ଲଟେରି ଉଠିଲେ ମିଳୁଛି ପାଣି । ନହେଲେ ଖାଲି ହାତରେ ଘରକୁ ଫେରୁଛନ୍ତି ମହିଳା । ଖରା ଆରମ୍ଭରୁ ଛତ୍ରପୁରରୁ ଆସିଲା ଜଳ କଷ୍ଟର ଅଭାବନୀୟ ଚିତ୍ର ।

188

କନକ ବ୍ୟୁରୋ : ପାଣି ପାଇଁ ଲଟେରି, ଏହି କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ପ୍ରତିଦିନ ସକାଳୁ ପାଣି ଆସିବା ପୂର୍ବରୁ ଲଟେରି ଆରମ୍ଭ ହୋଇଯାଏ । ଯାହାର ୧ ରୁ ୫ ନମ୍ବର ଭିତରେ ରହିଲା ତାକୁ ହିଁ ପାଣି ମିଳିବ । ଆଉ ସମସ୍ତେ ନିରାସ ହୋଇ ଘରକୁ ଫେରିବେ । ଏହିଭଳି ଅନେକ ଦିନ ଧରି ଚାଲୁଛି ।

ଲଟେରି ଉଠିଲେ ପାଣି ମିଳିବ । ରାତି ପାହିବା କ୍ଷଣି ପାଣି ପାଇଁ ଭାଗ୍ୟକୁ ଭରସା କରନ୍ତି ଲୋକେ । ଲଟେରି ପଡେ । ଭାଗ୍ୟ ଭଲ ଥିଲେ ଲଟେରି ଉଠିବ, ପାଣି ମିଳିବ, ନହେଲେ ପରିବାରକୁ ଶୋଷରେ ରହିବାକୁ ପଡିବ । ପାଣି ପାଇଁ ଏଭଳି ଲଟେରି ବ୍ୟବସ୍ଥା ହୋଇଛି ଛତ୍ରପୁର ଷ୍ଟେସନ ରୋଡ଼ରେ ।

୨୫ ପରିବାର ରହୁଥିବା ଏହି ଅଞ୍ଚଳରେ ୭ ବର୍ଷ ହେବ ପାଣି ସମସ୍ୟା ରହିଛି । ପ୍ରତିଦିନ ସକାଳ ୮ଟାରୁ ୯ଟା ଯାଏଁ ପାଣି ଆସେ । ଆଉ ତାର ଅଧଘଂଟା ପୂର୍ବରୁ ଲଟେରି ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଆଉ ଲଟେରି ହିସାବରେ ସମସ୍ତେ ପାଣି ନେଇଥାନ୍ତି । ତାହା ବି ପୁଣି ଗୋଟିଏ ହାଣ୍ଡି । ମାତ୍ର ୩ରୁ ୪ ଜଣ ପାଣି ନେବା ପରେ ପାଣି ବନ୍ଦ ହୋଇଯାଏ । ଅନ୍ୟମାନଙ୍କୁ ପାଇପ ପାଣି ପାଇଁ ପୁରା ଗୋଟିଏ ଦିନ ଅପେକ୍ଷା କରିବାକୁ ପଡେ । ପିଲାଠାରୁ ଛୁଆ ଯାଏ ପାଣି ପାଇଁ ସମସ୍ତେ ନାକେଦମ୍ ହୁଅନ୍ତି । ଦିବ୍ୟାଙ୍ଗ ବ୍ୟକ୍ତି ବି ପାଣି ପାଇଁ ଲଟେରି ବ୍ୟବସ୍ଥାରେ ସାମିଲ ହୁଅନ୍ତି ।