କନକ ବ୍ୟୁରୋ: ବିବାହ ଭୋଜିକୁ ଯାଉଥିଲେ ସାବଧାନ । କାରଣ ଆପଣ ଘର ବାହାରେ ଥିବା ବେଳେ ଲୁଟେରା ଘର ଭିତରେ ପଶି ବୁଲାଉଛନ୍ତି କଳା କନା । ଖାଲି ଏତିକି ନୁହେଁ ଚୋରି କରିବା ସହିତ ଘରର କିଚେନ୍ ଏବଂ ଶୌଚାଳୟକୁ ବ୍ୟବହାର କରି ଅପରିଷ୍କାର କରୁଛନ୍ତି । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଇନଫୋସିଟି ଥାନା ନନ୍ଦନ ବିହାରରୁ । ଘର ମାଲିକ ନିରଞ୍ଜନ ପଲତାସିଂଙ୍କ ଘରୁ ୩ ଘଣ୍ଟାରେ ଲୁଟ୍ ହୋଇଛି ୨୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି । ଘରେ ନିରଞ୍ଜନ ପଲତା ସିଂ ନଥିଲେ । ଏହି ସମୟରେ ରାତି ୯ଟାରୁ ୧୨ଟା ଭିତରେ ଲୁଟେରା ଘର ଭିତରେ ପ୍ରବେଶ କରିଥିଲେ । ଘରେ ଥିବା ୨ ଲକ୍ଷ ଟଙ୍କା ସହିତ ୧୫ ଲକ୍ଷ ଟଙ୍କାର ଗହଣା ଓ ଅନ୍ୟାନ୍ୟ ଜିନିଷ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ରୋଷେଇ ଘରେ ଥିବା ଖାଦ୍ୟ ଖାଇବା ସହିତ ଶୌଚାଳୟ ବ୍ୟବହାର କରି ଅପରିଷ୍କାର କରୁଛନ୍ତି । ଏହାକୁ ନେଇ ଘର ମାଲିକ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । କିନ୍ତୁ ଏଯାବତ ଲୁଟେରାର କୌଣସି ଟେର ପାଇନି ପୋଲିସ ।