ବରଯାତ୍ରୀ ହୋଇ ଆସିଲେ… ଭୋଜି ଖାଇ କନ୍ୟାର ସୁନା ନେଇ ଛୁ ମାରିଲେ । ରାଜଧାନୀରେ ଅଭିନବ ଉପାୟରେ ଲୁଟ କଲେ ଲୁଟେରା ଗ୍ୟାଙ୍ଗ୍

178

କନକ ବ୍ୟୁରୋ : ରାଜଧାନୀରେ ପୋଲିସର ଚିନ୍ତା ବଢାଇଦେଇଛି ଲୁଟେରା ଗ୍ୟାଙ୍ଗ୍ । ଗତ କିଛିଦିନ ତଳେ ଲୁଟେରା ଗ୍ୟାଙ୍ଗ୍ ଦୋକାନରୁ ଲକ୍ଷାଧୀକ ଟଙ୍କା ଲୁଟିନେଇଥିବା ଖବର ସାରା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଜି ଆଉ ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ବିବାହ ମଣ୍ଡପରୁ ଅଭିନବ ଉପାୟରେ କନିଆର ସୁନାଗହଣା ଲୁଟିନେଇଛନ୍ତି ଲୁଟେରା ।
ସୂଚନା ଅନୁସାରେ, କେସୁରା ଛକ ପଲ୍ଲବୀ ମଣ୍ଡପରେ ଧୁମଧାମରେ ଚାଲିଥିଲା ବାହାଘର । ବରଯାତ୍ରୀ ଆସିଲେ, ଭୋଜି ଭାତ ଖାଇଲେ । ଆଉ କିଛି ସମୟ ପରେ ଜଣାପଡିଲା କନିଆର ଗହଣା କେଉଁଆଡେ ଗାଏବ୍ ହୋଇଯାଇଛି । ସବୁଆଡେ ଖୋଜାଖୋଜି କରିବା ପରେ ଗହଣା ବ୍ୟାଗ୍ ନମିଳିବାରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ପରିବାର ଲୋକେ । ସିସିଟିଭିରେ ଯାହା ଦେଖିଲେ ତାହା ସମସ୍ତଙ୍କୁ ଚକ୍କିତ କରିଦେଲା । ବରଯାତ୍ରୀ ବେଶରେ ଆସିଥିବା ଦୁଇ ଲୁଟେରା ଗହଣା ବ୍ୟାଗକୁ ନେଇ ଚମ୍ପଟ ମାରିଥିବା ଦୃଶ୍ୟ ପୂରା ସିସିଟିଭିରେ କଏଦ୍ ହୋଇଥିଲା । ଘଟଣାଟି ଥିଲା କିଛି ଏହିପରି…
ବରଯାତ୍ରୀ ସହିତ ପରଫେକ୍ଟ ସୁଟରେ ଆସିଥିଲେ ଦୁଇ ଲୁଟେରା । ଜଣଙ୍କ ବୟସ ୧୦ରୁ ୧୨ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ହେବ ପାଖା ପାଖି ୩୦ରୁ ୩୨ ବର୍ଷ । ବରଯାତ୍ରୀଙ୍କ ସହ ମଣ୍ଡପରେ ପହଞ୍ଚିଥିଲେ ଏହି ଦୁଇ ଲୁଟେରା ଛୋଟେ ମିଆଁ – ବଡେ ମିଆଁ । ବେଶ ଦେଖି କେହି ଭାବିପାରିଲେନି ଯେ ଏମାନେ ଲୁଟେରା ହୋଇଥିବେ ବୋଲି । ବରଯାତ୍ରାଙ୍କ ସହ ବୁଲାବୁଲି କଲେ, ଆଇସକ୍ରିମ୍ ଖାଇଲେ । ମଣ୍ଡପରେ ପାଖାପାଖି ୨୦ ମିନିଟ୍ ରହି ସବୁକିଛି ଅନୁଧ୍ୟାନ କଲେ । ଆଉ ସୁଯୋଗ ଦେଖି କନିଆର ଗହଣା ବ୍ୟାଗକୁ ଧରି ଏକ ଅଲ୍ଟୋ କାରରେ ବସି ଚମ୍ପଟ ମାରିଲେ । ଲୁଟ୍ ହେବାର ପ୍ରାୟ ଅଧଘଣ୍ଟା ପରେ ଯେତେବେଲେ ଗହଣା ବ୍ୟାଗକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ସେତେବେଳେ ଆଉ ଗହଣା ବ୍ୟାକୁ ପାଇନଥିଲେ । ପରେ ସିସିଟିଭି ଚେକ୍ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଲା । ସବୁଠୁ ବଡ କଥା ହେଲା ପୁଅ ପକ୍ଷ ଲୋକ ଦୁଇ ଲୁଟେରାଙ୍କୁ ଝିଅଘର ଲୋକ ଭାବୁଥିଲେ, ଆଉ ଝିଅ ପକ୍ଷ ଲୋକ ଲୁଟେରାଙ୍କୁ ବରଯାତ୍ରୀ ଭାବି ଚର୍ଚ୍ଚା କରୁଥିଲେ ।
ତେବେ ଗହଣା ବ୍ୟାଗରେ ପ୍ରାୟ ୨ଲକ୍ଷ ଟଙ୍କାର ଗହଣା ଥିଲା । ଗୋଟିଏ ସୁନା ହାର, ମୁଦି ଏବଂ ଅନ୍ୟାନ୍ୟ ଅଳଙ୍କାର ରହିଥିଲା ବ୍ୟାଗରେ । ଲୁଟ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସହିଦନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଦୁଇ ଲୁଟେରା ଧରାପଡିବେ ବୋଲି ଆଶା କରାଯାଉଛି ।