ଜୈବ ବଳୟ ସୁରକ୍ଷା ଭିତରେ ଚାଲିଛି ରଥନିର୍ମାଣ କାମ : ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ

109

କନକ ବ୍ୟୁରୋ : ରଥଖଳାରେ ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଦିଆଯାଉଛି ବିଶେଷ ଗୁରୁତ୍ୱ । ରଥଖଳାକୁ ଜୈବ ବଳୟ ମଧ୍ୟରେ ଦିଆଯାଇଛି ବିଶେଷ ସୁରକ୍ଷା । ଅନଧିକୃତ ବ୍ୟକ୍ତି ବିଶେଷଙ୍କ ଉପରେ ଲାଗିଛି କଡା କଟକଣା । ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ପାଇଁ ରହିଛି କଡା ନିର୍ଦ୍ଦେଶ ।

ସେପଟେ ରଥଖଳାକୁ ସାନିଟାଇଜ କରାଯାଇଛି । ରଥଖଳାରେ କାର୍ଯ୍ୟ ସରିବା ପରେ ଗତକାଲି ବିଳମ୍ବିତ ରାତିରେ ସାନିଟାଇଜ କରାଯାଇଛି । ରଥଖଳାର ବିଭିନ୍ନ ସ୍ଥାନକୁ ଅଗ୍ନିଶମ ବିଭାଗର ଟେକ୍ନିକାଲ ଟିମ ହ୍ୟାଣ୍ଡ ସ୍ପ୍ରେ ଜରିଆରେ ସାନିଟାଇଜ କରିଛି । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ସାନିଟାଇଜ କରାଯିବା ସହ ବିଭିନ୍ନ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି । ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ମଧ୍ୟରୁ ୧୨ଜଣ ବିଶ୍ୱକର୍ମା ସେବାୟତ ଓ ୬ଜଣ ଭୋଇ ସେବକ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କାର୍ଯ୍ୟରେ ଯୋଗଦେବା ପୂର୍ବରୁ ରଥନିର୍ମାଣ ସେବକଙ୍କ କୋଭିଡ ଟେଷ୍ଟ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯାଉଛି । ନେଗେଟିଭ ରିପୋର୍ଟ ଥିଲେ ରଥନିର୍ମାଣରେ ସାମିଲ ହେଉଛନ୍ତି । ସେହିପରି ରିପୋର୍ଟ ପଜିଟିଭ ଆସିଲେ ନିଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଂଟରରେ ଚିକିତ୍ସା ପାଇଁ ଭର୍ତି କରାଯାଉଛି । ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ରଥଖଳାକୁ ବାୟୋବବଲ୍ ସୁରକ୍ଷା ଦିଆଯାଉଛି । ଯେଉଁମାନେ ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଏହି ବଳୟ ଭିତରେ ରହିବେ ଓ କାହା ସଂସ୍ପର୍ଶରେ ନଆସି କାର୍ଯ୍ୟ କରିବେ ।

ଜୈବ ବଳୟ ହେଉଛି ଏକ କୁତ୍ରିମ ସୁରକ୍ଷା କବଚ । ଏହି ବଳୟ ଭିତରକୁ ଯିବା ପୂର୍ବରୁ କରୋନା ପରୀକ୍ଷା କରାଯାଇ ଥାଏ । ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିଥାଏ, ସେହିମାନେ ଏହି ବଳୟ ଭିତରକୁ ଯାଇଥାନ୍ତି । ଯେଉଁମାନେ ଜୈବ ବଳୟ ଭିତରକୁ ଯାଇଥାନ୍ତି କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଅନ୍ୟ କାହା ସଂସ୍ପର୍ଶରେ ଆସି ନଥାନ୍ତି । ସଂକ୍ରମଣ ହେବାର ଆଶଙ୍କା କମ ରହିଥାଏ ।