କନକ ବ୍ୟୁରୋ: ପବିତ୍ର ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବାପରେ ଜ୍ୱରରେ ପୀଡିତ ମହାପ୍ରଭୁଙ୍କର ଶାସ୍ତ୍ରାନୁମତେ ଚିକିତ୍ସା ଚାଲିଛି । ବିଧିମୁତାବକ, ରାଜବୈଦ୍ୟ ମହପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି । ଶ୍ରୀବିଗ୍ରହ ଚକାବିଜେ କରିଥିବାବେଳେ ଏକାଦଶୀ ତିଥିରେ ଏହି ‘ଦଶମୂଳ’ ମୋଦକ ଲାଗି ହୋଇଛି । ଏହାପରେ ଶ୍ରୀଜିୟୁମାନେ ଧିରେ ଧିରେ ସୁସ୍ଥ ହେଉଛନ୍ତି ।
ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସରକାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିଛନ୍ତି । ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି ।
ଏହାକୁ ଲାଗି କରାଯିବା ପରେ ଶ୍ରୀବିଗ୍ରହମାନେ ଚକାବିଜେ କରିଛନ୍ତି । ଏହାପରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶରେ ଦଶମୂଳ ମହୌଷଧିରେ ଶ୍ରୀଅଙ୍ଗର ଉପଚାର କରାଯାଇଛି । ଶୁଦ୍ଧ ସୁଆର ଅଣସର ଘରେ ପ୍ରସ୍ତୁତ କରିଥିବା ଖଳି ଲାଗି ହେବା ପରେ ଜଡିବୁଟିରେ ପ୍ରସ୍ତୁତ ମୋଦକରେ ଅଣସର ପିଣ୍ଡିରେ ଠାକୁରଙ୍କ ଉପଚାର କରାଯାଇଛି ।
ଏବେ ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ମହାପ୍ରଭୁଙ୍କୁ ଧଳା ଫୁଲ ଲାଗି ହେଉଛି । ତୁଳସୀ ଲାଗି ହେଉନାହିଁ । ଆଜି ଦିନ ମୋଦକ ଲାଗି ହେବା ସହ ପ୍ରଥମ କରି ନୂତନ ମହାପ୍ରଭୁଙ୍କୁ ତୁଳସୀ ଲାଗି କରାଯିବ । ମହାପ୍ରଭୁଙ୍କୁ ଚନ୍ଦନଲାଗି କରାଯିବ । ନୂଆ ଖଣ୍ଡୁଆ ମଧ୍ୟ ଲାଗି କରାଯିବ । ଏହି ଦଶମୂଳ ଲାଗି ହେବାପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ । ଚତୁର୍ଦ୍ଦଶୀ ତିଥିରେ ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବେ ବୋଲି ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର ଓ ବରିଷ୍ଠ ଦଇତାପତି ସେବକ ବିଶ୍ୱାବସୁ ବିନାୟକ ଦାସମହାପାତ୍ର ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-20-10h04m43s035.png)