କନକ ବ୍ୟୁରୋ: ସୁସ୍ଥ ହେଲେ ଶ୍ରଜୀଉ । ମହୌଷଧି ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦଶଦିନ ପରେ ଘଂଟ ଓ କାହାଳି ବାଜିଛି । ସୋମବାର ଏକାଦଶୀ ତିଥିରେ ପଟିଦିଅଁଙ୍କ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କୁ ଖଳିଲାଗି ଓ ରକ୍ତବସ୍ତ୍ର ଲାଗି କରାଯାଇଥିଲା । ଶ୍ରୀଅଙ୍ଗରେ ଦଶମୂଳ ଲାଗି ପରେ ଚନ୍ଦନ ଲାଗି କରାଯାଇଥିଲା । ପରମ୍ପରା ଅନୁଯାୟୀ ଆଜି ରାଜପ୍ରସାଦକୁ ମହାପ୍ରଭୁଙ୍କ ସୁସ୍ଥ ହେବା ନେଇ ଖବର ଦିଆଯିବ ।

Advertisment

publive-image

ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ରଙ୍କ ସୂଚନା ମୁତାବକ, ସୋମବାର ଏକାଦଶୀ ତିଥିରେ ପ୍ରଥମେ ପଟିଦିଅଁଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦିଅଁଙ୍କ ନିକଟରେ ସଂଧ୍ୟା ଆଳତୀ, ସଂଧ୍ୟା ଧୂପ ପରେ ଅଣସର ଦ୍ଵାର ଫିଟା ଯାଇଥିଲା। ପ୍ରତିଦିନ ଭଳି ଚକଟା ଓ ପଣା ଭୋଗ ହୋଇଥିଲା। ପରେ ସିଂଘାରୀ ସେବକମାନେ ପଟିଦିଅଁଙ୍କୁ ଚନ୍ଦନଲାଗି କରିଥିଲେ। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ।
ଶ୍ରୀବିଗ୍ରହଙ୍କ ପୂରା ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଇଥିଲା। ସର୍ବାଙ୍ଗ ଚନ୍ଦନ ନୀତି ପାଇଁ ୩୦ରୁ ୪୦ କେଜି ଚନ୍ଦନ ପ୍ରସ୍ତୁତ ହୋଇଥିଲା। ଏହି ଚନ୍ଦନ ଶ୍ରୀଜୀଉଙ୍କ ଦେହରେ ବର୍ଷେ ପର୍ଯ୍ୟନ୍ତ ରହିବ। ପୁନର୍ବାର ଆସନ୍ତା ବର୍ଷକୁ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହେବ। ସର୍ବାଙ୍ଗ ଚନ୍ଦନ ନୀତି ପରେ ଶ୍ରୀବିଗ୍ରହଙ୍କ ଖଣ୍ଡୁଆ ବେଶ କରାଯାଇଥିଲା। ଶ୍ରୀଜୀଉ ସୋମବାର ତଥା ଗତକାଲି ରକ୍ତବସ୍ତ୍ର ପରିଧାନ କରିଛନ୍ତି। ପରେ ଶ୍ରୀଜୀଉଙ୍କ ନିକଟରେ ଖଇ, ରାଜପ୍ରସାଦ ଭୋଗ ଲାଗି ହୋଇଥିଲା। ବିଳମ୍ବିତ ରାତି ପ୍ରାୟ ୩ଟାରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କ ଉପଚାରରେ ଲାଗି ହୋଇଥିଲା।

publive-image

ସେହିଭଳି ଶୁଦ୍ଧ ସୁଆର ଅଣସର ଘରେ ପ୍ରସ୍ତୁତ କରିଥିବା ଖଳିକୁ(ଓଷ) ମଧ୍ୟ ଶ୍ରୀବିଗ୍ରହଙ୍କୁ ଲାଗି ହୋଇଥିଲା। ଆଜି ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରସାଦକୁ ନେବେ। ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଗଜପତିଙ୍କୁ ଅବଗତ କରାଇବେ। ରଥଯାତ୍ରା ଓ ଗୁପ୍ତନୀତି ସଂପର୍କରେ ଅବଗତ କରାଇବେ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ବିସ୍ତୃତ ଆଲୋଚନା କରିବେବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।