ଏମିତି ଲୁଟ୍ ବାବଦରେ କେବେ ଶୁଣିନଥିବେ । ପ୍ରଥମେ ଲୁଟ୍ କଲେ, ପରେ ଚଳିବା ପାଇଁ ୨ ହଜାର ଟଙ୍କା ଦେଲେ । ଅନୁରୋଧ କରିବାରୁ କହିଲେ, ପରେ ଆସି ଟଙ୍କା ଫେରାଇ ଯିବୁ ।

831

କନକ ବ୍ୟୁରୋ : ରାତି ଅଧରେ ଦମ୍ପତିଙ୍କ ଘରେ ପଶିଲେ, ଲୁଟ କଲେ । ହେଲେ ଡକାୟତଙ୍କ ହୃଦୟ ମହାନ । ଚଳିବା ପାଇଁ ୨ ହଜାର ଟଙ୍କା ଦେଇଗଲେ । ଅନୁରୋଧ କରିବାରୁ ସୁନା ଚୁଡ଼ି ମଧ୍ୟ ଫେରାଇ ଦେଇଥିଲେ । ଭୁବନେଶ୍ୱର ଉପକଣ୍ଠ ମଂଚେଶ୍ୱର ଥାନା ଅଧିନରେ ଥିବା ଟାଙ୍ଗିବନ୍ତ ଗାଁରେ ଘଟିଛି ଏହି ଘଟଣା ।

ସୂଚନା ମୁତାବକ ଅବସରପ୍ରାପ୍ତ ପରିସଂଖ୍ୟାନ ବିଭାଗ କର୍ମଚାରୀଙ୍କ ଘରେ ଗତ ରାତିରେ ପଶିଥିଲେ ୪ ଲୁଟେରା । ବିଜୟ କୁମାର ମିଶ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ କରିଥିଲେ । ନଗଦ ୨୫ ହଜାର ଟଙ୍କା, ସୁନା କାନ ଟପ, ସୁନା ଚୁଡ଼ି  ସହିତ ମୋବାଇଲ ଫୋନ, ଟିଭି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ବିଜୟ କୁମାର ମିଶ୍ର ଏବଂ ତାଙ୍କ ସ୍ତ୍ରୀ ଏସବୁ ନନେବାକୁ ଡକାୟତଙ୍କୁ ଅନୁରୋଧ କରିଥିଲେ । ଦମ୍ପତିଙ୍କ ନେହୁରା ହେବା ଦେଖି ତରଳି ଯାଇଥିଲା ଚୋରଙ୍କ ହୃଦୟ । ସୁନା ଚୁଡ଼ି, ମୋବାଇଲ ଫୋନ, ଟିଭିକୁ ଫେରାଇ ଦେଇଥିଲେ ଚୋର । ଆଉ ଭୁଲ ତଥ୍ୟ ଦେଇଥିବା ଲୋକକୁ ଫୋନରେ ଗାଳି ଗୁଲଜ କରି ସେଠାରୁ ଫେରି ଆସିଥିଲେ । ବାକି ଟଙ୍କା ପରେ ଆସି ଘରେ ପକାଇ ଦେଇ ଯିବେ ବୋଲି କହିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି  ସିସିଟିଭି ଆଧାରରେ ଛାନଭିନ ଜାରି ରଖିଛି ପୁଲିସ ।