ମାଉସୀ ! ଦି’ପାଦ ପଛକୁ ଯାଅ, ବୁଲିକି ଅନେଇବନି… ତମ ପୁଅ ଦେହ ଭଲ ହେଇଯିବ… ବାସ୍ ତାପରେ ଖେଳ ଖତମ

302

କନକ ବ୍ୟୁରୋ: ନିଜକୁ ବାବା ବୋଲି କହିଲେ, ମହିଳାଙ୍କ ଠାରୁ ସୁନା ଛଡେଇ ଧାଇଁଲେ । ବିଚ ରାସ୍ତାରୁ ସୁନା ଲୁଟିନେଲେ ଲୁଟେରା । ବାବା ଭୂମିକାର ଅଭିନୟ କରି ଦିନ ଦ୍ୱିପହରେ ଅଳଙ୍କାର ନେଇ ଚମ୍ପଟ ମାରିଲେ ଚୋର । ସିନେମା ଷ୍ଟାଇଲରେ ଲୁଟର ଏ କାହାଣୀ ଆସିଛି ବାଲେଶ୍ୱର ଜିଲ୍ଲାରୁ ।

ତେବେ କୋଲକାତାର ଜଣେ ମହିଳା ଜଳେଶ୍ୱର ସ୍ଥିତ ନିଜ ବାପଘରକୁ ବୁଲି ଆସିଥିଲେ । ବଡବଜାର ନିକଟରେ ମାର୍କେଟରୁ ଫେରିବା ବେଳେ ବାଟରେ ତାଙ୍କୁ ଦୁଇ ଛଦ୍ମବେଶୀ ବାବା ଭେଟିଥିଲେ । ସେମାନେ ଦେଶର ଜଣେ ପ୍ରତିଷ୍ଠିତ ବାବାଙ୍କ ଶିଷ୍ୟ ବୋଲି ନିଜକୁ ପରିଚୟ ଦେଇଥିଲେ । ପରେ ମହିଳାଙ୍କ ମୁହଁ ଚାହିଁ ସେ ବିଷାଦଗ୍ରସ୍ତ, ଚାପ ଓ ସମସ୍ୟା ଘେରରେ ଥିବା କପାଳ ଦେଖି କହିଥିଲେ । ସଂଯୋଗ ବଶତ ମହିଳାଙ୍କ ପୁଅ ଦେହ ଖରାପ ଥିବାରୁ ଭଣ୍ଡ ବାବାଙ୍କ କଥାରେ ବିଶ୍ୱାସ କରିଗଲେ । ରିଷ୍ଟ ଖଣ୍ଡନ ନକଲେ ପୁଅର ଜୀବନ ପ୍ରତି ବିପଦ ରହିଥିବା ଦୁହେଁ କହିଥିଲେ । ଆଉ ତାପରେ ଭଣ୍ଡ ପ୍ୟାଣ୍ଟ ସାର୍ଟ ପିନ୍ଧା ବାବାଙ୍କ କଥା ମାନିଥିଲେ ମହିଳା ।

ଅସହାୟ ମହିଳାଙ୍କ ଏହି ବିଶ୍ୱାସର ଫାଇଦା ଉଠାଇବାକୁ ଯାଇ ମହିଳାଙ୍କୁ ପିନ୍ଧିଥିବା ସୁନା ଅଳଙ୍କାର ଓହ୍ଲାଇ ଦେବାକୁ କହିଥିଲେ ଏବଂ ସୁନାକୁ ଚାହିଁ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରଥମ ଦଫାରେ ମହିଳାଙ୍କ ବିଶ୍ୱାସ ଜିତି ୨ୟ ଦଫାରେ ସୁନାଥିବା ବ୍ୟାଗକୁ ସେମାନଙ୍କୁ ଦେବାକୁ କହି ଅଢେଇ ହାତ ଦୂରକୁ ପଛକୁ ନଚାହିଁ ଏକମୁହାଁ ହୋଇ ଯିବାକୁ କହିଥିଲେ । ଆଉ ମହିଳା ଜଣଙ୍କ ଯେତେବେଳେ ସେମାନଙ୍କ କଥା ମାନି ଆଗକୁ ବଢିଥିଲେ, ସେତେବେଳେ ସୁନା ଥିବା ବ୍ୟାଗ ଧରି ଚମ୍ପଟ ମାରିଥିଲେ ଲୁଟେରା । ତେବେ ବଜାର ଉପରେ ଭଣ୍ଡ ବାବାଙ୍କ ଏ ସବୁ କାରନାମା ସିସିଟିଭିରେ କଏଦ ହୋଇଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି ।