କନକ ବ୍ୟୁରୋ : ଚଞ୍ଚକତା କରି ଜଗନ୍ନାଥଙ୍କ ଜମି ହାତେଇବାକୁ ଯୋଜନା ଅଭିଯୋଗରେ ଦୁଇ ଗିରଫ । ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ରାଇପୁର ମୌଜାରେ ରହିଛି ଠାକୁରଙ୍କ ଜମି । ଏହି ଜମିକୁ ବ୍ୟକ୍ତିଗତ ଭାବରେ ହାତେଇବା ନେଇ ଅଭିଯୋଗ ହୋଇଥିଲା । ଏବେ ଏହି ମାମଲାରେ ସୋର ପୁଲିସ ତଦନ୍ତ କରି ଅମିନ ଚିତରଂଜନ ପାଣିଗ୍ରାହୀ ଏବଂ ନିଶାକର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଜାଲ ଦସ୍ତଖତ କରି ଏହି ଜମି ହାତେଇବା ନେଇ ସୋର ତହସିଲଦାରଙ୍କ ପାଖରେ ଆବେଦନ ହୋଇଥିଲା । ଆବେଦନରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଜାଲ୍ ଦସ୍ତଖତ ବ୍ୟବାହର ହୋଇଥିବା ସନ୍ଦେହ କରି ସୋର ତହସିଲଦାର ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଥିଲେ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ନିଜ ଆଡୁ ସିଂହଦ୍ୱାର ଥାନାରେ ଏତଲା ଦେବା ସହିତ ବାଲେଶ୍ୱର ଜିଲ୍ଲାପାଳ, ଏସପି ଏବଂ ସୋର ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ଏହାପରେ ସୋର ତହସିଲଦାର ୧୨ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ।