କନକ ବ୍ୟୁରୋ: ଚଳିତ ରଥଯାତ୍ରାରେ ବଡ଼ଠାକୁରଙ୍କ ନୀତିରେ ହୋଇଛି ବଡ଼ ବିଭ୍ରାଟ। କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ରୀବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର। ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ବର୍ଷବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି । ଅଣସର ଘରେ ସେନାପଟା ଲାଗି ହୋଇଛି । ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି । ଭୋକଉପାସରେ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି । ପ୍ରତିପଦା ବଦଳରେ ଦ୍ବିତୀୟାରେ ନେତ୍ରୋତ୍ସବ ଓ ନବଯୌବନ କରାଯାଇଛି । ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଭଳି ବଡ଼ ଅଘଟଣ ପରେ ଏଭଳି କହିଛନ୍ତି ହଳଧର ଦାସମହାପାତ୍ର । ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି । ଏହା ସହ ସେ କହିଛନ୍ତି, ବାରମ୍ବାର କହିବା ପରେ ବି ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଜିଦ୍‌ କାରଣରୁ ଏଭଳି ବଡ଼ ଅଘଟଣ ଘଟିଲା । ଅନଧିକୃତ ଓ ଅସଂପୃକ୍ତ ସେବକଙ୍କୁ ବି ସେ ଦୋଷାରୋପ କରିଛନ୍ତି । ଯେଉଁମାନେ ଏହି ଅଘଟଣ ପଛରେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁୁଷ୍ଠାନ ପାଇଁ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ଦାବି କରିଛନ୍ତି ।