କନକ ବ୍ୟୁରୋ : ମୟୂଭଞ୍ଜର ଏଲିନା ବେହେରା। ରାଜଧାନୀରେ ରହି ଜାତୀୟ ସ୍ବାସ୍ଥ୍ୟ ମିଶନରେ ଚାକିରୀ କରନ୍ତି। ଚିତ୍ରକଳା ପ୍ରତି ପିଲାଦିନୁ ଆଗ୍ରହ ରହିଥିଲେ ବି କୌଣସି ତାଲିମ ନେଇନାହାନ୍ତି। କିନ୍ତୁ ଅଭ୍ୟାସ କରି କରି ଆଜି ବହୁ ରେକର୍ଡ ନିଜ ନାଆଁରେ କରିପାରିଛନ୍ତି ଏଲିନା। ମହାପ୍ରଭୁଙ୍କର ୩ ମିମି ଏକ ମୂର୍ତ୍ତି ତିଆରି କରି ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ନିଜ ନାଁ ସ୍ଥାନିତ କରିଛନ୍ତି ଏଲିନା ବେହେରା। ଏହା ସହ ପୂର୍ବରୁ ଇଣ୍ଟର ନ୍ୟାସନାଲ ବୁକ୍ ଅଫ୍ ରେକର୍ଡ ମଧ୍ୟ ହାସଲ କରିଛନ୍ତି। ୩ ସେମିର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ତିଆରି କରି ଏହି ରେକର୍ଡ ସେ କରିଥିଲେ। ଏଲିନା ଅଭ୍ୟାସ କରି ଲିପନ ଆର୍ଟ ତା ପରେ ମଣ୍ଡଳ ଆର୍ଟ ଆଙ୍କିଲେ । ବର୍ତମାନ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ଚିତ୍ର କଳା ଦ୍ଵାରା ଦର୍ଶକଙ୍କ ଆଦୃତି ଲାଭ କରିପାରିଛନ୍ତି। ଆଉ ତାଙ୍କ ଚିତ୍ରକଳାର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଛି ।

ଏନଏଚଏମରେ କାର୍ୟ୍ୟରତ ଥିବା ଏଲିନା, ଫାଙ୍କା ସମୟରେ ଚିତ୍ର କରିବାକୁ ଭଲ ପାଆନ୍ତି। ବିନା କୌଣସି ପ୍ରଶିକ୍ଷଣରେ ଚିତ୍ର କରିବା ଆରମ୍ଭ କରିଥିଲେ। ଏବେ ସେ କରିଥିବା ଚାକିରି ସହ ନିଜ ଚିତ୍ର କଳା ଜରିଆରେ ବେଶ ଭଲ ରୋଜଗାର କରୁଛନ୍ତି। ଏପରିକି ଚାକିରି ଅପେକ୍ଷା ଅଧିକ ରୋଜଗାର ଚିତ୍ର କାଳରେ ବୋଲି କୁହନ୍ତି ଏଲିନା । ଏବେ ସେ ଏଥିରେ ବେଶ ଦୁଇ ପଇସା ଭଲ ରୋଜଗାର କରୁଥିବାରୁ ଏହାକୁ ଫୁଲ ଟାଇମ୍ କ୍ୟାରିଅର କରିବାକୁ ଆଶା ରଖିଛନ୍ତି। ଏଲିନା କୁହନ୍ତି ଗାଁରେ ଥିବା ଏମିତି ଅନେକ ଝିଅ ଯେଉଁ ମାନେ ବିନା ପ୍ରଶିକ୍ଷଣରେ ଚିତ୍ର ଆଙ୍କୁଛନ୍ତି । ସେମାନଙ୍କୁ ନେଇ ଏହି କାମ ଆଗକୁ ବଢ଼ାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଯାହାଦ୍ଵାରା ସେମାନେ ମଧ୍ୟ ସ୍ବାବଲମ୍ବୀ ହୋଇପାରିବେ।

ଏବେ ସାମାଜିକ ଗଣମାଧ୍ୟମ ଦ୍ଵାରା ଏହି ଭଳି କଳାକୁ ପ୍ରୋତ୍ସାହନ ମିଳୁଛି। ତେଣୁ ଏହାକୁ ବ୍ୟବହାର କରିଯାଣିଲେ ଏହା ବେଶ୍ ଲାଭ ଦେଇପାରିବ। ତେଣୁ ଯୁବପିଢ଼ି ନିଜର ସମୟକୁ ଠିକ୍ ଭାବରେ ସଦୁପଯୋଗ ଓ ସାଧନାର ଉପଯୁକ୍ତ ବ୍ୟବହାର କରିବାର ଆବଶ୍ୟକତା ରହିଛି ।