ଆଇପିଏଲ ଅଧାରୁ କରୋନା ଲଗାଇଲା ବ୍ରେକ । ସ୍ଥଗିତ ହେଲା ଅବଶିଷ୍ଟ ମ୍ୟାଚ୍, ବିସିସିଆଇ ହରାଇବ ପାଖାପାଖି ୨୨୦୦ କୋଟି ଟଙ୍କା!

186

କନକ ବ୍ୟୁରୋ : ମହାମାରୀ କରୋନା ପାଇଁ ଅଧାରେ ଅଟକିଲା ଆଇପିଏଲ । ବାୟୋ ବବଲରେ ଥିବା ସତ୍ତେ୍ୱ ମଧ୍ୟ ବିଭିନ୍ନ ଦଳର ଖେଳାଳି କରୋନାରେ ଆକ୍ରାନ୍ତ ହେବା ପରେ ଆଇପିଏଲକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ବିସିସିଆଇ । ତେବେ ଅଧାରୁ ଆଇପିଏଲ ବନ୍ଦ ହେବା କାରଣରୁ ବିସିସିଆଇକୁ ବଡ ଧରଣର ଆର୍ଥିକ କ୍ଷତି ସହିବାକୁ ପଡିବ । ପ୍ରସାରଣ ସଂସ୍ଥା ଓ ସ୍ପନସରଙ୍କ ଠାରୁ ମିଳିବାକୁ ଥିବା ଅର୍ଥରେ ବିସିସିଆଇକୁ କାଣ୍ଟଛାଣ୍ଟ କରିବାକୁ ପଡିପାରେ ।

ବିସିସିଆଇର ଏକ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଆଇପିଏଲ ସ୍ଥଗିତ ହେବା କାରଣରୁ ପାଖାପାଖି ୨୦୦୦ରୁ ୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବିସିସିଆଇକୁ ହରାଇବାକୁ ପଡିପାରେ । ୫୨ ଦିନ ଚାଲିବାକୁ ଏହି ଟୁର୍ଣ୍ଣାମେଣ୍ଟରେ ୬୦ଟି ମ୍ୟାଚ୍ ଖେଳାଯିବାକୁ ଥିଲା । କିନ୍ତୁ ମାତ୍ର ୨୪ ଦିନରେ ୨୯ଟି ମ୍ୟାଚ୍ ଖେଳାଯିବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ତେଣୁ ପୂରା ଟୁର୍ଣ୍ଣାମେଣ୍ଟର ପ୍ରସାରଣ ପାଇଁ ଷ୍ଟାର ସ୍ପୋଟର୍ସ ଠାରୁ ମିଳିବାକୁ ଥିବା ଟଙ୍କା କମ ମିଳିପାରେ ।

ଆଇପିଏଲ ପ୍ରସାରଣ ପାଇଁ ୫ ବର୍ଷକୁ ୧୬୩୪୭ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛି ଷ୍ଟାର । ଅଥାର୍ତ ବାର୍ଷିକ ପ୍ରସାରଣ ପାଇଁ ପାଖାପାଖି ୩୨୬୯ କୋଟି ଟଙ୍କା ବିସିସିଆଇ ପାଇଥାନ୍ତା । ଏହି ହିସାବରେ ଚଳିତ ସିଜିନରେ ପ୍ରତ୍ୟେକ ମ୍ୟାଚର ପ୍ରସାରଣ ପିଛା ୫୪ କୋଟି ୫୦ ଲକ୍ଷ ଟଙ୍କା ବିସିସିଆଇ ହାତେଇଥାନ୍ତା । ତେବେ ଟୁଣ୍ଣାମେଣ୍ଟ ସ୍ଥଗିତ ରହିବା କାରଣରୁ  ଖେଳାଯାଇଥିବା ୨୯ଟି ମ୍ୟାଚ୍ ବାବଦକୁ ୧୫୮୦ କୋଟି ଟଙ୍କା ବୋର୍ଡ ପାଇପାରେ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ବୋର୍ଡକୁ ପ୍ରସାରଣ ବାବଦକୁ ମିଳିଥିବା ଥିବା ଅର୍ଥରୁ ୧୬୯୦ କୋଟି ଟଙ୍କା ହରାଇବାକୁ ପଡିପାରେ ।

ସେହିଭଳି ଟୁର୍ଣ୍ଣାମେଣ୍ଟର ଟାଇଟଲ ସ୍ପନସର ଭାବେ ମୋବାଇଲ ନିର୍ମାତା କମ୍ପାନି ଭିଭୋ ପ୍ରତି ସିଜନ ପାଇଁ ୪୪୦ କୋଟି ଦେବାକୁ ଚୁକ୍ତି କରିଛି । ତେଣୁ ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ଥଗିତ ହେବା କାରଣରୁ ବିସିସିଆଇକୁ ସ୍ପନସରରୁ ମିଳିବାକୁ ଥିବା ଅର୍ଥ ରାଶି ମଧ୍ୟ କମିଯାଇପାରେ । ଏହାବାଦ୍ ଡ୍ରିମ୍ ୧୧, ଅନଏକାଡେମି, ଟାଟା ମୋର୍ଟସ ଭଳି ସ୍ପନସର ପକ୍ଷରୁ ମିଳିବାକୁ ଥିବା ଅର୍ଥ ମଧ୍ୟ ବିସିସିଆଇକୁ ହରାଇବାକୁ ପଡିପାରେ । ଏସବୁକୁ ହିସାବ କଲେ ପାଖାପାଖି ୨୨୦୦ କୋଟି ଟଙ୍କା ବିସିସିଆଇକୁ ହରାଇବାକୁ ପଡିପାରେ । ସେହିଭଳି ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ଥଗିତ ହେବା କାରଣରୁ ଖେଳାଳିଙ୍କୁ ତାଙ୍କର ପୂରା ପ୍ରାପ୍ୟ ମିଳିବ କି ନାହିଁ ତାହାକୁ ନେଇ ମଧ୍ୟ ସସପେନ୍ସ ଦେଖାଦେଇଛି ।