ଲୁଟେରାଙ୍କ ଟାର୍ଗେଟରେ ‘ମୋ ବସ’: ଭିଡରେ ପଶୁଛନ୍ତି, ଲୁଟି ନେଉଛନ୍ତି

117

କନକ ବ୍ୟୁରୋ: ମୋ ବସ ପାଲଟିଛି ଲୁଟ ଓ ଲୁଟେରାଙ୍କ ସ୍ଫେଟି ଜୋନ । ୭ ଦିନରେ ଆସିଲାଣି ୭ରୁ ଅଧିକ ମାମଲା । କେବଳ ଥାନାରେ ମାମଲା ସିନା ରୁଜୁ ହେଉଛି, କିନ୍ତୁ ଲୁଟେରାଙ୍କ ପାଖ ମାଡି ପାରୁନି ପୋଲିସ । କହିବାକୁ ଗଲେ ମୋ ବସରେ ହେଉଥିବା ଜବରଦସ୍ତ ଭିଡ ହିଁ ସୁଆଉଛି ଲୁଟେରାଙ୍କୁ ।

ମୋ ବସ ରେ ଯାତ୍ରା କରିବାକୁ ଡର ଲାଗିଲାଣି । ଭୁବନେଶ୍ୱରରେ ଏହି ବସ ସେବା ଏବେ ଲୁଟେରା ଓ ଠକଙ୍କ ଭୂସ୍ୱର୍ଗ ପାଲଟିଛି । ଭିଡ ଭିତରେ ପଶୁଛନ୍ତି ଆଉ କେହି କିଛି ଜାଣିବା ପୂର୍ବରୁ ମୋବାଇଲ, ପର୍ସ, ସୁନା ଅଳଙ୍କାର ଲୁଟି ନେଉଛନ୍ତି । ୭ ଦିନରେ ଏଭଳି ଆସିଲାଣି ୭ ମାମଲା ।

ରାଜଧାନୀର ବ୍ୟସ୍ତବହୁଳ ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ମୋ ବସରେ ପଳାଶୁଣି ଯିବାକୁ ଉଠିଲେ ଜଣେ ଛାତ୍ରୀ । ପୁଣି ଆଉ ଜଣେ ଛାତ୍ରୀ ବି ବାଣୀବିହାର ଛକରୁ ପଳାଶୁଣୀ ଯିବାକୁ ମୋ ବସରେ ଉଠିଥିଲେ । ବାଣୀବିହାରରୁ ପଳାଶୁଣୀର ଦୂରତା ମାତ୍ର ୨ କିଲୋମିଟର । କିନ୍ତୁ ସତସଙ୍ଗ ବିହାର ପାଖରେ ସେମାନଙ୍କ ଅନୁଭବ ହୋଇଥିଲା ଭିଡର ସୁଯୋଗ ନେଇ ବ୍ୟାଗ ଚେନ ଖୋଲି ମୋବାଇଲ ନେଇଯାଇଛନ୍ତି ଲୁଟେରା । ସହିଦନଗର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି । ଆଉ ମୋ ବସରେ ବାରମ୍ବାର ଏଭଳି ଘଟଣା ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛି ।

ମୋ ବସ ଭିତରେ ବୁଧବାରଦିନ ଠିକ ଏଭଳି ଢଙ୍ଗରେ ଆଉ ଜଣେ କ୍ୟାନସର ରୋଗୀ ଲୁଟେରାଙ୍କ ଶୀକାର ହୋଇଥିଲେ । ଦେଖନ୍ତୁ ଏହି ଦୃଶ୍ୟକୁ । ମୋ ବସରେ ଲୁଟର ଶୀକାର ହେବା ପରେ ଥାନା ଭିତରେ କିଭଳି କାନ୍ଦୁଛନ୍ତି ଗଂଜାମ ପୁରୁଷୋତମପୁରର ଆନନ୍ଦ ଗୌଡ । ୧୫ ହଜାର ଟଙ୍କା ଧରି ନିଜର କ୍ୟାନସର ଚିକିତ୍ସା ପାଇଁ ଆସିଥିଲେ ଭୁବନେଶ୍ୱର । ହେଲେ ବାଣିବିହାର ପାଖରେ ଅନୁଭବ କରିଥିଲେ ତାଙ୍କ ଟଙ୍କା ଲୁଟ ହୋଇଛି ।

ମୋ ବସ ସେବାକୁ ସୁରକ୍ଷିତ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି । ବସ ଭିତରେ ସିସିଟିଭି ଲାଗିଛି । ତା ସତ୍ୱେ ଭିଡର ସୁଯୋଗ ନେଇ ବାରମ୍ବାର ଲୁଟ ଘଟଣା ପୁଲିସର ଶିଥିଳତା ଉପରେ ପ୍ରଶ୍ନ ଉଠାଇଛି ।