କନକ ବ୍ୟୁରୋ : ସ୍ମାର୍ଟ ସିଟିର ସ୍ମାର୍ଟ ଚୋର । ଆଖି ପିଛୁଳାକେ ସୁନା ଟଙ୍କା ଗାଏବ । ଗ୍ୟାଙ୍ଗର ନାଁ ଛୋଟେ ମିଆଁ ବଡେ ମିଆଁ । ଟିକିଏ ଭଲ କରି ଦେଖନ୍ତୁ ଏହି ଫୁଟେଜକୁ । ଚାଲିଥିଲା ଝିଅ ବାହାଘର । ବରଯାତ୍ରୀ ସହ ମଣ୍ଡପରେ ପହଂଚିଲେ ବର । ଝିଅଙ୍କୁ ମିଳିଥିବା ଗିଫ୍ଟ, ସୁନା ହାର ମୁଦି, ଚୁଡି ଆଉ ଟଙ୍କା ପ୍ରାୟ ୭ ଲକ୍ଷର ଜିନିଷ ଗୋଟିଏ ବ୍ୟାଗରେ ରଖିଥିଲେ । ବ୍ୟାଗର ଚାରିପଟେ ପରିବାର ଲୋକେ ବି ଉପସ୍ଥିତ ଥିଲେ । ଯେମିତି ଝିଅଙ୍କ ମାଉସୀ ଓ ସଂପର୍କୀୟ ଚେୟାରରୁ କିଛି ମୁହୁର୍ତ ପାଇଁ ଉଠିଗଲେ, ତାପରେ ଆରମ୍ଭ ହୋଇଗଲା ଅପରେସନ । ବରଯାତ୍ରୀ ବେଶରେ ଆସିଥିଲେ ବଡେ ମିଆଁ ଆଉ ଛୋଟେ ମିଆଁ । ବଡର ବୟସ ପାଖାପାଖି ୩୨ ଆଉ ଛୋଟୁର ବୟସ ୧୨ରୁ ୧୫ ଭିତରେ ହେବ । ବଡର ଗୋଟିଏ ଇସାରାରେ ଛୋଟୁ ସବୁ ତକ ଗିଫ୍ଟ ନେଇ ପାର । କିଛି ସେକେଣ୍ଡ ଭିତରେ ଜିନିଷ ଖୋଜିବା ବେଳକୁ , ପାଚେରୀ ଡେଇଁ ଛୁ ମାରିଥିଲେ । ସୁଟ ବୁଟ ପିନ୍ଧି ମୁଣ୍ଡରେ ପଗଡି ଭିଡି ଥିବା ଏହି ଛୋଟ ଛୁଆକୁ କିଏ କାହିଁକି ସନ୍ଦେହ କରିବ । ଏମାନେ ଯେ, ଚୋର କେହି କେବେ ସ୍ୱପ୍ନରେ ବି ଭାବି ନଥିବେ ।
ଏହି ସୁଟ ବୁଟ ପିନ୍ଧା ୨ ଚେହେରାକୁ ମନେ ରଖିବାକୁ ଭୁଲନ୍ତୁ ନାହିଁ । କାହିଁକି ନା ଏମାନଙ୍କ ଟାର୍ଗେଟରେ ଏବେ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ । କାହିଁକି ନା ଏମାନଙ୍କୁ ଝିଅ ଘର ଲୋକେ ବରଯାତ୍ରୀ ଭାବିବେ ଆଉ ପୁଅ ଘର ଲୋକ କନ୍ୟା ଘର ଲୋକ ଭାବିବେ । ଏହାର ଭରପୁର ଫାଇଦା ଉଠାଇ ଆପଣଙ୍କ ଗତି ବିଧି ଉପରେ ନଜର ରଖିଥିବେ ଏମାନେ । ଆଉ ସୁଯୋଗ ପାଇ ସବୁ ଜିନିଷ ନେଇ ଛୁ ମାରିବେ ।
ମଣ୍ଡପ ଭିତରକୁ ଚୋରଙ୍କ ଏଂଟ୍ରି କୌଣସି ଫିଲ୍ମ ହିରୋଙ୍କ ଠାରୁ କମ ନୁହେଁ । ଏମାନଙ୍କ ଥାଟଭାଟ ଦେଖି ଏମାନଙ୍କୁ କେହି ବି ଅଟକାଇବାକୁ ସାହାସ କରନ୍ତି ନାହିଁ । ଯେଉଁଥିପାଇଁ ମାଗଣାରେ ଭୋଜି ଖାଇବା ସହ ମଣ୍ଡପରୁ ସର୍ବସ୍ୱ ଲୁଟ କରିବାରେ ସଫଳ ହୁଅନ୍ତି ଏମାନେ । ତେବେ ଟିକିଏ ସତର୍କ ରୁହନ୍ତୁ ଆଉ ସାବଧାନ ହୋଇଯାନ୍ତୁ , କିଏ ଜାଣେ ଏମାନଙ୍କର ଟାର୍ଗେଟରେ କେଉଁ ମଣ୍ଡପ ।