ଗୁପ୍ତଧନ କଥା କହି ୬୨ ଲକ୍ଷ ଟଙ୍କା ଲୁଟ୍। ଧରାପଡ଼ିଲା ଠକ ତାନ୍ତ୍ରିକର ଚାଲବାଜି ।

174

କନକ ବ୍ୟୁରୋ: କୈଫିକ ଖାନ । ବୟସ ୨୭ । ନିଜକୁ ତାନ୍ତ୍ରିକ ଭାବେ ପରିଚୟ ଦିଅନ୍ତି । ହେଲେ ତାଙ୍କର ଅସଲ ବେଉସା ହେଲା ଲୋକଙ୍କୁ ସତମିଛ କହି ଲୁଟିବା । କଟକ ମଙ୍ଗଳବାଗର ଜଣେ ମହିଳାଙ୍କୁ ସତ ମିଛ କହି ଭୂତପ୍ରେତର ଭୟ ଦେଖାଇବା ସହ ଗୁପ୍ତଧନର ଲୋଭ ଦେଖାଇ ଲୁଟି ନେଇଛନ୍ତି ୬୨ ଲକ୍ଷ ଟଙ୍କା । ଗତବର୍ଷ ଅଗଷ୍ଟ ମାସରେ ମହିଳା ଜଣକ ତାଙ୍କ ଘରେ କିଛି ଭୌତିକ କାଣ୍ଡ ଘଟୁଥିବା ଅନୁଭବ କରିଥିଲେ । ଏହାପରେ ସେ କୈଫିକଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ କୈଫିକ ନିଜ ଠକାମୀ ଜାଲ ବୁଣିବା ଆରମ୍ଭ କରିଦେଇଥିଲେ । କୈଫିକ ତାଙ୍କୁ କହିଥିଲେ ଯେ, ତାଙ୍କ ଘରେ ଭୂତଭୟ ରହିଛି, ଆଉ ଘର ଚଟାଣ ତଳେ ହୀରା ଓ କସ୍ତୁରୀ ସହ ବହୁତି କିଛି ମୂଲ୍ୟବାନ ସାମଗ୍ରୀ ରହିଛି । ଏଥିପାଇଁ ଆବଶ୍ୟକ ପୂଜାପାଠ ସାମଗ୍ରୀ ଆଣିବାକ୍ୁ କହି ସେ ମହିଳାଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ସମ୍ପୃକ୍ତ ମହିଳା ଜଣକ ଠକାମୀର ଶିକାର ହୋଇଥିବା ଜାଣିବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ । ଏହାପରେ କମିଶନରେଟ ପୋଲିସ୍ ଠକ ତାନ୍ତ୍ରିକ କୈଫକ ଖାନକୁ ଗିରଫ କରି କୋର୍ଟଚାଲାଣ କରିଛି । ଏହାସହ ତାଙ୍କ ଠାରୁ ଠାକୁରଙ୍କ ମୂର୍ତ୍ତି, ପିତଳ ହଣ୍ଡା, ବିଭିନ୍ନ ପଥର, ନଗଦ ୨ ଲକ୍ଷ ୭୬ ହଜାର ଟଙ୍କା, ଦୁଇଟି ଦାମୀ କାର, ଗୋଟିଏ ବୁଲେଟ ଓ ୭୦ଟି ମୋବାଇଲ ଫୋନ୍ ଜବତ କରିଛି । ଠକି ନେଇଥିବା ଟଙ୍କାରେ ଠକ ଜଣକ ଦାମୀ କାର କିଣିବା ସହ କିଛି ଟଙ୍କାକୁ ସେୟାର ବଜାର ଓ ଗୋଟିଏ ମୋବାଇଲ ଦୋକାନରେ ଲଗାଇଥିଲା ।

ଠକ ତାନ୍ତ୍ରିକ କୈଫିକ ଖାନ କେବଳ ଏହି ମହିଳାଙ୍କ ଠାରୁ ଟଙ୍କା ଲୁଟିଥିଲା ନା ଅନ୍ୟ କାହାରିକୁ ମଧ୍ୟ ନିଜ ଠକାମୀର ଶିକାର କରିଥିଲା, ଏନେଇ ପୋଲିସ୍ ତଦନ୍ତ କରୁଛି ।