ଶରଧାବାଲିରେ ତିନିରଥ : ଆଜି ଆଡପମଣ୍ଡପ ବିଜେ, ରଥ ଉପରେ ସମସ୍ତ ନୀତିକାନ୍ତି ପରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

111

କନକ ବ୍ୟୁରୋ : ପୁରୀ ଗୁଣ୍ଡିଚାବାଡିରେ ଲାଗିଛି ତିନି ରଥ । ଏବେ ଅପେକ୍ଷା , କେତେବେଳେ ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ । ୯ ଦିନିଆ ରଥ ଯାତ୍ରାରେ ବାହାରି ଜଗତ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଆସିବା ପରେ ଚଳଚଂଚଳ ହୋଇଉଠିଛି ଜନ୍ମବେଦୀ । ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି କରୋନା କଟକଣା ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ପହଁଣ୍ଡିରେ ବିଜେ କରିବେ ଜନ୍ମବେଦୀ ବା ଆଡପମଣ୍ଡପକୁ । ଏହାପରେ ହୋଇଥାଏ ଆଡପଦର୍ଶନ । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି ।

ସେହିପରି ଆଡପମଣ୍ଡପରେ ସଂଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଶ୍ରଦ୍ଧା ରହିଥାଏ । ତେବେ କରୋନା କଟକଣା କାରଣରୁ ଏହାକୁ ମଧ୍ୟ ବନ୍ଦ ରଖାଯାଇଛି । ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଥିବାରୁ ଚଳିତ ବର୍ଷ ଆଡପଅଭଡା ପ୍ରସ୍ତୁତି ପରିମାଣ କମ୍ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି । ଚଳିତ ବର୍ଷ କରୋନା କଟକଣା କାରଣରୁ ବିନା ଭକ୍ତରେ ବଡଦାଣ୍ଡରେ ରଥ ଗଡିଛି । କେବଳ ସେବାୟତ ଟାଣିଥିଲେ ରଥ । ଶରଧାବାଲିରେ ଗତକାଲି ସନ୍ଧ୍ୟା ସୁଦ୍ଧା ପହଁଚି ଯାଇଥିଲା ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ । ଏହା ପରେ କଡା ସୁରକ୍ଷା ମଧ୍ୟରେ ତିନି ରଥକୁ ଜଗି ରହିଛନ୍ତି ପୋଲିସ ଫୋର୍ସ ।

ସେପଟେ ପ୍ରଶାସନର କଟକଣାକୁ ଶତ ପ୍ରତିଶତ ପାଳନ କରିଛନ୍ତି ଭକ୍ତ ଓ ପୁରୀ ବାସୀ । ଅସୀମ ଧୌର୍ଯ୍ୟ ଓ ନିମୟ ପାଳନ ପ୍ରତି ଶ୍ରଦ୍ଧା ଦେଖାଇ ସମସ୍ତେ ଘରେ କବାଟ ପକାଇ ରହିବା ସହ ଟିଭିରେ ଦେଖିଛନ୍ତି ରଥଯାତ୍ରା । ବଡଦାଣ୍ଡରେ ରଥ ଗଡିଛି କିନ୍ତୁ ଖାଁ ଖାଁ ରହିଥିଲା ବଡ ଦାଣ୍ଡ । ଆଜି ସମାନ ଢଙ୍ଗରେ ଆଡପମଣ୍ଡପ ବିଜେ ନୀତି କରାଯିବ ବୋଲି ଯୋଜନା ରଖିଛି ପ୍ରଶାସନ । ତେବେ ଆଜି ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ ।