କରୋନା ସଂକ୍ରମଣ ଭିତରେ ହଜିଲା ମାନବିକତା : ମୃତକଙ୍କ ପକେଟରୁ ପର୍ସ , ମୋବାଇଲ୍ ଚୋରୀ କଲେ ମେଡିକାଲ୍ କର୍ତ୍ତୃପକ୍ଷ

623

କନକ ବ୍ୟୁରୋ : ସାରା ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ରୋଗୀଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢୁଛି ଠିକ ସେହି ପରିମାଣରେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ତେବେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ହଜିଯାଉଛି ମାନବିକତା
କରୋନା ମୃତକଙ୍କଠାରୁ ଚୋରି କରିନେଲେ ପର୍ସ ଓ ମୋବାଇଲ

ମଧ୍ୟପ୍ରଦେଶରୁ ଏମିତି ଏକ ଚିତ୍ର ଆସିଛି ଯାହା ସାରା ଦେଶରେ ସମସ୍ତଙ୍କୁ ପ୍ରଭାବିତ କରିଛି । ଆଉ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, ମାନବିକତା ଅଛି କେଉଁଠି? ବଂଚିଥିବା ବେଳେ ରୋଗୀଙ୍କୁ ଅନେକ ଅସୁବିଧା ହେଉଥିବା ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏଠି କରୋନାରେ ଆକ୍ରାନ୍ତ ହୋଇ ଜୀବନ ହାରିବା ପରେ ବି ମୃତକଙ୍କ ପକେଟରୁ ଚୋରି ହୋଇଗଲା ପର୍ସ ଓ ମୋବାଇଲ ।

ଏ କୌଣସି ସାଧାରଣ ହସ୍ପିଟାଲ ନୁହେଁ ବରଂ ମଧ୍ୟପ୍ରଦେଶର ଗୋଟିଏ ସରକାରୀ ମେଡିକାଲରେ କଲେଜରେ ଘଟିଛି ଏହି ନିନ୍ଦନୀୟ ଘଟଣା । ମୃତକଙ୍କ ପକେଟରୁ ମୋବାଇଲ ଓ ପର୍ସ ନେଇ ଯିବା ପରେ ପରିବାର ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ନେଇ ଜଣାଯାଇଛି । ନ୍ୟାୟ ପାଇଁ ପତ୍ନୀ ଦୌଡି ଦୌଡି ନୟାନ୍ତ ହେଲେଣି କିନ୍ତୁ କୌଣସି ସୁଫଳ ମିଳୁନାହିଁ । ୩୬ ବର୍ଷିୟ ହରିଶ ଗୌଡ ନାମକ ଜଣେ ଯୁବକଙ୍କ ସହ ଏହି ଘଟଣା ଘଟିଛି । ତେବେ ହରିଶଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ଜୀବନ ହାରିବାର ୧ ଘଂଟା ପୂର୍ବରୁ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ କିନ୍ତୁ ସକାଳୁ ଶବ ଆଣିବାସମୟରେ ତାଙ୍କ ପାଖରେ କୌଣସି ମୋବାଇଲ କିମ୍ବା ପର୍ସ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । କିନ୍ତୁ ଏ ସମ୍ପର୍କରେ ମେଡିକାଲ କର୍ମଚାରୀଙ୍କୁ ପଚାରିବାରୁ ପ୍ରଥମେ ଶବ ନେଇଯାଅ ପରେ ତାଙ୍କର ସାମଗ୍ରୀ ନେବ ବୋଲି ରୋକଠୋକ କହିଥିଲେ ।

କିନ୍ତୁ ଏ ପର୍ଯ୍ୟନ୍ତ ଆମକୁ କୌଣସି ସାମଗ୍ରୀ ହସ୍ତାନ୍ତର କରିନାହାନ୍ତି । ହରିଶଙ୍କ ମୋବାଇଲରେ ଟଙ୍କା ନେଣଦେଣ ସମ୍ବନ୍ଧୀୟ ଅନେକ ତଥ୍ୟ ଥିବା ମଧ୍ୟ ସମ୍ପର୍କୀୟ କହିଛନ୍ତି । ହରିଶଙ୍କୁ ହରାଇ ପରିବାର ଲୋକେ ଯେତିକି ମର୍ମାହତ , ତାଙ୍କ ସାମଗ୍ରୀ ଏ ପର୍ଯ୍ୟନ୍ତ ନପାଇ ସେତିକି ଦୁଃଖିତ ମଧ୍ୟ । ତେବେ ପ୍ରଶ୍ନ ଉଠୁଛି ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ମୋବାଇଲ ଓ ପର୍ସ ଗାଏବ ହେବା ପଛରେ କାହା ହାତ ରହିଛି ? ମେଡିକାଲ କର୍ମଚାରୀ ଏଥିରେ ସାମିଲ ନାହାନ୍ତି ତ !! ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି କିନ୍ତୁ ହରିଶଙ୍କ ପତ୍ନୀ ନ୍ୟାୟ ଅପେକ୍ଷାରେ ଦୌଡି ଦୌଡି କେବଳ ଆଖିରୁ ଲୁହ ଝରାଉଛନ୍ତି ।