ସୁସ୍ଥ ହେଉଛନ୍ତି ଶ୍ରୀଜିଉ : ଆଜି ଦଇତାପତି ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଲାଗି ହେବ ଖଳି ପ୍ରସାଦ

153

କନକ ବ୍ୟୁରୋ : ଅଣସର ଘରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଗତକାଲି ଚକାବିଜେ ପରେ ଦଶମୂଳ ଲାଗି କରାଯାଇଛି । ଆଜି ଅଣସରର ଏକାଦଶୀ ତିଥି । ଏହି ଅବସରରେ ଦଇତାପତି ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଖଳି ଲାଗି କରିବାର ବିଧି ରହିଛି । ସୁଧସୁଆରଙ୍କ ପକ୍ଷରୁ ଖଳି ପ୍ରସ୍ତୁତ କରି ମନ୍ଦିରକୁ ଦେବା ପରେ ଦଇତାପତିଙ୍କ ଦ୍ୱାରା ମଧ୍ୟାନ୍ନ ଧୂପ ପରେ ଏହା ଲାଗି ହେବ । ଶ୍ରୀବିଗ୍ରହ ମାନେ ଚକା ଉପରେ ବିଜେ କରିବା ପରେ ପଣା ଭୋଗ ଓ ଚକଟା ଭୋଗ ସ୍ୱତନ୍ତ୍ର ଭାବେ ଲାଗି ଦଶମୂଳ କରାଯାଇଛି । ସେପଟେ ଆସନ୍ତାକାଲି ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ବିଜେ କରିବେ ଦଇତାପତି ସେବାୟତ ।

ପରମ୍ପରା ମୁତାବକ, ଗୁରୁବାର ଦିନ ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଛି । ଶୟନରତ ଅବସ୍ଥାରେ ଅଣସର ପିଣ୍ଡିରେ ବିଶ୍ରାମ କରୁଥିବା ମହାପ୍ରଭୁ ଗୁରୁବାର ଦିନ ଚକା ଉପରେ ବିଜେ କରି ବସିଛନ୍ତି। ଗୁରୁବାର ଦିନ ନୀତି ମୁତାବକ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି । ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥତାର ପରିଚୟ ଦେଇଛି । ଚକାବିଜେ ହେବା ପରେ ଶ୍ରୀମନ୍ଦିରକୁ ଦଶମୂଳ ବିଜେ କରାଯାଇଛି । ମହାପ୍ରଭୁଙ୍କ କବିରାଜମାନେ ଏହି ଔଷଧକୁ ଦୀର୍ଘଦିନ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଛନ୍ତି । ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ ହୋଇଛି ।