ବାଂଲାଦେଶରେ ରହିଛି ଜଗନ୍ନାଥଙ୍କ ନାଁରେ ନାମିତ ସ୍ଥାନ । ଜଗତରେ ବ୍ୟାପ୍ତ ଜଗନ୍ନାଥ ।
ଭାରତ ବାଦ୍ ଅନେକ ଦେଶରେ ଜଗନ୍ନାଥ ସଂସ୍କୃତିର ଝଲକ । ଜଗନ୍ନାଥଙ୍କ ନାମରେ ନାମିତ ହୋଇଛି ବିଭିନ୍ନ ସ୍ଥାନ ।
କନକ ବ୍ୟୁରୋ: ଭାରତ ବାଦ୍ ବିଭିନ୍ନ ଦେଶରେ ରହିଛି ଜଗନ୍ନାଥଙ୍କ ନାମରେ ନାମିତ ସ୍ଥାନ । ସାଂସ୍କୃତିକ ରୂପରେଖର ଅଧ୍ୟୟନ ପାଇଁ ସ୍ଥାନ ନାମକୁ ପ୍ରାମାଣିକ ତଥ୍ୟ ଭାବେ ନିଆଯାଇପାରେ । ବିଭିନ୍ନ ସମ୍ପ୍ରଦାୟର ସ୍ଥାନାନ୍ତର ଓ ଅତୀତର ମତବାଦ ସମ୍ପର୍କୀୟ ସ୍ତର ପରେ ସ୍ତର ହୋଇ ରହିଥିବା ଅବଲୁପ୍ତ ତଥ୍ୟମାନ ସ୍ଥାନ ନାମରୁ ଜଣାଯାଇଥାଏ । କେଉଁ ଆଦି ଅନାଦି କାଳରୁ ବିଶ୍ୱର ବିଭିନ୍ନ ସ୍ଥାନଗୁଡ଼ିକ ଦେବାଦେବୀଙ୍କ ନାମ ଅନୁସାରେ ନାମିତ କରାଯାଇଛି । ସେହିଭଳି ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନାମରେ ଭାରତ ବାଦ୍ ବାଂଲାଦେଶର ବିଭିନ୍ନ ଗ୍ରାମକୁ ନାମିତ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କେତେକ ସ୍ଥାନରେ ଜଗନ୍ନାଥ ଶବ୍ଦରେ ଦ୍ୱିତୀୟ ‘ନ୍ନ’ର ବ୍ୟହାର ହୋଇଥିବାବେଳେ ଆଉ କେତେକ ସ୍ଥାନରେ ଏକକ ‘ନ’ର ବ୍ୟବହାର ଦେଖିବାକୁ ମିଳେ । ଭାରତର ୩୬୮ଟି ଗ୍ରାମ ଏବଂ ସହରର ନାମ ଆରମ୍ଭରୁ ‘ଜଗନ୍ନାଥ‘ ଶବ୍ଦ ରହିଥିବାର ଜଣାଯାଏ । ସେହିଭଳି ଦେଶର ୨୦୬ଟି ସ୍ଥାନରେ ଏକ ପ୍ରକାରର ‘ଜଗନ୍ନାଥ‘ ଶବ୍ଦ ବ୍ୟବହାର କରାଯିବା ସହିତ ବିଭିନ୍ନ ସ୍ଥାନର ନାମ ପୂର୍ବରୁ ‘ଜଗନ୍ନାଥ‘ ନାମ ରଖାଯାଇଛି । ବିଶେଷ କରି ପଶ୍ଚିମବଙ୍ଗର ନଦିଆ ଏବଂ କୁଚବିହାର ଜିଲ୍ଲାରେ ଗୋଟିଏ ଗୋଟିଏ ସ୍ଥାନରେ ‘ଜଗନ୍ନାଥ‘ ଶବ୍ଦର ପୂର୍ବରୁ କିମ୍ବା ପରେ କୌଣସି ଶବ୍ଦ ବ୍ୟବହାର କରାଯାଇ ନଥିବା ଜଣାଯାଇଛି ।
ଆମ ଦେଶର ବିଭିନ୍ନ ସ୍ଥାନ ନାମ ଆରମ୍ଭରେ ଜଗନ୍ନାଥ ନାମ ରହି ତା’ସହିତ ପୁର, ପୁରୀ, ପୁରମ୍, ଡ଼େରା, ଗିରି, ପଲେ, ପଲ୍ଲୀ, ଡ଼ିଆଛକ, ପ୍ରସାଦ, ଭଟ୍ଟା, ଶାସନ , ପାଟଣା, ବଲ୍ଲଭ, ପଟି, ମହେରୁ, ଗୋକେଲ୍,ବାଟୀ, ଛକ, କାରବାର୍, ପଡ଼ା, ‘ଡ଼ି’ ଭଳି ଶଦ୍ଧ ଯୋଡ଼ାଯାଇଛି । ଓଡ଼ିଶା ଜଗନ୍ନାଥ ମହାପ୍ରଭୁଙ୍କ ଦେଶ ହୋଇଥିବାରୁ ଏହାର ୧୫୬ଟି ସ୍ଥାନ ନାମର ପ୍ରାରମ୍ଭରେ ଜଗନ୍ନାଥ ଏବଂ ଜଗନାଥ ଶବ୍ଦର ବ୍ୟହାର କରାଯାଇଛି । ଏହା ମଧ୍ୟରୁ ୯୮ଟି ସ୍ଥାନରେ ଏକକ ‘ନ’ ବ୍ୟବହାର କରାଯାଇଥିବା ସ୍ଥଳେ ୫୮ଟି ଜାଗାରେ ଦ୍ୱିତୀୟ ‘ନ୍ନ’ ରହିଛି । ଓଡ଼ିଶାକୁ ବାଦ୍ ପଶ୍ଚିମବଙ୍ଗର ୮୬ଟି ସ୍ଥାନର ନାମ ପୂର୍ବରୁ ଜଗନ୍ନାଥ/ଜଗନାଥ ନାମ ରହିଛି ।
କେବଳ ଭାରତ ନୁହେଁ ବାଂଲାଦେଶରେ ମଧ୍ୟ ଜଗନ୍ନାଥଙ୍କ ନାମ ନାମିତ ରହିଛି ବିଭିନ୍ନ ସ୍ଥାନ । ବାଂଲାଦେଶର ବିଭିନ୍ନ ଗ୍ରାମର ନାମ ପୂର୍ବରୁ ଜଗନ୍ନାଥ ଓ ଜଗନାଥ ଶବ୍ଦ ରହିଥିବାରୁ ଏହି ଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ବେଶ୍ ପରିଲିକ୍ଷିତ ହୁଏ । ତେବେ ବାଂଲାଦେଶରେ ଅଧିକାଂଶ ସ୍ଥାନ ଦ୍ୱିତୀୟ ‘ନ୍ନ’ ସହିତ ଜଗନ୍ନାଥ ଶବ୍ଦର ବ୍ୟବହାର କରାଯାଏ । ତଥ୍ୟ ମୁତାବକ ବାଂଲାଦେଶରେ ଅତି କମରେ ୩୭ଟି ସ୍ଥାନର ପୂର୍ବରୁ ଜଗନ୍ନାଥ ଅଥବା ଜଗନାଥ ଶବ୍ଦ ରହିଛି । ଏହା ମଧ୍ୟରୁ ପ୍ରାୟ ୨୬ଟି ଗ୍ରାମ ଜଗନ୍ନାଥପୁର ଭାବେ ନାମିତ ହୋଇଛି । ଏହା ବ୍ୟତୀତ ଜଗନ୍ନାଥ ଶବ୍ଦ ପରେ ବାଡ଼ି,ହାଟ,ଡ଼ି,କାଣ୍ଡି,ଡ଼ିଆ ଏବଂ ପଟି ବ୍ୟବହାର କରାଯାଇଥାଏ ।
ବାଂଲାଦେଶର ବିଭନ୍ନ ସ୍ଥାନର ଅକ୍ଷାଂଶା/ ଦ୍ରାଘିମାର ବର୍ଣ୍ଣନା ସହିତ ସ୍ଥାନ ନାମରେ ଆଦ୍ୟରେ ‘ଜଗନ୍ନାଥ‘ ଓ ଜଗନାଥ ଶବ୍ଦର ବ୍ୟବହାର ହୋଇଛି । ସେହିଭଳି ଆଗାମୀ ଦିନମାନଙ୍କରେ ଭାରତ ଏବଂ ଭାରତ ବାହାରେ ଜଗନାଥ ଏବଂ ଜଗନ୍ନାଥ ସଂଯୁକ୍ତ ବିଭିନ୍ନ ସ୍ଥାନର ଶିଳାଲିପି, ସାହିତ୍ୟ, ଲୋକକଥା, ସ୍ଥାନୀୟ ରୀତିନୀତି ଇତ୍ୟାଦିର ଅନୁଧ୍ୟାନ ଏବ ବିଷୟରେ ଅଧିକ ତଥ୍ୟ ପ୍ରଦାନ କରିପାରିବ ତଥା ଜଗନ୍ନାଥ ଧର୍ମ ଧାରଣାର ରୂପରେଖ ସର୍ମ୍ପକରେ ଅଲୋକପାତ କରିପାରିବେ । ସେ ଯାହା ହେଉ ଏଥିରୁ ଜଣାଯାଏ ଯେ, ଜଗନ୍ନାଥ ଶବ୍ଦର ବହୁଳ ବ୍ୟବହାର କେବଳ ଭାରତ ନୁହେଁ ଅନ୍ୟ ଦେଶମାନଙ୍କରେ ହୋଇଛି ।
ନିକଟରେ ଉନ୍ନୟନ କମିଶନର ପଦରୁ ଅବସର ନେଇଥିବା ଆର. ବାଲକ୍ରିଷ୍ଣନଙ୍କ ଦ୍ୱାରା ରଚିତ ଇଂରାଜୀ ପୁସ୍ତକ ‘ଫ୍ରୋଜନ ଫୁଟପ୍ରିଂଟସ’ର ଓଡିଆ ଅନୁବାଦ ‘ଆବଦ୍ଧ ପଦଚିହ୍ନ’ (ଅନୁବାଦକ – ସଂଗ୍ରାମ ମହାପାତ୍ର) ପୁସ୍ତକରୁ କିଛି ଅଂଶ ।