‘ତାଟି-ମନ୍ଦିର’ର ‘ପଟ-ବ୍ରହ୍ମ’ ! ଶ୍ରୀବିଗ୍ରହଙ୍କ ଅଲୌକିକ ଲୀଳା, ଜାଣନ୍ତୁ ଶ୍ରୀଜଗନ୍ନାଥଙ୍କ ଜ୍ୟେଷ୍ଠାଯାତ୍ରା ବିଷୟରେ ।

69

ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୁଏ ଶ୍ରୀଜଗନ୍ନାଥଙ୍କ ଜ୍ୟେଷ୍ଠାଯାତ୍ରା । ସ୍ନାନବେଦୀରେ ସ୍ନାନ ସରିବା ପରେ ମହାପ୍ରଭୁ ଭକ୍ତମାନଙ୍କୁ ଗଜାନନ ବେଶରେ ଦରେଶନ ଦେଇ ଅଣସର ଘରକୁ ଚାଲିଯାଆନ୍ତି । ସେହିଠାରେ ହୁଏ ସେମାନଙ୍କର ଗୁପ୍ତନୀତି । ସପ୍ତାବରଣ ବିଧିରେ ସେଠାରେ ଠାକୁରଙ୍କ ଅଙ୍ଗ ଗଠନ କରିଥାନ୍ତି ଦଇତା ଓ ପତିସେବକ । ଏଥିମଧ୍ୟରୁ ଅଣସର ପଞ୍ଚମୀରେ ତାଙ୍କୁ ଫୁଲୁରି ତେଲଲାଗି ଓ ଏକାଦଶୀରେ ଦଶମୂଳ ମୋଦକଲାଗି ପ୍ରସଙ୍ଗ ଅତ୍ୟନ୍ତ ଲୋକପ୍ରିୟ ।

ଏହି ସମୟରେ ତିନିଠାକୁର ଜରରେ ପଡିଥାନ୍ତି । ଏହି ଗୁପ୍ତନୀତି କାଳରେ ଶ୍ରୀବିଗ୍ରହମାନେ ଅଣସର ତାଟିର ଅନ୍ତରାଳରେ ଥିବାବେଳେ, ତାଟିର ସମ୍ମୁଖ ଭାଗରେ, ତାଟି ଦେହରେ ତିନି ପଟିଦିଅଁ ବିରାଜମାନ କରିଥାଆନ୍ତି । ସେମାନଙ୍କ ସହ ଆଉ ଲାତ ଦେବଦେବୀ ତାଟିର ସମ୍ମୁଖ ଭାଗରେ ଖଟ ଉପରେ ବିରାଜିତ ହୁଅନ୍ତି । ସେମାନେ ‘ଦଶାବତାର ଦିଅଁ’ ରୂପେ କଥିତ । ତିନି ମୁଖ୍ୟ ଦେବଦେଦୀଙ୍କ ଅନୁସାରେ ସେମାନେ ତିନିବାଡରେ ପୂଜା ପାଇଥାନ୍ତି ।

ଶ୍ରୀବଳଭଦ୍ରଙ୍କ ବାଡ ହେଉଛି ବଡବାଡ । ତାଙ୍କର ପଟିଦିଅଁ ‘ବାସୁଦେବ’ । ତାଙ୍କ ବାଡର ତିନି ଦେବତା ହେଉଛନ୍ତି ଦୋଳଗୋବିନ୍ଦ, ରାମ ଓ ନୃସିଂହ । ଦେବୀ ସୁଭଦ୍ରାଙ୍କ ବାଡ ହେଉଛି ‘ମଝିବାଡ’ । ତାଙ୍କ ବାଡର ଦୁଇ ଦେବୀ ହେଉଛନ୍ତି ଶ୍ରୀଦେବୀ ଓ ଭୂଦେବୀ । ସେହିପରି ଶ୍ରୀଜଗନ୍ନାଥଙ୍କ ବାଡ ହେଉଛି ‘ମହାପ୍ରଭୁ ବାଡ’ । ତାଙ୍କ ବାଡର ଦୁଇ ଦେବତା ହେଉଛନ୍ତି କୃଷ୍ଣ ଓ ମଦନମୋହନ । ଏହି ‘ଦଶାବତାର ଦିଅଁ’ ଅଣସର ନୀତି ଶେଷ ହେବା ପର୍ଯ୍ୟନ୍ତ ଅଣସର ତାଟି ଠାରେ ପୂଜା ପାଇଥାନ୍ତି । ଏପ୍ରସଙ୍ଗରେ ‘ନୀଳାଦ୍ରି ମହୋଦୟ’ର ଗୋଟିଏ ଉଲ୍ଲେଖ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ତାହାର ପଞ୍ଚଦଶ ଅଧ୍ୟାୟରେ ସ୍ନାନଯାତ୍ରା, ଅଣସର ଏ ପଟିଦିଅଁଙ୍କ ପୂଜାନୀତି ସମ୍ପର୍କରେ ଉଲ୍ଲେଖ ଅଛି । ଅଣସର ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ତିନି ଠାକୁର ‘ପଟବ୍ରହ୍ମ’ ରୂପେ ପୂଜିତ ହୁଅନ୍ତି । ତାହାପରେ ହୁଏ ଦାରୁବ୍ରହ୍ମଙ୍କର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ।