ଥାନାକୁ ଡାକି ପୋଲିସ ଫେରାଉଛି ଫୋନ । ହଜିଲା ମୋବାଇଲ ପାଇ ଲୋକେ ଖୁସ୍…

221

କନକ ବ୍ୟୁରୋ: ଆଜିର ଆଧୁନିକ ସମାଜରେ ଫୋନ ହେଉଛି ସମସ୍ତଙ୍କର ଅତି ପ୍ରିୟ ଜିନିଷ । ମଣିଷ ବସୁ ବସୁ ମୋବାଇଲ ସହ ସମୟ ବିତାଉଥାଏ ତ ଚାଲୁଚାଲୁ, ଖାଉ ଖାଉ ଫୋନ ଧରିଥାଏ । କଥାବାର୍ତ୍ତା ହେଉ କି ଅନଲାଇନ ଚାର୍ଟିଂ କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କାମ ଆଜିକାଲି ବିନା ମୋବାଇଲରେ କରିହେଉନି । ଯୁବପିଢି ସ୍ମାର୍ଟଫୋନକୁ ବିଭିନ୍ନ କାର୍ଯ୍ୟରେ ଲଗାଇଥାନ୍ତି । ସବୁପରେ ମୋବାଇଲରେ ହେଉଛି ଏମିତି ଏକ ଷ୍ଟୋରିଂ ଡିଭାଇସ ଯେଉଁଠି ମଣିଷ ନିଜର ସମସ୍ତ ତଥ୍ୟ ସୁରକ୍ଷିତ ଆଉ ସାଇତି ରଖିଥାଏ …

ହେଲେ ଥରେ ଭାବିଲେ ଯଦି ଆପଣଙ୍କ ମୋବାଇଲ କେଉଁଠି କେତେବେଳେ ହଜିଯାଏ । କିମ୍ବା ଲୁଟ୍ ହୋଇଯାଏ ତେବେ କେତେ ସମସ୍ୟା ଉପୁଜେ । କିଏ ମର୍ଣ୍ଣିଂ ୱାକ୍ କଲାବେଳେ ତାର ମୋବାଇଲ ଲୁଟ୍ ହୁଏ ତ କିଏ ଅନ୍ୟମନସ୍କରେ କେଉଁଠି କିଣାକିଣି କଲାବେଳେ ଫୋନ ଚୋରି । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଭାବେ ଫୋନ ଚୋରି ହୋଇଥାଏ । ଆଉ ଉକ୍ତ ଫୋନକୁ ଖୋଜିଦେବାକୁ ସେମାନେ ପୋଲିସର ସହାୟତା ନିଅନ୍ତି । ଥାନାରେ ଏତଲା କରନ୍ତି । ହେଲେ ବର୍ଷ ବର୍ଷ ବିତିଯାଉଥିଲେ ବି ଉକ୍ତ ଫୋନ ସେମାନଙ୍କୁ ମିଳେନି । କିଏ ନିଜ ଫୋନରେ ସବୁ ଗୁପ୍ତ ତଥ୍ୟ ଲୁଚାଇ ରଖିଥାଏ । ତ କିଏ ବ୍ୟାଙ୍କ, ବ୍ୟବସାୟ ସମ୍ବନ୍ଧୀୟ ତଥ୍ୟର ସବିଶେଷ ନିଜ ଫୋନରେ ସେଭ କରି ରଖିଯାଏ । ଆଉ ଫୋନ ହଜିଗଲେ ତାହା ପାଇବା ମୁସକିଲ୍ ହୋଇଥାଏ । ମୁଣ୍ଡବିନ୍ଧାର କାରଣ ପାଲଟେ । ଫୋନର ଅନୁସନ୍ଧାନ କେତେବାଟ ଆଗେଇଲା ହଜିଥିବା ଲୋକ ଥାନାକୁ ଦୌଡିଦୌଡି ନୟାନ୍ତ ବି ହୁଏ । ମାତ୍ର ନିରାଶ ହୋଇ ଫେରେ ।

ସାଧାରଣ ଲୋକଙ୍କ ଏହି ସମସ୍ୟାକୁ ବୁଝି କମିଶନରେଟ୍ ପୋଲିସ ଲୋକଙ୍କୁ ଫେରାଉଛି ଚୋରି ଫୋନ । ଗତ ୬ ମାସ ଭିତରେ ସହିଦନଗର ଥାନା ଅଧିନରେ ଯେତେ ସବୁ ଫୋନ ଚୋରି, ହଜିବା ମାମଲା ହୋଇଛି ତାକୁ ଖୋଜି ଖୋଜି ଲୋକଙ୍କୁ ଫେରାଇଛି ପୋଲିସ । ତେବେ ମୋବାଇଲ ଚୋରି ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ସହିଦ ନଗର ଥାନା ଅଞ୍ଚଳରେ ଗତ ୬ ମାସ ଭିତରେ ଯେତେ ଫୋନ ଲୁଟ୍ ହୋଇଥିଲା ତାହା ଧରାପଡିଛି । ୪୦ଟା ମୋବାଇଲ ଉଦ୍ଧାର କରାଯାଇଥିଲା, ସେଥିରୁ ୩୨ଟି ଫୋନ ନିଜ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ଥାନାକୁ ଡାକି ସେମାନଙ୍କୁ ଫୋନ ଫେରାଇଛି ପୋଲିସ । ୬ର ୭ଟି ଫୋନ ତାମିଲନାଡୁରୁ ଜବତ କରାଯାଇଛି ବୋଲି କହିଛନ୍ତି ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ ।