ଅଯୋଧ୍ୟାରେ ରାମ ଆସିଲେ, ବିହାରରେ ପଲଟୁରାମ । ନୀତିଶଙ୍କ ଇସ୍ତଫା ପରେ ବର୍ଷିଲେ ସଞ୍ଜୟ ରାଉତ ।

198

କନକ ବ୍ୟୁରୋ : ବିହାରରେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ ଇସ୍ତଫା ଦେବା ସହ ଭାଙ୍ଗିଛି ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାର । ଏହାସହ ଏନଡିଏ ସହ ମିଶି ସରକାର ଗଢିବାକୁ ନିଷ୍ପତ୍ତି ନେଇଛନ୍ତି ନୀତିଶ । ତେବେ ନୀତିଶଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବର୍ଷିଛନ୍ତି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ । ନୀତିଶଙ୍କ ଇସ୍ତଫାକୁ ନେଇ ସଞ୍ଜୟ କହିଛନ୍ତି, ଅଯୋଧ୍ୟାକୁ ରାମ ଆସିଛନ୍ତି, ବିହାରକୁ ପଲଟୁରାମ ।
ସଞ୍ଜୟ କହିଛନ୍ତି, ନୀତିଶ ମାନସିକ ରୂପେ ଅସ୍ଥିର । ଇଣ୍ଡିଆ ମେଣ୍ଟର ସ୍ଥିତି ବେଶ ଉତ୍ତମ ଥିବା ବେଳେ ମମତା ଏବେ ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟରୁ ବାହାରି ନାହାନ୍ତି । ଆମ ଆଦମୀ ପାର୍ଟି ମଧ୍ୟ ମେଣ୍ଟରୁ ଓହରିନି । କେବଳ ନୀତିଶ କୁମାରଙ୍କ ପଲଟୁରାମ ଖେଳ ଜାରି ରହିଛି । ନୀତିଶଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ଆମେ ତାଙ୍କୁ ଦୀର୍ଘଦିନ ହେବ ଅତି ପାଖରୁ ଜାଣିଛୁ । ନୀତିଶ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । ନୀତିଶ କୁମାର ମେଣ୍ଟରୁ ଦୂରେଇ ଯିବା ପରେ ବିହାର ରାଜନୀତିରେ ଯେ କୌଣସି ଫରକ ପଡିବ ତାହା କାଇଁ ଲାଗୁନି । କଂଗ୍ରେସ, ତେଜସ୍ୱୀ ଓ ଅନ୍ୟ ଛୋଟ ଦଳ ଏବେ ସାଥୀରେ ଅଛନ୍ତି । ଆପ୍ ସହ ଦିଲ୍ଲୀରେ କଂଗ୍ରେସର ସହମତି ହୋଇ ସାରିଛି । ପଞ୍ଜାବରେ ସ୍ଥିତି ଭିନ୍ନ ରହିଛି ।

ସେହିଭଳି ତେଜସ୍ୱୀ ଯାଦବ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯଦି ଲାଲୁ ଯାଦବ ବିଜେପି ସହ ହାତ ମିଳାଇଥାନ୍ତେ ତେବେ ଆଜି ଦେଶର ରାଜା ହରିଶ୍ଚନ୍ଦ୍ର ହୋଇଥାନ୍ତେ । ତଥାକଥିତ ଚାରା ଦୁର୍ନୀତି ମାତ୍ର ୨ ମିନିଟରେ ଭାଇଚାରା ଦୁର୍ନୀତି ହୋଇଥାନ୍ତା ଯଦି ଲାଲୁ ଯାଦବଙ୍କର ଡିଏନଏ ବଦଳି ଯାଇଥାନ୍ତା । ଏଣ୍ଡୁଅ ତ ଏମିତିରେ ବଦନାମ, କିନ୍ତୁ ରଙ୍ଗ ବଦଳାଇବା ନୀତିରେ ପଲିଟିକ୍ସ କୁମାରଙ୍କୁ ଏଣ୍ଡୁଅ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍ ।