ସାଇବର୍ ଠକଙ୍କ ନୂଆ ଚାଲ୍ । ଫିଙ୍ଗର ପ୍ରିଣ୍ଟ୍ ଚୋରାଇ ବ୍ୟାଙ୍କ ଖାତାରୁ ଲୁଟୁଛନ୍ତି ଟଙ୍କା । ଆପଣଙ୍କ ଆଧାରକାର୍ଡକୁ ଏପରି ରଖନ୍ତୁ ସୁରକ୍ଷିତ
କନକ ବ୍ୟୁରୋ : ଲୋକଙ୍କୁ ଲୁଟିବା ପାଇଁ ପ୍ରତି ଥର ନୂଆ ନୂଆ ଜାଲ ବିଛାଉଛନ୍ତି ସାଇବର୍ ଠକ । କେତେବେଳେ ଲିଙ୍କ୍ ପଠାଇ ଲୁଟୁଛନ୍ତି ତ ଆଉ କେତେବେଳେ ବିଭିନ୍ନ ଲୋଭନୀୟ ଅଫର ଦେଇ ଲୋକଙ୍କୁ ଲୁଟୁଛନ୍ତି । ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରଶାରଣ କରାଯାଉଥିବା ବେଳେ ଲୋକେ ମଧ୍ୟ ସାଇବର୍ ଠକାମୀରୁ ବଞ୍ଚିବା ପାଇଁ ସତର୍କ ହେଉଛନ୍ତି । କିନ୍ତୁ ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ଲୋକଙ୍କୁ ଲୁଟିବା ପାଇଁ ପ୍ରତିଥର ନୂଆ ନୂଆ ତରିକା ଆପଣାଉଛନ୍ତି । ବର୍ତ୍ତମାନ ସାଇବର ଠକ କୌଣସି ଲିଙ୍କ୍ କିମ୍ବା କୌଣସି ଲୋଭନୀୟ ଅଫର ଦେଇ ଲୋକଙ୍କୁ ଠକୁ ନାହାନ୍ତି । ବର୍ତ୍ତମାନ ସାଇବର ଠକ ସିଧାସଳଖ ଭାବେ ଲୋକଙ୍କ ଆଧାରକାର୍ଡରେ ଲିଙ୍କ୍ ଥିବା ବାୟୋମେଟ୍ରିକ୍ ତଥ୍ୟକୁ ଚୋରାଇ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦେଉଛନ୍ତି । ଆସନ୍ତୁ ଜାଣିବା କିପରି ସାଇବର ଠକ ଲୋକଙ୍କୁ ଲୁଟୁଛନ୍ତି । ଏବଂ କିପରି ଲୁଟର ଶିକାର ହେବାରୁ ବଞ୍ଚିବେ
ବର୍ତ୍ତମାନ ଆଧାରକାର୍ଡର ବାୟୋମେଟ୍ରିକ୍ ତଥ୍ୟକୁ ଚୋରାଇ ଲୁଟ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ମାସ ମଧ୍ୟରେ ଏହିଭଳି ଅନେକ ଘଟଣା ସାମ୍ନାକୁ ଆସିଲାଣି । ସାଇବର୍ ଲୁଟେରା ଆଧାରକାର୍ଡରୁ ଲୋକଙ୍କ ଫିଙ୍ଗରପ୍ରିଣ୍ଟ୍ ଚୋରାଇ ନେଇ ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ଉଡାଇନେଉଛନ୍ତି । ତେଣୁ ବେଳ ଥାଉ ଥାଉ ନିଜ ନିଜ ଆଧାରକାର୍ଡକୁ ସୁରକ୍ଷିତ କରିନିଅନ୍ତୁ । ଆସନ୍ତୁ ଜାଣିବା ଘରେ ବସି କିପରି ଆଧାରକାର୍ଡର ତଥ୍ୟକୁ ଲକ୍ କରିପାରିବେ ।
ୟୁଆଇଡିଏଆଇ ଗୋପନୀୟତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ଆଧାର ନମ୍ବର ଲକ୍ ଏବଂ ଅନଲକ୍ କରିବାର ଅନୁମତି ଦେଇଥାଏ । ଥରେ ନମ୍ବର ଲକ୍ ହୋଇଗଲେ, ଏହାକୁ ବ୍ୟବହାର କରି ଯାଞ୍ଚ କରାଯାଇପାରିବ ନାହିଁ । ଏହା ପରିବର୍ତ୍ତେ, ଆପଣ ପ୍ରାମାଣିକିକରଣ ପାଇଁ ଭର୍ଚୁଆଲ୍ ID ବ୍ୟବହାର କରିପାରିବେ । UIDAI ଅନୁଯାୟୀ, ଏହା ଆଧାର ନମ୍ବରର ଅପବ୍ୟବହାରକୁ ରୋକିପାରେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏସଏମଏସ୍ ଜରିଆରେ ଆଧାରକାର୍ଡ ଲକ୍
ଏସଏମଏସ୍ ଜରିଆରେ ଆଧାର କାର୍ଡକୁ ଲକ୍ କରାଯାଇପାରିବ । ପ୍ରଥମେ ଗେଟ୍-ଓଟିପି ସ୍ପେସ୍ ଆଧାର ନମ୍ବର ଲେଖି ୧୯୪୭କୁ ମେସେଜ୍ ସେଣ୍ଡ୍ କରନ୍ତୁ । ଏହାପରେ ୬ଅଙ୍କ ବିଶିଷ୍ଟ ଓଟିପି ଆସିବ ।
ଏବେ ଲକିଂ ରିକ୍ୱେଷ୍ଟ୍ ପାଇଁ ଲକ୍ ୟୁଆଡି ସ୍ପେସ୍ ଆଧାର ନମ୍ବର ସ୍ପେସ୍ ଓଟିପି ଲେଖି ୧୯୪୭କୁ ସେଣ୍ଡ୍ କରନ୍ତୁ ।
ଏହାପରେ କନଫରମେସନ୍ ଏସଏମଏସ ଆସିବ । କନଫରମେସନ୍ କରିବା ପରେ ଆପଣଙ୍କ ଆଧାର ନମ୍ବର ଲକ୍ ହୋଇଯିବ ।
ୱେବସାଇଡ୍ ଜରିଆରେ ଅଧାରକାର୍ଡକୁ ଲକ୍ ଏବଂ ଅନଲକ୍ କିପରି କରିବେ?
ୟୁଆଇଡିଏଆଇର ୱେବସାଇଟ୍ www.uidai.gov.in କୁ ଯାଆନ୍ତୁ
ମାଇଁ ଆଧାରକୁ ଯାଇ ଆଧାର ସର୍ଭିସ ଉପରେ କ୍ଲିକ୍ କରନ୍ତୁ
ଏବେ ଲକ୍ କିମ୍ବା ଅନଲକ୍ ଉପରେ କ୍ଲିକ୍ କରନ୍ତୁ
ଏହା ପରେ ଆଧାର ନମ୍ବର ଦେଇ, ସେଣ୍ଡ୍ ଓଟିପି ଉପରେ କ୍ଲିକ୍ କରନ୍ତୁ
ଓଡିପି ଦେବା ପରେ ଆପଣଙ୍କ ବାୟୋମେଟ୍ରିକ୍ ଲକ୍ ଏବଂ ଅନଲକ୍ ବିକଳ୍ପକୁ ଚୟନ କରନ୍ତୁ ।
ଲକ୍ ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ବାୟୋମେଟ୍ରିକ୍ ଲକ୍ ହୋଇଯିବ ଏବଂ ଅନଲକ୍ କରିବାକୁ ଚାହୁଁଥିଲେ ଠିକ୍ ଏହି ପ୍ରଣାଳିରେ ଆଧାରକାର୍ଡକୁ ଅନଲକ୍ ମଧ୍ୟ କରିବାରିବେ । ଏବଂ ନିଜକୁ ସାଇବର ଠକଙ୍କ କବଳରୁ ବଞ୍ଚାଇପାରିବେ ।