ସଙ୍କଟରେ ଆଦାନି ସାମାଜ୍ୟ : କମ୍ପାନି ହରାଇଲାଣି ୮ ଲକ୍ଷ କୋଟି; ବଣ୍ଡରୁ ମୁହଁ ଫେରାଉଛନ୍ତି ବିଦେଶୀ ବ୍ୟାଙ୍କ, ଧନୀ ତାଲିକାର ୧୬କୁ ଖସିଲେ 

5,352

କନକ ବୁରୋ : ସଙ୍କଟରେ ଆଦାନି ସାମ୍ରାଜ୍ୟ । ଆମେରିକୀୟ ସର୍ଟ ସେଲର ହିଣ୍ଡେନବର୍ଗ ରିପୋର୍ଟ ଅଦାନି ଗ୍ରୁପକୁ ତଳିତଳାନ୍ତ କରିସାରିଲାଣି । ଗତ ୬ କାରବାର ଦିବସରେ ସମସ୍ତ ୧୦ ଆଦାନି ଗ୍ରୁପ୍ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ୪୩ ପ୍ରତିଶତ ହ୍ରାସ ଘଟିଛି । ଏଥି ସହିତ କମ୍ପାନୀ ଗୁଡ଼ିକର ମିଳିତ ବଜାର ମୂଲ୍ୟ ୧୦ ହଜାର କୋଟି ଡଲାର ବା ୮ ଳକ୍ଷ କୋଟିରୁ ଅଧିକ ଟଙ୍କା ଖସିଛି । ପୂର୍ବ ସପ୍ତାହରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆଦାନି ଗ୍ରୁପର ବଜାର ମୂଲ୍ୟ ୧୯ ଦଶମିକ ୨ ଲକ୍ଷ କୋଟି ଟଙ୍କା ଥିଲା । ଏବେ ୧୦ ଦଶମିକ ୮୯ ଲକ୍ଷ କୋଟିକୁ ହ୍ରାସ ପାଇଛି । ଏହା ସହ ଧନୀ ତାଲିକାରେ ଗୌତମ ଆଦାନି ୧୬ ତମ ସ୍ଥାନକୁ ଖସି ଯାଇଛନ୍ତି ।

କମ୍ପାନୀ ୨୦ ହଜାର କୋଟି ଟଙ୍କାର ଫଲୋଅନ୍ ପବ୍ଲିକ ଅଫର ବା ଏଫପିଓ ପ୍ରତ୍ୟାହାର କରି ଦେଇଛି । ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି । କିନ୍ତୁ କମ୍ପାନି ଏହି ଏଫପିଓ ବା ଫୋଲୋଅନ ପବ୍ଲିକ ଅଫରକୁ ପ୍ରତ୍ୟାହାର କରିଦେଇଛି । କମ୍ପାନିର ବୋର୍ଡ ପକ୍ଷରୁ କୁହାଯାଇଛି, ସେୟାର ବଜାରର ଅସ୍ଥିରତାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛିି । ନିବେଶକମାନଙ୍କୁ ଅର୍ଥ ଫେରାଇ ଦିଆଯିବ ବୋଲି ସ୍ପଷ୍ଟ କରିଛି ଆଦାନି ଗ୍ରୁପ । ଅନ୍ୟପଟେ ଗ୍ଲୋବାଲ ବ୍ୟାଙ୍କର କ୍ରେଡିଡ୍ ସୁଇସ୍ ଏବଂ ସିଟି ଗ୍ରୁପ୍ ଋଣ ବନ୍ଧକ ଭାବେ ଅଦାନି ବଣ୍ଡ୍ରୁ ମୁହଁ ଫେରାଉଛନ୍ତି । ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଦାନି କମ୍ପାନୀ ଗୁଡ଼ିକରେ ବ୍ୟାଙ୍କ ଗୁଡ଼ିକର କେତେ ଋଣ ରହିଛି ତାହାର ତଥ୍ୟ ଦେବା ପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।