୧୦୮ ଗରାରେ ଗାଧେଇବା ପରେ ଜ୍ବରରେ ପୀଡିତ ହେଲେ ଶ୍ରୀଜୀଉ : ଆରମ୍ଭ ହେଲା ଉପଚାର; ଆଜିଠୁ ଅଣସରପିଣ୍ଡି ସାମ୍ନାରେ ପୂଜା ପାଇବେ ପଟିଦିଅଁ

115

କନକ ବ୍ୟୁରୋ : ଅଣସରରେ ଶ୍ରୀଜୀଉ । ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବା ପରେ ହାତୀ ବେଶରେ ଦର୍ଶନ ଦେଇ ଅଣସରପିଣ୍ଡିକୁ ଯାଇଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଠାକୁରଙ୍କୁ ଜ୍ବର ହୋଇଛି । ଏହା ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ମାନବୀୟ ଲୀଳା । ଶ୍ରୀଜୀଉମାନେ ୧୫ ଦିନ ଅଣସରପିଣ୍ଡିରେ ରହିବେ । ଆଉ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଉପଚାର ।

ତେବେ ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ । ଏହା ପରେ ସୁସ୍ଥ ହେବେ କାଳିଆ ଠାକୁର । ଏପଟେ ଅଣସର ପିଣ୍ଡି ସାମନାରେ ପଟିଦିଅଁଙ୍କ ପୂଜାର୍ଚ୍ଚନା କରାଯାଉଛି । ଏହି ଅନନ୍ୟ ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସିଛି ।

ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ ।