ବିନାଭକ୍ତରେ ବଡ଼ଦାଣ୍ଡରେ ସୁନାବେଶରେ ସଜେଇ ହେଲେ ଶ୍ରୀଜିଉ । ପ୍ରାୟ ଏକ କ୍ୱିଣ୍ଟାଲ ସୁନାରେ ସଜେଇ ହେଲେ ଠାକୁର । ଏଥର ଲାଗି ହେଲା ନୂଆ କିରିଟି ଓ ଚନ୍ଦ୍ର ସୂର୍ଯ୍ୟ ।

140

କନକ ବ୍ୟୁରୋ: ରଥ ଉପରେ ୨ ମହଣ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ  କିନ୍ତୁ ଏଥର କେହି ଭକ୍ତ ଭଗବାନଙ୍କୁ ଦର୍ଶନ କରି ପାରିନାହାନ୍ତି । କରୋନା ଭିତରେ କଟକଣା ମଧ୍ୟରେ ଠାକୁରଙ୍କ ସୁନା ବେଶ ଚାଲିଛି । ରଥ ଉପରେ ବିରଳ ସୁନାବେଶ ବା ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ । ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ଅଗଣିତ ଭକ୍ତଙ୍କ ସମାଗମ ହୋଇଥାନ୍ତା, ହେଲେ କୋଭିଡ୍ କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଦାଣ୍ଡକୁ ଯାଇନାହାନ୍ତି ଶ୍ରଦ୍ଧାଳୁ ।

ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ଘରେ ରହି ଏ ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି । ତେବେ ଏଥର ସୁନାବେଶରେ କିରିଟି ଗୁଡିକ ନୂଆ କରାଯାଇଛି । ସୁନାବେଶ ଆରମ୍ଭ ହେବା ପୂର୍ବରୁ କଡା ସୁରକ୍ଷା ବଳୟ ମଧ୍ୟରେ ମହାପ୍ରଭୁଙ୍କ ଦୁଇ ମହଣ ସୁନା ଅଳଙ୍କାର ଗୁଡିକୁ ଗୋଟିଏ ପରେ ଗୋଟିଏ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ରଥ ଉପରକୁ ଅଣାଯାଇଥିଲା । ନୀତି ନିର୍ଘଣ୍ଟ ଅନୁଯାୟୀ  ଆରମ୍ଭ ହୋଇଥିଲା ସୁନା ଅଳଙ୍କାର ଆଣିବା କାର୍ଯ୍ୟ । ପ୍ରାୟ ଏକ କୁଇଣ୍ଟାଲ ସୁନା ଅଳଙ୍କାର ଅଣାଯାଇଥିଲା । ତାପରେ ଆରମ୍ଭ ହୋଇଥିଲା ଜଗତକର୍ତ୍ତାଙ୍କ ସୁନାବେଶ ।

ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦିରେ ବେଶ କରାଯାଇଥିଲା । ସେହିପରି ଦେବୀ ସୁଭଦ୍ରା କିରିଟି, ଓଡିଆଣି, କାନ, ତଗଡି, ସେବତୀ ମାଳି, ଘାଗଡା ମାଳି, କଦମ୍ବ ମାଳି ଆଦି ପରିଧାନ କରିଛନ୍ତି । ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି ଆଦି ସୁନାଅଳଙ୍କାର ସହ ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ ପରିଧାନ କରି ଭକ୍ତଙ୍କୁ ରଥ ଉପରେ ବଡଚଢାଉ ବେଶରେ ଦର୍ଶନ ଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ସହରରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଆଜି ସୁନାବେଶ ପରେ ଆସନ୍ତାକାଲି ହେବ ଅଧରପଣା ନୀତି । ରଥ ଉପରେ ବନ୍ଦାପନା ପରେ ୩ ରଥରେ ଅଧରପଣା ନୀତି କରାଯିବ ।