ଝାରସୁଗୁଡ଼ା ଲଖନପୁର ବ୍ଲକର ସଫଳ ଯୁବ ଚାଷୀ ଲୋଟନ । ଫୁଲଚାଷ କରି ହୋଇପାରିଛନ୍ତି ସଫଳ

116

କନକ ବ୍ୟୁରୋ: ଶିକ୍ଷାଗତ ଯୋଗ୍ୟତା ବିଏ ପାସ । ହେଲେ ଅନ୍ୟମାନଙ୍କ ପରି ଚାକରି ପଛରେ ନଦୌଡି ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିଥିବା ଉଚ୍ଚଶିକ୍ଷିତ ଲୋଟନ ସାହୁ ଏବେ ଜିଲ୍ଲାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜଣେ ସଫଳ ଚାଷୀ ଭାବରେ ସେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଦ୍ୱାରା ବେଶ ପ୍ରଶଂସିତ ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁନାରୀ ପଂଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ୩୬ ବର୍ଷିୟ ଯୁବକ ଲୋଟନ୍ ସାହୁ ନୂତନ ଜ୍ଞାନ କୌଶଳ ଓ ବୌଜ୍ଞାନିକ ପଦ୍ଧତିରେ ଚାଷ କରି ସଫଳତାର ସ୍ୱାଦ ଚାଖିଥିବା ବେଳେ ଜିଲ୍ଲା ଯୁବପିଢ଼ୀ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୁନାରୀ ପଂଚାୟତ ପତ୍ରାପାଲି ଗ୍ରାମର ଲୋଟନ ସାହୁ । ସ୍ନାତକ ହାସଲ କରିବା ପରେ ଚାଷକୁ ଅପଣାଇ ନେଇଥିଲେ । ପ୍ରଥମେ ସେ ନିଜ ଉଦ୍ୟମରେ ଛତୁଚାଷ ଆରମ୍ଭ କରିଥିଲେ । ପରେ ମାଛ ଚାଷ ଓ ପନିପରିବା ଚାଷକରି ଭଲ ରୋଜଗାର ଆରମ୍ଭ କରିଥିଲେ । ଦୁଇବର୍ଷ ହେଲା ସେ ଫୁଲଚାଷ କରି ବେଶ ସଫଳ ହୋଇ ପାରିଛନ୍ତି । ଜିଲ୍ଲା କୃଷି ବିଭାଗ ଓ ଉଦ୍ୟାନ ବିଭାଗର ସହଯୋଗରେ ତାଙ୍କର ୧୫ ଏକର ଜମିରେ ପନିପରିବା, ଛତୁ, ଫୁଲ ଓ ୨ ଗୋଟିଏ ପୋଖରୀରେ ମାଛ ଚାଷକରି ଏକ ଅତ୍ୟାଧୁନିକ ଫାର୍ମ ସୃଷ୍ଟି କରିଛନ୍ତି ।

ଏଠାରେ ସେ ଛତୁ ବିହନ ମଧ୍ୟ ପ୍ରସ୍ତୁତ କରୁଥିବାବେଳେ ଜିଆ ଖତ ପ୍ରସ୍ତୁତ କରି ତାକୁ ବ୍ୟବହାର କରୁଛନ୍ତି । ଲୋଟନ୍ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ପୁନେ ସ୍ଥିତ ନ୍ୟାସନାଲ ହର୍ଟିକଲଚର ପୋଷ୍ଟ ହାର୍ଭେଷ୍ଟ ଟ୍ରେନିଂସେଂଟର, ପତଞ୍ଜଳି ଅର୍ଗାନିକ ଫାର୍ମିଂ ରିସର୍ଚସେଂଟର, ହିମାଚଳ ପ୍ରଦେଶର ସୋଲାନ ଠାରେ ନୂତନ ଜ୍ଞାନକୌଶଳ ଓ ବୌଜ୍ଞାନିକ ପଦ୍ଧତିର ଚାଷ ବିଷୟରେ ତାଲିମ ନେଇଛନ୍ତି । ନିଜ ଜମିରେ ଜଳସେଚନ ପାଇଁ ସେ କେନାଲ, ଉଠା ଜଳସେଚନ, ବୁନ୍ଦା ଜଳସେଚନ ଓ ପୋଖରୀରେ ସଂରକ୍ଷିତ ଥିବା ଜଳକୁ ମାଟିତଳେ ପାଇପ ମାଧ୍ୟମରେ ଜଳ ପରିଚାଳନା କରୁଛନ୍ତି ।

ଗ୍ରୀନ୍ ହାଉସ୍ ଓ ପଲିହାଉସ୍ ବ୍ୟବହାର କରି ସେଠାରେ ଗେଣ୍ଡୁ, ବିଭିନ୍ନ ରଙ୍ଗର ଗୋଲାପ ଓ ଜର୍ବେରା ଫୁଲ ଚାଷକରିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରକୁ ଫୁଲ ବିକ୍ରି ପାଇଁ ପଠାଉଛନ୍ତି । ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଏହି ଫୁଲଚାରା ଆଣି ତାକୁ ଏଠାରେ ସେ ରୋପଣ କରିଛନ୍ତି । ଏହି ଫାର୍ମରେ ବର୍ଷ ତମାମ ୭/୮ ଜଣ କର୍ମଚାରୀ କର୍ମ ନିଯୁକ୍ତିର ସୁଯୋଗ ପାଇଛନ୍ତି । ବର୍ଷକୁ ୫ ରୁ ୬ ଲକ୍ଷ ରୋଜଗାର ହେଉଥିବା କହିଛନ୍ତି ଲୋଟନ ।