ଭିଡର ସୁଯୋଗ ନେଇ କରୁଛନ୍ତି ଲୁଟ୍ । ଅଭିଯୋଗ ପରେ ଆକ୍ସନରେ କମିଶନରେଟ୍ ପୋଲିସ୍, ୬ମହିଳା ସମେତ ୨୬ଜଣଙ୍କୁ ଧରି ଚଳାଇଛି ତଦନ୍ତ ।

199

କନକ ବ୍ୟୁରୋ: ପାର୍ବଣ ଋତୁରେ ମାତିଛନ୍ତି ଲୁଟେରା । ଅସାବଧାନ ହେଲେ ଆଖିପିଛୁଳାକେ ଲୁଟର ଶିକାର ହେବାର ଭୟ ରହିଛି । ତେବେ ଭୁବନେଶ୍ୱର ପୂଜା ପେଣ୍ଡାଲରୁ ଲୁଟ୍ ଘଟଣାରେ ୨୬ ଜଣଙ୍କୁ ଉଠାଇ ନେଇଛି ପୋଲିସ । ସେମାନଙ୍କ ମଧ୍ୟରୁ ୬ଜଣ ହେଉଛନ୍ତି ମହିଳା । ଏମାନେ ସମସ୍ତେ ବାହାର ରାଜ୍ୟରୁ ଆସିଛନ୍ତି । ଛୋଟ ଛୁଆ ଓ ମହିଳାଙ୍କୁ ଆଣି ଲୁଟେରାମାନେ ମଣ୍ଡପରେ ଚୋରିର ଅପରେସନ୍ କରୁଥିଲେ ।

ଖୋଲା ଦେହରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଚୋର ମାନଙ୍କୁ ଚିହ୍ନିବା ମୁସକିଲ । ଭଦ୍ରମୁଖା ତଳେ ଲୁଚିଥିବା ଭୟଙ୍କର ଚେହେରାର ପର୍ଦ୍ଦାଫାଶ କରିଛି ପୁଲିସ୍ । ଏହି ଲୁଟେରା ଗ୍ୟାଙ୍ଗ ପୂଜା ବଜାରରେ ଏମିତି ଆତଙ୍କ ଖେଳାଇଲେ ଯେ ମହିଳାମାନେ ପେଣ୍ଡାଲକୁ ଗୋଡ କାଢିବାକୁ ଡରିଲେ । ଏହି ଦୁର୍ବୃତଙ୍କ ୨୬ ଜଣିଆ ଗ୍ୟାଙ୍ଗ ବିଭିନ୍ନ ପୂଜା ମଣ୍ଡପରେ ସୁନା ଝାମ୍ପି ଚାଂଚଲ୍ୟ ଖେଳାଇଲେ । କେବଳ ସୁନା ନୁହେଁ ମୋବାଇଲ , ଟଙ୍କା, ପର୍ସ ଯାହା ପାଇଲେ ଲୁଟିନେଲେ । କେବଳ ପୁରୁଷ ନୁହନ୍ତି ମହିଳା ମାନଙ୍କୁ ନିଜ ଗ୍ୟାଙ୍ଗରେ ରଖି କରୁଥିଲେ ଲୁଟପାଟ୍ । ଯେମିତି କେହି ସନ୍ଦେହ କରିବେନି ସେ ନେଇ ମହିଳା ଓ ଛୁଆଙ୍କୁ ବି ସାଙ୍ଗରେ ନେଇ ଲୁଟ୍ କରୁଥିଲେ । ରାଜ୍ୟ ବାହାରୁ ଆସିଥିବା ଏହି ଗ୍ୟାଙ୍ଗକୁ ଧରିବା ପାଇଁ କମିଶନରେଟ ପୁଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ ।

ସୁନା ଝମ୍ପା ଲୁଟେରାଙ୍କ ଉତ୍ପାତ ପରେ ସଜାଗ ପୂଜା ମଣ୍ଡପ । ଗହଣା ଲୁଟ୍ ପରେ ଲୋକଙ୍କୁ କରାଯାଉଛି ସଚେତନ । ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲରେ ସଚେତନତାର ବାର୍ତା ଦେଉଛି କମିଟି । ପେଣ୍ଡାଲ ବୁଲିବାକୁ ଆସୁଥିବା ମହିଳା ଶ୍ରଦ୍ଧାଳୁଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ କୁହାଯାଉଛି । ବିଭିନ୍ନ ପେଣ୍ଡାଲ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମହିଳା ପୁଲିସ ସମେତ ସାଦା ପୋଷାକଧାରୀ ପୁଲିସ ପଇଁତରା ମାରୁଛନ୍ତି ।