ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ସ୍ନାନବେଦୀକୁ ବିଜେ କରିବେ ମହାପ୍ରଭୁ । ସକାଳ ୫ଟାରୁ କନକ ନ୍ୟୁଜରେ ସିଧା ପ୍ରସାରଣ ।

153

କନକ ବ୍ୟୁରୋ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚାରି ଠାକୁର । ଦୀର୍ଘ ୨ ବର୍ଷ ପରେ ସ୍ନାନଯାତ୍ରା ଦେଖିବାକୁ ଭକ୍ତମାନେ ସୁଯୋଗ ପାଇବେ । ଫଳରେ ଆସନ୍ତାକାଲି ପ୍ରବଳ ଭିଡ଼ ହେବ । କିଭଳି ଶୃଙ୍ଖଳିତ ଭାବେ ଭକ୍ତମାନେ ଦର୍ଶନ କରିପାରିବେ, ଏହା ପୁଲିସ ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେବ । ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ନେଇ ସମୀକ୍ଷା କରିଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ।

ଦୁଇ ବର୍ଷ ପରେ ଭକ୍ତମୟ ପରିବେଶରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ସମୟ ଯେତିକି ପାଖେଇ ଆସୁଛି ଭକ୍ତଙ୍କ ମନରେ ଉକ୍ରଣ୍ଠା ସେତିକି ବୃଦ୍ଧି ପାଉଛି । ଆଜିଠୁ ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆସନ୍ତାକାଲି ରତ୍ନବେଦୀରୁ ସ୍ନାନବେଦୀଙ୍କୁ ଧାଡ଼ି ପହଣ୍ଡିରେ ଓହ୍ଲାଇ ଆସିବେ ଶ୍ରୀଜିଉ । ଠାକୁରଙ୍କ ଅପେକ୍ଷାରେ ସଜେଇ ହୋଇଛି ସ୍ନାନ ମଣ୍ଡପ । ସେନାପଟା କାର୍ଯ୍ୟ ଶେଷ କରିଛନ୍ତି ଦଇତାପତି ସେବାୟତ । ଚାରମାଳ ବନ୍ଧା କାର୍ଯ୍ୟ ମଧ୍ୟ ସରିଛି । ସ୍ନାନଯାତ୍ରା ପାଇଁ ଆଜି ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ବନ୍ଦ ରହିଥିଲା । ସମସ୍ତ ଦ୍ୱାର ପ୍ରଶାସନ ବନ୍ଦ କରିଦେଇଥିବାରୁ ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଖୋଲା ଯାଇଥିଲା ସିଂହଦ୍ୱାର ।

ସ୍ନାନଯାତ୍ରା ପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ନଜର ପକାନ୍ତୁ ନୀତିକାନ୍ତି ଉପରେ…

  • ରାତି ୩ଟା ୩୦: ମଙ୍ଗଳାର୍ପଣ
  • ଭୋର ୪ଟାରୁ ସକାଳ ୬ଟା: ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିବେ ଚାରିଠାକୁର
  • ୬ଟା ପରେ: ମଙ୍ଗଳଆଳତି, ମଇଲମ
  • ସକାଳ ୯ଟା ୩୦ରୁ ସାଢ଼େ ୧୧ଟା: ସ୍ନାନନୀତି
  • ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସୁୁବାସିତ ଜଳ ଆଣିବେ ଗରାବଡୁ ସେବାୟତ
  • ପଞ୍ଚଉପଚାର ବିଧିରେ ମେକାପଙ୍କ ସହାୟତରେ ଜଳଲାଗି କରାଯିବ
  • ମଧ୍ୟାହ୍ଣ ୧୨ଟା ୧୫ରୁ ୧୨ଟା ୪୫: ମହାପ୍ରଭୁଙ୍କ ଛେରାପହଁରା ନୀତି
  • ୧୨ଟା ୪୫ରୁ ସାଢ଼େ ୨ଟା: ଶ୍ରୀଜିଉଙ୍କ ହାତୀବେଶ
  • ୩ ଘଣ୍ଟା ପର୍ଯ୍ୟନ୍ତ ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ

ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ସମସ୍ତଙ୍କ ମନରେ ଉକ୍ରଣ୍ଠା ବୃଦ୍ଧି ପାଇଛି । ଆଜିଠାରୁ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିବା ଆରମ୍ଭ ହୋଇଗଲାଣି । ତେଣୁ ଆସନ୍ତାକାଲି ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ୫ ସ୍ତରୀୟ ବ୍ୟବସ୍ଥା କରାଯାଇଛି । ଆଇନଶୃଙ୍ଖଳା, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ଏବଂ ଭିଡ ନିୟନ୍ତ୍ରଣ ନେଇ ସମୀକ୍ଷା କରିଛି ପୁଲିସ ପ୍ରଶାସନ । ନଜର ପକାନ୍ତୁ ସୁରକ୍ଷା ବ୍ୟବସ୍ଥା ଉପରେ…

ସ୍ନାନଯାତ୍ରା ପାଇଁ ସୁରକ୍ଷା

  • ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା
  • ଶ୍ରୀମନ୍ଦିର ସହ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଲାଗିବ ୪୦ ସିସିଟିଭି
  • ସ୍ୱତନ୍ତ୍ର ପୁଲିସ କଂଟ୍ରୋଲ ରୁମ୍ କାର୍ଯ୍ୟ କରିବ
  • ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିସିପି, ୫୦ ଇନ୍ସପେକ୍ଟର, ୨୭୦ ସବ୍-ଇନ୍ସପେକ୍ଟର, ୧ ହଜାର କନେଷ୍ଟବଳ, ୫୨ ପ୍ଲାଟୁନ ପୁଲିସ ଫୋର୍ସ ମୂତୟନ ହେବେ

୧୦୮ଟି ସୁବାସିତ ଜଳରେ ସ୍ନାନ କରିବା ପରେ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ଯିବେ ଶ୍ରୀଜିଉ । ଏହାପରେ ଜ୍ୱରରେ ପଡ଼ିବେ କାଳିଆ ଠାକୁର । ସେଠାରେ ଚାଲିବ ଗୁପ୍ତ ଉପଚାର । ଆସନ୍ତା ୧୫ ଦିନ ଧରି ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ପଟି ଦିଅଁକୁ ଶେଷ ସ୍ପର୍ଶ ଦିଆଯାଇଛି ।