ଫସଲ ଉଜାଡିଦେଲା ଲଗାଣ ବର୍ଷା । ପାଣିରେ ଭାସିଲା ପାଚିଲା ଧାନ, ଉଜୁଡିଗଲା ଚାଷୀଙ୍କ ବର୍ଷକର ପରିଶ୍ରମ ।

167

କନକ ବ୍ୟୁରୋ : ବାତ୍ୟା ଜୱାଦ ସିନା ସମୁଦ୍ରରେ ଦୁର୍ବଳ ହୋଇ ଚାଲିଗଲା, ହେଲେ ତା’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ବର୍ଷା, ଚାଷୀଙ୍କ ଭାତହାଣ୍ଡିକୁ ଭସେଇ ନେଲା । ଧାନ ଓ ପନିପରିବା ଫସଲକୁ ନଷ୍ଟ କରିଦେଲା ।

ଅମଳ ସମୟରେ ବର୍ଷା ଚାଷୀର ସବୁ ପରିଶ୍ରମକୁ ପାଣିରେ ପକାଇଦେଇଛି । ପାଚିଲା ଧାନ ପାଣିରେ ବୁଡିଗଲେ ଅବସ୍ଥା କଣ ହୁଏ ତାହା ସମସ୍ତେ ଜାଣନ୍ତି । ଆଉ ମାତ୍ର କିଛି ଦିନ ଥିଲା ପାଚିଲା ଧାନକୁ କାଟି ଖଳାକୁ ଆଣିଥାନ୍ତା ଚାଷୀ । କିନ୍ତୁ ଏମିତି ସମୟରେ ବାତ୍ୟା ଓ ବର୍ଷା ଆସିଲା ଯେତେବେଳେ ଆଉ କିଛି କରିବାର ଉପାୟ ନଥିଲା ।

ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡା, ନୟାଗଡ, ଢେଙ୍କାନାଳ, ଜଗତସିଂହପୁର ଭଳି ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଏଭଳି କ୍ଷୟକ୍ଷତି ଦେଖିବାକୁ ମିଳିଛି । ଶହ ଶହ ଏକର ଏକର ଧାନ ଜମିରେ ପଶଛି ପାଣି । ସବୁଠାରୁ ଚିନ୍ତାର ବିଷୟ ହେଉଛି, ଅଧିକାଂଶ ଚାଷୀଙ୍କ ଫସଲ ବୀମା ନାହିଁ । ଯଦି ବାତ୍ୟା ବର୍ଷା ଭଳି ପରିସ୍ଥିତିରେ ଫସଲ ନଷ୍ଟ ହୋଇଯାଏ ତେବେ ସବୁ ନିବେଶ ଏବଂ ପରିଶ୍ରମ ପାଣିରେ ପଡିଯାଏ ।

ଗଂଜାମ ଜିଲ୍ଲା ଖଲିକୋଟ୍ ଅଂଚଳର କେତେକ ଜମିରେ, ଧାନ କଟା ହୋଇ ପଡିରହିଛି । ଧାନ କ୍ଷେତକୁ ଦେଖି ଚାଷୀ ଅମଳ ଆଶା ଛାଡ଼ି ଦେଇଛନ୍ତି । କାରଣ ଚାଷକୁ ବର୍ଷା ପୂରା ଭସେଇ ନେଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳରେ ବିଲରେ ଲହଡି ମାରୁଛି ପାଣି । ଧାର କରଜ କରି ଫସଲ କରିଥିଲେ ଚାଷୀ । ସେପଟେ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା, ମହାକାଳପଡା, ମାର୍ଶାଘାଈ ଏବଂ ଗରଦପୁର ବ୍ଲକର ବିଭିନ୍ନ ଅଂଚଳରେ ପାଣି ଜମି ରହି ଜଳାର୍ଣ୍ଣବ ପରିସ୍ଥିତି ଦେଖାଦେଇଛି । ପନିପରିବା ଫସଲ ସହିତ ଡାଲି ଜାତୀୟ ବିରି, ମୁଗ ଏବଂ କୋଳଥ ପ୍ରଭୁତି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ।