କାଲି ବଡ଼ ଦାଣ୍ଡରେ ଗଡ଼ିବ ରଥ । ସାଆନ୍ତେଙ୍କ ରଥଯାତ୍ର ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର, ରଥ-ପଥ ପ୍ରସ୍ତୁତିରେ ପ୍ରଶାସନ ଓ ସେବାୟତ

413

କନକ ବ୍ୟୁରୋ : ରାତି ପାହିଲେ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ, ମହାପ୍ରଭୁଙ୍କ ସବୁଠାର ବଡ ଯାତ୍ରା ଘୋଷଯାତ୍ରା । ଶ୍ରୀଗୁଣ୍ଡିଚାରେ ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା’ ଘରକୁ ଯିବେ କାଳିଆ ଠାକୁର । ଏଥିପାଇଁ ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଅପେକ୍ଷ କେବଳ ସେହି ମୂହୁର୍ତକୁ । ଯେତେବେଳେ ମହାପ୍ରଭୁ ରତ୍ନ ସିଂହାସନ ଛାଡି ବଡ ଦାଣ୍ଡକୁ ଓହ୍ଲାଇ ଆସିବେ । ସେତେବେଳେ ମହାପ୍ରଭୁଙ୍କୁ ଆଖି ପୁରାଇ ଦେଖିବ ସାରା ଜଗତ । ଚକା ନୟନରେ ସମସ୍ତଙ୍କୁ ଦେଖିବେ ମହାପ୍ରଭୁ । ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା ପାଇଁ କର୍ଫ୍ୟୁ କଟକଣା ବଳବତର ରହିବ ।
ସେପଟେ, ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ଏଡିଜି । ଅତିରିକ୍ତ ଡ଼ିଜି ରାଧାକୃଷ୍ଣ ଶର୍ମା ଓ କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ପୁରୀରେ ପହଂଚି ସମୀକ୍ଷା ବୈଠକ କରିଛନ୍ତି । ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ ହେବେ । ସେପଟେ ରଥ ଟାଣିବା ପାଇଁ ଆଖଡା ଶାଳରେ ନିଜକୁ ପ୍ରସ୍ତୁତ କରୁଛନ୍ତି ସେବାୟତ । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଛି । କେବଳ ସେବାୟତମାନେ ରଥ ଟାଣିବେ । ସେଥିପାଇଁ ଏବେ ସେବାୟତମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି । ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ପାଇଁ ଚଳଚଂଚଳ ହୋଇ ଉଠିଛି ବଡଦାଣ୍ଡ । ସାଆନ୍ତଙ୍କ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର ।