ବିଦେଶରେ ଚାକିରି କରାଇଦେବା କହି ଲକ୍ଷ ଲକ୍ଷ ଟଙ୍କା ଲୁଟ । ୨୪ ଜଣ ଯୁବକ ହୋଇଥିଲେ ଲୁଟର ଶିକାର

84

କନକ ବ୍ୟୁରୋ : ବିଦେଶରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟ । ଏଭଳି ଜଣେ ଠକକୁ ଧରି ପୋଲିସର ଜିମା ଦେଲେ ଗାଁଲୋକ । ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅନ୍ତର୍ଗତ ନୂଆଗାଁ ଇଛାପୁର ଗାଁରୁ । ମିଳିଥିବା ଖବର ଅନୁସାରେ ସେହି ଗାଁର ୨୪ ଜଣ ଯୁବକ ବାହାର ଦେଶକୁ ଯାଇ ଚାକିରି କରିବାକୁ ଅଭିଯୁକ୍ତକୁ ୪୦ ହଜାର ଲେଖାଏଁ ଟଙ୍କା ଦେଇଥିଲେ । ଅଭିଯୁକ୍ତ ଦେବବ୍ରତ ଜେନାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର କାଭକଦିଆ ଗ୍ରାମରେ ।

ତାଙ୍କୁ ଚାକିରି ଆଶାୟୀ ଯୁବକମାନେ ମୋଟ୍ ୯ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ ଚାକିରି ଖୋଜୁଥିବା ଯୁବକମାନେ । ହେଲେ ୩ ମାସ ପରେ ବି ଚାକିରି ନେଇ କୌଣସି ଖବର ନଥିଲା । ଏହାସହ ଅଭିଯୁକ୍ତ ଦେବବ୍ରତ ଧରାଛୁଆଁ ଦେଉ ନଥିଲେ । ଆଉ ଯେତେବେଳେ ଏନେଇ ବାରମ୍ବାର ଟଙ୍କା ଦେଇଥିବା ଯୁବକମାନେ ପ୍ରଶ୍ନ ପଚାରିଲେ, ସେମାନଙ୍କୁ ଜାଲ ଭିସା ଓ ନିଯୁକ୍ତିପତ୍ର ଦେଇ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲେ । ତେବେ ଏହା ଜାଣିପାରି ଅଧିକ ଟଙ୍କା ଦେବୁ କହି ଗାଁକୁ ଡାକି ଅଭିଯୁକ୍ତକୁ ଧରିଥିଲେ ଗାଁର ଯୁବକମାନେ , ଏହାସହ ଥାନାରେ ଜଣାଇଥିଲେ । ପରେ ବାଂଶଡ଼ା ପୋଲିସ୍ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଦେବବ୍ରତଙ୍କୁ ଥାନାକୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି ।