ରଥଯାତ୍ରା
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ୟ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥାଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି।
ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। କେଉଁ ପ୍ରାଚୀନ ସମୟରୁ ଏହି ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଛି, ତାହାର ସଠିକ ସମୟ ଅଦ୍ୟାବଧି ନିରୂପଣ ହୋଇ ପାରିନାହିଁ। ଯୁଗେ ଯୁଗେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଜଗତ ବିଖ୍ୟାତ ହୋଇଛି। ପୌରାଣିକ ମତାନୁଯାୟୀ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜୀଉମାନଙ୍କ ନିମିତ୍ତ ସୁଦୃଶ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଇତ୍ୟାଦି କାର୍ୟ୍ୟ ପରାଣ ଯୁଗର ମହାରାଜା ଇନ୍ଦ୍ରଦ୍ୟୁମ୍ନ କରିଥିଲେ। ତାଙ୍କର ରାଣୀଙ୍କ ନାମ ଥିଲା ଗୁଣ୍ଡିଚା ଦେବୀ। ରାଣୀ ଗୁଣ୍ଡିଚାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ରଥଯାତ୍ରାର ପ୍ରଚଳନ ବୋଲି ଗୋଟିଏ ମତ ରହିଅଛି।
ଗୁଣ୍ଡିଚା ଯାତ୍ରା ସମ୍ପର୍କରେ ଆଉ ଏକ ମତ ହେଲା, ‘‘ଗୁଡ଼ିସା’’ ଅର୍ଥ କାଠ। ଶ୍ରୀଜୀଉମାନଙ୍କ ବିଗ୍ରହ ଦାରୁ ବା କାଷ୍ଠରେ ନିର୍ମିତ। ଏହି ଯାତ୍ରା ‘କାଠ ଦିଅଁ’ଙ୍କର ହୋଇଥିବାରୁ ଗୁଡ଼ିସା ଯାତ୍ରାରୁ କାଳକ୍ରମେ ‘ଗୁଣ୍ଡିଚା ଯାତ୍ରା’ ନାମରେ କଥିତ ହୋଇଛି। ଅପରପକ୍ଷରେ ଓଡ଼ିଶାର ବିଶିଷ୍ଟ ଐତିହାସିକ ଓ ଗବେଷକମାନଙ୍କ ମତରେ ଖ୍ରୀଷ୍ଟିୟ ତ୍ରୟୋଦଶ ଶତାବ୍ଦୀରେ ଶେଷ ଭାଗରେ ରଥଯାତ୍ରାର ପ୍ରଚଳନ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ରଥଯାତ୍ରାର ସଠିକ୍ କାଳ ନିର୍ଣ୍ଣୟ ହୋଇପାରିନାହିଁ। ଏହି ପ୍ରାଚୀନ ଯାତ୍ରା ସମ୍ପର୍କରେ ବହୁ ପୁରାଣ, ଶାସ୍ତ୍ରାଦିରେ ବର୍ଣ୍ଣନା ରହିଅଛି। ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ପ୍ରସିଦ୍ଧ ଶ୍ଳୋକଟି ସର୍ବଜନ ମାନସରେ ଆଦୃତ ହୋଇଅଛି, ତାହା ହେଲା-
‘ମଞ୍ଚା ସ୍ନାନଂ ରଥବରଗତିଂ ଶାୟନଂ ଚାୟନେ ଦ୍ୱେ
ପାର୍ଶ୍ୱାବୃତ୍ତିଃ ଶୟନ ନିବୃତ୍ତିଃ ପାବୃତ୍ତୈଃ ପୁଷ୍ୟ ପୂଜା
ଦୋଳଯାତ୍ରା ଦମନ କମହୋତାକ୍ଷ ପୂଜା ତୃତୀୟା
ଚୈବଂ ଯାତ୍ରା ବଧିନିରାଦିତା ଦ୍ୱାଦଶୈତା ନରେନ୍ଦ୍ର।’’
ରଥଯାତ୍ରା ସମ୍ପର୍କରେ ‘ଯାତ୍ରା ଭାଗବତ’ ଓ ‘ନୀଳାଦ୍ରି ମହୋଦୟ’ରେ ଉଲ୍ଲେଖ ଅଛି ଯେ-
‘‘ଆଷାଢ଼ସ୍ୟ ସିତେ ପକ୍ଷେ ଦ୍ୱିତୀୟାୟାଂ ଶୁଭେ ଦିନେ
ଶ୍ରୀଜଗନ୍ନାଥ ଦେବସ୍ୟ ଗୁଣ୍ଡିଚା ଭବତି ଧ୍ରୁବମ୍।’’
(ଯାତ୍ରା ଭାଗବତ)
‘‘ଆଷାଢ଼ସ୍ୟ ଚ ସାମସ୍ୟ ଦିତେ ପକ୍ଷେଽତି ପାବନେ
ଦ୍ୱିତୀୟାୟାଂ ତିଥୌ ତାବତ୍ ଘୋଷଯାତ୍ରା ବିଧୀୟତେ।।’’
(ନୀଳାଦ୍ରି ମହୋଦୟ)
ଶ୍ରୀଗୁଣ୍ଡିଚା ପୂର୍ବଦିନ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ତିନିରଥ ନିମନ୍ତେ ତିନିବାଡ଼ରୁ ଆଜ୍ଞାମାଳ, ଘଣ୍ଟ, ଛତା, କାହାଳି ସହ ରଥ ଖଳା ବା ଶ୍ରୀନହର ସମ୍ମୁଖକୁ ଯାଇ ତ୍ରିରଥମାନଙ୍କର ବାଡ଼ ଅନୁଯାୟୀ ପୂଜାପଣ୍ଡାମାନେ ଆଜ୍ଞାମାଳମାନ ବିଶ୍ୱକର୍ମା ମହାରଣାମାନଙ୍କୁ ପ୍ରଦାନ କରିଥାନ୍ତି। ବାଡ଼ଗ୍ରାହୀ ମହାରଣାମାନେ ତିନିରଥରେ ଉକ୍ତ ଆଜ୍ଞାମାଳକୁ ଲାଗି କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥ ଓ ପରେ ଶ୍ରୀସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କ ସୁସଜ୍ଜିତ ରଥ ସିଂହ ଦ୍ୱାର ସମ୍ମୁଖକୁ ଆସିଥାଏ।
ସାଧାରଣତଃ ରଥଯାତ୍ରାର ଶୁଭାରମ୍ଭ ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଥାଏ। ତତପୂର୍ବରୁ ବସନ୍ତ ପଞ୍ଚମୀ ତିଥିରେ ରଥନିର୍ମାଣ ଉଦ୍ଦେଶ୍ୟରେ ପୁରୀକୁ ଉକ୍ତ ଦିନ ପ୍ରଥମ ରଥକାଠ ଆସିଥାଏ ଏବଂ କାଠ ମଧ୍ୟରୁ ତିନୋଟି କାଠ ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟ ସମ୍ମୁଖରେ ରଖାଯାଇ କାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥାଏ।
ରଥ ନିର୍ମାଣ ପାଇଁ ପ୍ରତିବର୍ଷ ୮୬୨ ଗୋଟି କାଠ ନୟାଗଡ଼, ଦଶପଲ୍ଲା ଓ ଅନୁଗୋଳ ଜଙ୍ଗଲରୁ ଆସିଥାଏ। ଏତଦ୍ ବ୍ୟତୀତ ୨୪୭ ଗୋଟି କଞ୍ଚା କାଠ ମଧ୍ୟ ରଣପୁର ଜଙ୍ଗଲରୁ ସଂଗ୍ରହ କରାଯାଇ ପୁରୀକୁ ଅଣାଯାଇଥାଏ। ରଥ ନିର୍ମାଣରେ ମୁଖ୍ୟତଃ ଅସନ, ଧଉରା, ଫାଶୀ, ସାହାଜ, ଶିମୁଳ ଇତ୍ୟାଦି କାଠ ବ୍ୟବହୃତ ହୋଇଥାଏ। ରଥ ନିର୍ମାଣର କେତେକ ନିର୍ଦ୍ଦିଷ୍ଟ କାର୍ୟ୍ୟ ବିଭିନ୍ନ ତିଥି ଯଥା- ଶ୍ରୀରାମ ନବମୀରେ କରତ କଳରେ ରଥ କାଠ ଚିରାର ଶୁଭାରମ୍ଭ। ଭଉଁରୀ ଦିନ ୬ଟି ଚକ ଡେରା ହୋଇ ଆଜ୍ଞାମାଳ ଲାଗି, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ଓ ଦେବସ୍ନାନ ପୂର୍ଣ୍ଣିମା ଦିନ ଚାରି ନାହାକ ଡେରା ଅନୁକୂଳ ହୋଇଥାଏ।
ତ୍ରିରଥ ବର୍ଣ୍ଣନା:
ଶ୍ରୀଜଗନ୍ନାଥଙ୍କ ରଥ:
ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ, ରଥର ଉଚ୍ଚତା ୩୩ ହାତ ୫ ଆଙ୍ଗୁଳି। ୮୩୨ ଖଣ୍ଡ କାଷ୍ଠରେ ଏହା ନିର୍ମିତ। ଏହି ରଥର ୧୬ଟି ଚକ ରହିଛି। ରଥ ରକ୍ଷକ- ଗରୁଡ଼, ଧ୍ୱଜାଧିପତି- ହନୁମାନ, ଆୟୁଧ- ଚନ୍ଦ୍ର ଓ ଶଙ୍ଖ, ରଥାବରଣ- ରକ୍ତପୀତ, ରଥ ମୂର୍ଦ୍ଧ୍ନିନ ଦେବତା- କଲ୍ୟାଣ ସୁନ୍ଦର, ଶକ୍ତି- ବିମଳା ଓ ବିରଜା, ରଥର ପାର୍ଶ୍ୱନବ ଦେବତା- ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନ ଧାରଣ, ଚିନ୍ତାମଣି, ରାଘବ ଓ ନୃସିଂହ, ରଥ ଅଶ୍ୱ-ଶଙ୍ଖ, ବଳାହକ, ଶ୍ୱେତ, ହରିବଶ୍ୱ, ସାରଥୀର ନାମ- ଦାରୁକ, ରଥରଜ୍ଜୁ- ଶଙ୍ଖଚୂଡ଼ ନାମ୍ନୀ ନାଗୁଣୀ, ରଥ ଦେବୀ- ଯୋଗମାୟା, ରଥ ଭୈରବ- ଏକପାଦ, ନନ୍ଦ ଓ କୁବେର ଚାରଣ, ଋଷି ପଟାରେ- ନାରଦ, ଦେବଳ, ବ୍ୟାସ, ଶୁକ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର, ଇନ୍ଦ୍ର ଆଦି ଅଷ୍ଟଋଷି, ଦ୍ୱାରପାଳ- ଜୟ ଓ ବିଜୟ, ନେତର ନାମ- ତ୍ରୈଲୋକ୍ୟ ମୋହିନୀ, ଆରୋହୀ ଦେବତା- ଶ୍ରୀଜଗନ୍ନାଥ।
ଶ୍ରୀସୁଭଦ୍ରାଙ୍କ ରଥ:
ସୁଭଦ୍ରାଦେବୀଙ୍କ ରଥର ନାମ ଦର୍ପଦଳନ। ରଥର ଉଚ୍ଚତା ୩୧ ହାତ। ୫୯୩ ଖଣ୍ଡ କାଠରେ ନିର୍ମିତ, ଏହି ରଥ ୧୨ଟି ଚକ ବିଶିଷ୍ଟ। ରଥ ରକ୍ଷକ ହେଉଛନ୍ତି- ଜୟଦୁର୍ଗା, ଧ୍ୱଜାଧିପତି- ତ୍ରିପୁରା ସୁନ୍ଦରୀ, ରଥାବରଣ- ଲୋହିତ କୃଷ୍ଣ, ରଥ ମୂର୍ଦ୍ଧ୍ନି ଦେବତା- ଭକ୍ତି ସୁମେଧା (ଚାମର ହସ୍ତା), ରଥର ପାର୍ଶ୍ୱ ଦେବତା ହେଉଛନ୍ତି- ବିମଳା, ଚାମଣ୍ଡା, ଭଦ୍ରକାଳୀ, ହରଚଣ୍ଡିକା, ମଙ୍ଗଳା, ବାରାହୀ କାତ୍ୟାୟିନୀ, ଜୟଦୁର୍ଗା ଓ କାଳୀ, ସାରଥୀର ନାମ- ଅର୍ଜ୍ଜୁନ, ରଥ ରକ୍ଷକ- ଉଗ୍ରଚଣ୍ଡୀ, ଏହି ରଥର ଚାରିଗୋଟି ଅଶ୍ୱର ନାମ ହେଉଛି- ରୋଚିକା, ମୋଚିକା, ଜିତା ଓ ଅପରାଜିତା, ରଥ ରଜ୍ଜୁ ବା ଦଉଡ଼ିର ନାମ- ସ୍ୱର୍ଣ୍ଣଚୂଡ଼ ନାଗ, ରଥଦେବୀ- ଶ୍ରୀ-ଭୁ, ଋଷି ପଟାରେ- ଭୃଗୁ, ସୁପ୍ରଭା, ବକ୍ର, ଶୃଙ୍ଗୀ, ଧ୍ରୁବ, ଭଲ୍ଲୁକ, ରଥ କୁମ୍ଭର ନାମ- ଅମୃତା, ଜୀବା, କାୟା, ହ୍ରିଂବୀଜ, ଦ୍ୱାରପାଳିକ- ଗଙ୍ଗା, ଯମୁନା, ନେତର ନାମ- ନାଦାମ୍ବିକା।
ଶ୍ରୀବଳଭଦ୍ରଙ୍କ ରଥ:
ଶ୍ରୀ ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଆରୋହୀ ଶ୍ରୀ ବଳଭଦ୍ର। ରଥର ଉଚ୍ଚତା ୩୨ ହାତ ୧୦ ଆଙ୍ଗୁଳି। ୭୬୩ ଖଣ୍ଡ କାଷ୍ଠରେ ନିର୍ମିତ। ଏହି ରଥ ୧୪ ଗୋଟି ଚକ ବିଶିଷ୍ଟ। ରଥ ରକ୍ଷକ- ବାସୁଦେବ, ଆୟୁଧ- ହଳ ଓ ମୂଷଳ, ରଥାବରଣ- ରକ୍ତ ନୀଳ, ରଥ ମୂର୍ଦ୍ଧ୍ନି ଦେବତା- ଅନନ୍ତ ନାଗ, ରଥ ପାର୍ଶ୍ୱ ଦେବତା- ପ୍ରଣମ୍ୱାରୀ, ଗଦାନ୍ତକାରୀ, ହରିହର, କ୍ରମ୍ବକ, ବାସୁଦେବ ନାଟାମ୍ବାର, ଅଘୋର, ତ୍ରିପୁରା ଶିବ, ସାରଥୀର ନାମ- ମାତଳି, ରଥ ରକ୍ଷକ- ଭାସ୍କର, ରଥ ଅଶ୍ୱ-ତିବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ, ରଥରଜ୍ଜୁ- ବାସୁକୀ, ରଥ ଭୈରବ- କ୍ଷେତ୍ରପାଳ, ଋଷି ପଟାରେ- ଅଙ୍ଗିରା, ପୌଲସ୍ତ୍ୟ, ପୁଲହ, ଅଗସ୍ତି, କୃଷ୍ଣ, ମଦୁଲ, ଆତ୍ରେୟ, କଶ୍ୟପ, ରଥ କୁମ୍ଭର ନାମ- ଭୁବନ, ବିମ୍ବ, ପୃଥିବୀ, ଦ୍ୱାରପାଳ- ନନ୍ଦ, ସୁନନ୍ଦ, ନେତର ନାମ- ଉନ୍ନନି।
ନେତ୍ରୋତ୍ସବ ଦିନ ରାତ୍ରରେ ଠାକୁରମାନଙ୍କ ବାହୁଟ କଣ୍ଟ, ସେନାପଟା, ଶୁକ୍ଳ ସଜ ଇତ୍ୟାଦି ଲାଗି କାର୍ୟ୍ୟ ସରିଥାଏ। ରଥଯାତ୍ରା ଉପଲକ୍ଷେ ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଏକ ନୀତି ନିର୍ଘଣ୍ଟ ପୁସ୍ତିକାରେ ଶ୍ରୀଗୁଣ୍ଡିଚା (ରଥଯାତ୍ରା) ଦିନର ନୀତି ଓ ସମୟ ଉଲ୍ଲେଖ ହୋଇଥାଏ। ନୀତିଗୁଡ଼ିକ ମଧ୍ୟରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ୟ୍ୟ ପୂଜା, ଦ୍ୱାରପାଳ ପୂଜା, ଦେଶ, ବଲ୍ଲଭ ଓ ସକାଳ ଧୂପ (ଖେଚେଡ଼ି ଭୋଗ), ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ, ପହଣ୍ଡି ଶେଷ, ମଦନମୋହନ ଓ ରାମ, କୃଷ୍ଣଙ୍କ ରଥ ଉପରକୁ ବିଜେ, ଚିତାଲାଗି, ଛେରା ପହଁରା, ଚାରମାଳ ଫିଟା ଓ ଘୋଡ଼ା ସାରଥୀ ଲାଗିବା, ରଥଟଣା ଆରମ୍ଭ ରଥଟଣା ଶେଷ (ରଥ ଲାଗିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହୋଇଥାଏ) ଇତ୍ୟାଦି ଅନ୍ୟତମ।
ରଥଯାତ୍ରା ଦିନ ପ୍ରାତଃ ସମୟରୁ ଅବକାଶ, ରୋଷ, ହୋମ, ଦ୍ୱାରପାଳ ପୂଜା ଇତ୍ୟାଦି ନୀତି ସମାପନ ହେବା ପରେ ଶ୍ରୀମନ୍ଦିର ବାହାର ବେଢ଼ାର ସ୍ନାନ ଦେବୀ ସମ୍ମୁଖସ୍ଥ ଚାହାଣୀ ମଣ୍ଡପରେ ତିନିରଥର ପ୍ରତିଷ୍ଠା କର୍ମ ଓ ପୂଜାହୋମ ହୋଇଥାଏ। ଶ୍ରୀମନ୍ଦିର ଦେଉଳ ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନେ ଏହି ପ୍ରତିଷ୍ଠା କାର୍ୟ୍ୟ କରିଥାନ୍ତି। ଏହାପରେ ଘଣ୍ଟ, ଛତା, କାହାଳି ସହ ତିନି ରଥ ପ୍ରତିଷ୍ଠାର ସଂସ୍କାରାଦି କାର୍ୟ୍ୟ ହୋଇଥାଏ। ଏସବୁ ନୀତି ଶେଷ ହେବାରେ ଶ୍ରୀଜୀଉମାନଙ୍କର ସକାଳ ଧୂପ (ଖେଚେଡ଼ି ଭୋଗ) ହୋଇଥାଏ। ଭୋଗ ସରିଲେ ଭିତରେ ପାଣି ପଡ଼ି ତିନୋଟି ପିତଳ ବଟାରେ ଅଠର ମୂର୍ତ୍ତି ପାତ୍ର ସଜ ନେଇ ମଙ୍ଗଳାର୍ପଣ ଜିନିଷ ସଂଗ୍ରହ ହୋଇ ଆସିଥାଏ ଓ ତିନିବାଡ଼ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ। ପରେ ଡୋର ଲାଗି, ପୁଷ୍ପାଞ୍ଜଳି ଓ ତୁଳି ଲାଗି ବଢ଼ିଲେ ଠାକୁରମାନଙ୍କ ରୁନ୍ଧା ଫିଟେ। ରଥଯାତ୍ରା ଦିନ ଧାଡ଼ି ପହଣ୍ଡିରେ ଠାକୁରମାନଙ୍କୁ ପହଣ୍ଡି ବିଜେ କରାଯାଏ। ପହଣ୍ଡି ସମୟରେ ଘଣ୍ଟ, କାହାଳି, ଛତ୍ରି ଇତ୍ୟାଦି ଆଗେ ଆଗେ ରହିଥାଏ।
ପ୍ରଥମେ ଶ୍ରୀସୁଦର୍ଶନ ତତ୍ପରେ କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ବିଜେ ହୋଇଥାଏ। ସମସ୍ତ ବିଗ୍ରହ ଜଗମୋହନ ଦେଇ ସାତ ପାହାଚ ଉପରକୁ ବିଜେ ହେବା ପରେ ରାଘବଦାସ ମଠ ପ୍ରଦତ୍ତ ଫୁଲ ଟାହିଆ ପରିଧାନ କରିଥାନ୍ତି ଓ ପନ୍ତୀ ଭୋଗ ହୋଇଥାଏ। ସାତ ପାହାଚରୁ ଭିତର ବେଢ଼ା, ଆନନ୍ଦ ବଜାର ଓ ବାଇଶି ପାହାଚ ଦେଇ ରଥ ଉପରକୁ ବିଜେ କରିଥାନ୍ତି। ବିଭିନ୍ନ ମଠ, ନିଯୋଗ ଓ ସେବାୟତଙ୍କ ତରଫରୁ ଏହି ସମୟରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପନ୍ତୀ ଭୋଗ ହୋଇଥାଏ। ଶ୍ରୀସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୋଇଥାନ୍ତି। ଏହାପରେ ମଦନମୋହନ ଶ୍ରୀଜଗନ୍ନାଥଙ୍କ ରଥକୁ ଓ ରାମ, କୃଷ୍ଣ ଶ୍ରୀବଳଭଦ୍ରଙ୍କ ରଥ ଉପରକୁ ପୁଷ୍ପାଳକ ମହାଜନଙ୍କ ହସ୍ତରେ ବିଜେ ହୋଇଥାନ୍ତି।
ପରେ ରତ୍ନଭଣ୍ଡାର ଦ୍ୱାର ନିକଟରେ ଥିବା ଦୁଇଗୋଟି ବଡ଼ ସିନ୍ଦୁକ ଅଣାଯାଇ ସମ୍ପୃକ୍ତ ରଥ ଉପରେ ରଖାଯାଇଥାଏ। ଏସବୁ କାର୍ୟ୍ୟ ପରେ ଘଣ୍ଟ, ଛତା, କାହାଳି ସହ ଶ୍ରୀମନ୍ଦିର ବଣିଆମାନଙ୍କୁ ଘରୁ ତିନି ଠାକୁରଙ୍କ ପାଇଁ ଚିତା ଆସିଥାଏ। ଠାକୁରମାନଙ୍କୁ ଏହି ଚିତା ଲାଗି ହୋଇ ପାଟଖଣ୍ଡୁ ଆଦି ଓ ଫୁଲ, ତୁଳସୀ ମାଳରେ ଭୂଷିତ କରାଯାଇଥାଏ। ଉପରୋକ୍ତ ନୀତିମାନ ଶେଷ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାୟିତ୍ୱସମ୍ପନ୍ନ ଅଧିକାରୀ ଓ କର୍ମଚାରୀ ଗଜପତି ମହାରାଜାଙ୍କୁ ଛେରା ପହରା କାର୍ୟ୍ୟ ନିମନ୍ତେ ପାଛୋଟି ଆଣିବାକୁ ତଥା ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ଜଣାଇବା ପାଇଁ ଶ୍ରୀନହରକୁ ଗମନ କରିଥାନ୍ତି। ଶ୍ରୀନହରରୁ ଏକ ସୁସଜ୍ଜିତ ମେହେନା (ପାଲିଙ୍କି)ରେ କାହାଳୀ, ଛତି, ତରାସ ସହ ଗଜପତି ମହାରାଜା ତିନି ରଥ ଅଭିମୁଖେ ବିଜେ କରନ୍ତି। ବାସ୍ତବିକ ଏ ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ।
ଲକ୍ଷାଧିକ ଭକ୍ତ ନରନାରୀଙ୍କ ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥାଏ। ରଥ ନିକଟରେ ପହଞ୍ଚି ଗଜପତି ପ୍ରଥମେ ହାତ ଧୋଇ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ କର୍ପୂର ଆଳତି ଓ ସୁନା ଚାମର ଆଲଟ କରିଥାନ୍ତି। ତତ୍ପରେ ସୁନା ଖଡ଼ିକା ଧରି ରଥ ଉପରେ ଚତୁଃପାର୍ଶ୍ୱ ପହଁରିବା ସମୟରେ ତାଙ୍କର ଆଗେ ଆଗେ ନୀତି ସମ୍ପୃକ୍ତ ସେବକ ଶୁକ୍ଳ ଫୁଲ ବଞ୍ଚିଥାନ୍ତି। ପହଁରା ସରିଲେ ଜନୈକ ସେବକ ଚନ୍ଦନ ଜଳ ଓ ଚନ୍ଦନ ଗୁଣ୍ଡ ବିଞ୍ଚିଥାନ୍ତି। ଏହିପରି ତିନିରଥରେ ଛେରା ପହଁରା କାର୍ୟ୍ୟ ଶେଷ ହେଲେ ଗଜପତି ଶ୍ରୀନହରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
ଏହାପରେ ସାରଥୀମାନଙ୍କୁ ସଂପୃକ୍ତ ରଥ ଉପରକୁ ନିଆଯିବା ପରେ ରଥର ଚାରମାର ଫିଟା ଯାଇଥାଏ। ତତ୍ପରେ ରଥରେ ଘୋଡ଼ା ଓ ଦଉଡ଼ି ବନ୍ଧାଯିବା ପରେ ରଥଟଣା ଆରମ୍ଭ ହୋଇଥାଏ। ଏହି ଦଉଡ଼ି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ତଥା କଲିକତା ଓ କେରଳ ଦଉଡ଼ି କମ୍ପାନୀମାନଙ୍କର ରଥଯାତ୍ରାର ଯଥେଷ୍ଟ ସମୟ ପୂର୍ବରୁ ବରାଦ ଦିଆଯାଇ ସଂଗ୍ରହ କରାଯାଇଥାଏ। ରଥ ଉପରେ ଡାହୁକ ଓ ଘଣ୍ଟୁଆଙ୍କ ଘଣ୍ଟ ବାଦ୍ୟ ବାଜିଲେ ପରମ୍ପରା କ୍ରମେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଗୁଣ୍ଡିଚା ଘର ଦିଗରେ ଅଗ୍ରସର ହୁଏ। ରଥଚାଳନା ନିମନ୍ତେ ଜିଲ୍ଲା, ଶ୍ରୀମନ୍ଦିର ତଥା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ନିର୍ଦ୍ଦେଶ ଅନୁସାରେ ରଥଟଣା ହୋଇଥାଏ।
ସାଧାରଣତଃ ପ୍ରତିବର୍ଷ ରଥଯାତ୍ରା ଉପଲକ୍ଷେ ଜିଲ୍ଲା ତଥା ଶ୍ରୀମନ୍ଦିର ପ୍ରଶାସନ ସ୍ତରରେ ଅନେକବାର ସମନ୍ୱୟ ବୈଠକ ବସିଥାଏ। ଜିଲ୍ଲାର ପୂର୍ତ୍ତବିଭାଗ, ଜନସ୍ୱାସ୍ଥ୍ୟ, ବିଦ୍ୟୁତ୍, ପୋଲିସ, ପୌରସଂସ୍ଥା, ସ୍ୱାସ୍ଥ୍ୟ, ପରିବହନ, ଯୋଗାଣ ଇତ୍ୟାଦି ବିଭାଗ ଏଥିରେ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ହୋଇ କାର୍ୟ୍ୟ କରିଥାନ୍ତି।
ଗୁଣ୍ଡିଚା ଘରେ ସପ୍ତଦିବସ ବ୍ୟାପୀ ଠାକୁରମାନେ ଅବସ୍ଥାନ କରି ପୁନଶ୍ଚ ଆଷାଢ଼ ଶୁକ୍ଳ ଦଶମୀରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି। ଏକାଦଶୀ ତିଥିର ରାତ୍ରରେ ରଥସ୍ଥ ଠାକୁରମାନଙ୍କ ସୁନାବେଶ (ବଡ଼ତଡ଼ଉ ବେଶ) ଅନୁଷ୍ଠିତ ହୋଇଥାଏ। ପରିଶେଷରେ ନୀଳାଦ୍ରି ବିଜେ ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି କରାଯାଇ ରତ୍ନ ସିଂହାସନକୁ ବିଜେ କରାଯାଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/06/rath-yatra.jpg)