କେଉଁ ଭାଷା ବୁଝନ୍ତି କାଳିଆ ସାଆନ୍ତ? କୋଟି କୋଟି ଭକ୍ତ ହାତ ଟେକି ଡାକିଦେଲେ କେମିତି ଜାଣିପାରେ ଜଗା? କେଉଁ ଭାଷାରେ ବୁଝେ ଭାବର କଥା? ଜାଣନ୍ତୁ…କ’ଣ କହୁଛି ସ୍କନ୍ଦପୁରାଣ?

752

କନକ ବ୍ୟୁରୋ: ଜଗତର ନାଥ କାଳିଆ ସାଆନ୍ତ । ଆଉ ସେ କାଳିଆକୁ ନିଜର କଷ୍ଟ ଜଣାଇବା ପାଇଁ ସିଂହ ଦୁଆରକୁ ଦୌଡ଼ି ଆସେ ଭକତ । ଏତେ ବଡ଼ ଦୁନିଆରେ ଅନେକ ଲୋକଙ୍କ ଅଲଗା ଅଲଗା ଭାଷା । କିନ୍ତୁ କାଳିଆ ପରା ମଣିଷର ଠାକୁର ସେଥିପାଇଁ ତ ନିଜ ନିଜ ଭାଷାରେ ଚକା ଆଖିକୁ ଦେଖି ଦୁଇ ହାତ ଟେକି ଗୁହାରୀ ଜଣାନ୍ତି କୋଟି କୋଟି ଭକତ । ତା’ହେଲେ କ’ଣ ଜଗା ଜାଣିପାରେ ଭକତର ଭାବଭରା ଭାଷାକୁ? ଏହାର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ଚତୁର୍ଥ ଅଧ୍ୟାୟକୁ ବୁଝିବାକୁ ହେବ ।

ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ବର୍ଣ୍ଣିତ ହୋଇଛି ଯେ, ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ପ୍ରସନ୍ନ ହୋଇ ଶ୍ରୀଜଗନ୍ନାଥ ଦାରୁମୟ ବିଗ୍ରହ ଧାରଣ କରି ନୀଳାଚଳରେ ଅବସ୍ଥାନ କଲେ । ତାଙ୍କ ସହ ଅବସ୍ଥାନ କଲେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ । ଆଉ ସେହି ସମୟର କଥା । ଏହି ପ୍ରସଙ୍ଗରେ ଋଷି ଜୈମିନୀ ଅନ୍ୟ ମୁନିମାନଙ୍କୁ ତାଙ୍କର ମହିମା ସଂପର୍କରେ ବୁଝାଇଛନ୍ତି । ସେହି ପ୍ରସଙ୍ଗରେ ଏହି ‘ଭାଷା’ କଥାଟି ଆସିଛି।

ଜୈମିନୀ କହିଲେ- ହେ ମୁନିଗଣ ! ଜନସାଧାରଣଙ୍କର ଉପକାର ନିମନ୍ତେ ନୀଳମେଘ ସଦୃଶ ଶଙ୍ଖଚକ୍ରଧାରୀ ଭଗବାନ ଏହି ଦାରୁବିଗ୍ରହ ଧାରଣ କରିଛନ୍ତି । ସେହି ଭଗବାନଙ୍କୁ ଦର୍ଶନ କଲେ ତ୍ରିତାପ ହରଣ ହୁଏ ଏବଂ ସତ୍କର୍ମର ଫଳ ମିଳେ । ଏ କେବଳ କାଷ୍ଠମୟୀ ପ୍ରତିମା ନୁହନ୍ତି; ଏ ଦାରୁମୟ ବ୍ରହ୍ମ। ଅଲୌକିକ ହେଲେ ମଧ୍ୟ ଏ ଲୌକିକ ରୂପରେ ପ୍ରକଟିତ।

ଏହି ପ୍ରସଙ୍ଗରେ ଜୈମିନୀ ଋଷି ଶ୍ରୀଜଗନ୍ନାଥଙ୍କ ବିଭୂତିର ବର୍ଣ୍ଣନା କରି କହିଛନ୍ତି- ଶ୍ରୀଜଗନ୍ନାଥ ସମସ୍ତଙ୍କର ପାପମୁକ୍ତିର ଉପାୟ, ସମସ୍ତଙ୍କର ବିପଦର ନିବାରକ, ସମସ୍ତଙ୍କର ସଦ୍ଗୁଣର ପରିବର୍ଦ୍ଧକ ଏବଂ ସମସ୍ତ ଯୋଗୀଗଣଙ୍କର ଉପାସ୍ୟ । ନିଖିଳ ଜଗତର ଏହି ଧାତା ଓ ପାଳନକର୍ତ୍ତାଙ୍କର ଆଉ ଗୋଟିଏ ବିଭୂତି ହେଉଛି, ସେ ‘ଅଖିଳ ଭାଷାବିତ୍’।
ଏହାର ତାତ୍ପର୍ଯ୍ୟ ହେଉଛି- ଶ୍ରୀକ୍ଷେତ୍ର ପୁରୀର ନୀଳାଚଳରେ, ଦାରୁମୟ ରୂପରେ ପ୍ରକଟିତ ହୋଇଥିବା ଏହି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳପାଇଁ ଆବିର୍ଭୂତ ହୋଇଛନ୍ତି । ତେଣୁ, ସେ ସବୁ ଭାଷା ବୁଝି ପାରନ୍ତି। କାରଣ ‘ଅଖିଳ ଭାଷାବିତ୍’ ଭାବରେ ସେ ସବୁ ଭାଷାରେ ଅଭିଜ୍ଞ । ଏଣୁ ଆମେ ଓଡ଼ିଆ ଭାଷାରେ ଡାକିଲେ ଜଗା ଶୁଣେ ଠିକ୍ ସେହିପରି ତାକୁ ଅନ୍ୟ ଯେ କୌଣସି ଭାବଭରା ଭାଷାରେ ଡାକିଲେ ତାର କଷ୍ଟ ବୁଝିଥାଏ କାଳିଆ ।