କନକ ବ୍ୟୁରୋ: ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଆଜି ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ମାନବୀୟ ଲୀଳାର ପ୍ରତୀକ ମହାପ୍ରଭୁ ଅଧିକ ସ୍ନାନ କରିବା ପରେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି।

Advertisment

ଆଜି ସାହାଣମେଳା ଦର୍ଶନ ପରେ ମହାପ୍ରଭୁଙ୍କ ହାତୀ ବେଶ ଓଲାଗି ହୋଇଥିଲା। ସ୍ନାନ ବେଦୀରୁ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଯାଇଥିଲେ। ମାତ୍ରାଧିକ ସ୍ନାନ କାରଣରୁ ବାହୁଡା ପହଣ୍ଡିରେ ଆସୁଥିବା ଶ୍ରୀବିଗ୍ରହମାନେ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପାଇଁ ଅଣସର ପିଣ୍ଡିରେ ଅଟକି ଥିଲେ। ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶରେ ଶ୍ରୀମନ୍ଦିର ଭିତର କାଠ ଓ କଳାହାଟ ଦ୍ବାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଥିଲା। ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ମସ୍ତକରେ ଶୋଭିତ ସୁନା ଚିତା ଓ ରାହୁରେଖା ଆଦି ଅଳଙ୍କାରକୁ ଓଲାଗି (ଓହ୍ଲାଇ) ଦିଆଯାଇଥିଲା। ଏହି ପିଣ୍ଡିରେ ଅସୁସ୍ଥ ଠାକୁରମାନେ ବୈଦ୍ୟଙ୍କ ପରାମର୍ଶ ମୁତାବକ ଚିକିତ୍ସା ସେବା ପାଇବେ। ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଶ୍ରୀବିଗ୍ରହ ଏହି ସ୍ଥାନରେ ରହିବେ। ଠାକୁରମାନଙ୍କୁ ଶ୍ରୀମନ୍ଦିର ବୈଦ୍ୟ ସେବକଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ପାଚକ (ଓଷ) ଆଦିରେ ଉପଚାର କରାଯିବ। ଓଷ ଲାଗି ପରେ ଠାକୁରମାନେ ନବଯୌବନ ପ୍ରାପ୍ତି ହେବେ। ଏହି ସମୟରେ ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିବେ। ପ୍ରଭୁଙ୍କ ଅଣସର ବିଜେ ବେଳେ ଅଣସର ପଣା, ଘଣା ଲାଗି, ଖଳି ଲାଗି ଓ ଚକା ଅପସର ଆଦି ନୀତି ସଂପନ୍ନ ହେବ। ମହାପ୍ରଭୁ ୧୪ ଦିନ ଅଣସରରେ ରହିବା ପରେ ଶ୍ରୀଜିଉମାନେ ନବଯୌବନ ଲାଭ କରିବେ। ଆସନ୍ତା ୨ ତାରିଖରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆସନ୍ତା ୪ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।