ଠକେଇ କରି ମାଓବାଦୀଙ୍କ ମୁଣ୍ଡରେ ଅଠା ବୋଳିବାକୁ ଉଦ୍ୟମ: ନବରଙ୍ଗପୁରରେ ନାଟକୀୟ ଢଙ୍ଗରେ ଅବସରପ୍ରାପ୍ତ ଅଧିକାରୀଙ୍କଠାରୁ ଲୁଟିି ନେଲେ ୪୭ ଲକ୍ଷ ଟଙ୍କା

331

କନକ ବ୍ୟୁରୋ: ନାଟକୀୟ ଢଙ୍ଗରେ ୪୭ ଲକ୍ଷ ଟଙ୍କା ଲୁଟ୍ । ଜଣେ ଅବସରପ୍ରାପ୍ତ ରାଜସ୍ୱ ନୀରିକ୍ଷକଙ୍କଠାରୁ ଟଙ୍କା ଲୁଟ ପାଇଁ ଏଭଳି ପ୍ଲଟ ତିଆରି କରାଯାଇଥିଲା, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୁରା ଘଟଣା ଥିଲା ଏହିପରି । ନବରଙ୍ଗପୁର ଦାସହରାପଦାର ଅବସରପ୍ରାପ୍ତ ରାଜସ୍ୱ ନୀରିକ୍ଷକ ମହମ୍ମଦ ମନସୁରଙ୍କ ସହ ସନ୍ତୁ ନାମକ ଜଣେ ଦୋକାନୀଙ୍କ ଚିହ୍ନା ପରିଚୟ ଥିଲା । ମନସୁର ଜମି ବିକ୍ରି କରି ମୋଟା ଅଙ୍କର ଅର୍ଥ ପାଇଥିବା ଜାଣିବା ପରେ ଠକିବା ପାଇଁ ଯୋଜନା କରିଥିଲା ସନ୍ତୁ । ଆଉ ରଶ୍ମିତା ନାମକ ଜଣେ ମହିଳାଙ୍କ ଜରିଆରେ ମନସୁରଙ୍କୁ ୧୫ ଲକ୍ଷ ୬୦ ହଜାର ଟଙ୍କା ଚୁନା ଲଗାଇଥିଲା ।

ଏହାପରେ ରଶ୍ମିତାଙ୍କୁ ମାଓବାଦୀ ଅପହରଣ କରିନେଇଥିବା କହି ରଶ୍ମିତାଙ୍କୁ ମୁକୁଳାଇବା ପାଇଁ ମନସୁରଙ୍କ ଠାରୁ ପୁଣି ୨୫ ଲକ୍ଷ ଟଙ୍କା ଠକିନେଇଥିଲା । ଏହି ଠକେଇ ଘଟଣାରେ ନା ରଶ୍ମିତା ସାମ୍ନାକୁ ଆସିଥିଲେ ନା ମାଓବାଦୀ । ପୁରା ଘଟଣାକୁ ଅପରେସନ କରୁଥିଲା ସନ୍ତୁ । ତେବେ ମନସୁରଙ୍କ ଅସ୍ୱଭାବିକ ଆଚରଣ ଦେଖି ତାଙ୍କ ଦୁଇ ପୁଅ ସନ୍ଦେହ କରି ଖୋଲତାଡ କରିବା ୪୭ ଲକ୍ଷ ଟଙ୍କା ଠକେଇ କଥା ଜାଣିବାକୁ ପାଇଥିଲେ । ସତ ଜାଣିବା ପରେ ଦୁଇ ପୁଅ ସନ୍ତୁ ଘରକୁ ଯାଇ ୨୯ ଲକ୍ଷ ଟଙ୍କା ଆଦାୟ କରିବା ସହ ଥାନାରେ ମୌଖିକ ଅଭିଯୋଗ କରିଥିବା ସୂଚନା ମିଳିଛି ।