମିଟର ଯାଏଁ ଶୁଣାଯାଇଥିବା ମଧ୍ୟ କୁହାଯାଉଛି । ଯାହାର ପ୍ରଭାବ ୩ଟି ଜିଲ୍ଲାରେ ଅନୁଭୂତ ହୋଇଛି ।

ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଟ୍ୱିଟ୍ କରି କହିଛନ୍ତି, ଏପରି ବିସ୍ଫୋରଣ ବର୍ଣ୍ଣନା କରିବା ସହଜ ନୁହେଁ । କିନ୍ତୁ ଏହା ଏକ ଭୂମିକମ୍ପର ସୂରୂପ ବୋଲି କୁହାଯାଇପାରେ । ଯାହାକି ଶବ୍ଦ କରେ କିନ୍ତୁ କୌଣସି କ୍ଷତି କରେ ନାହିଁ ।